ସମୁଦ୍ରରେ ବଳ ଗୋଟାଇ ଆଗକୁ ବଢ଼ୁଛି ଭୀଷଣ ସାମୁଦ୍ରିକ ଝଡ ‘ଅସାନି’ : ପୁରୀଠାରୁ ୬୮୦ କିମି ଦୂରରେ କେନ୍ଦ୍ରୀଭୂତ; ଘଣ୍ଟାପ୍ରତି ୨୫କିମି ବେଗରେ ଗତି କରୁଛି 

206

କନକ ବ୍ୟୁରୋ : ପୁରୀଠାରୁ ପ୍ରାୟ ୬୮୦ କିଲୋମିଟର ଦୂର ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ବାତ୍ୟା ଅସାନି ରହିଛି । ସମୁଦ୍ର ଭିତରେ କେନ୍ଦ୍ରୀଭୂତ ହୋଇ ଅସାନି ବଳ ଗୋଟାଇ ଧିରେ ଧିରେ ଉପକୂଳ ମୁହାଁ ହେଉଛି । ଏହା ଗଲା ୬ଘଣ୍ଟା ହେଲା, ଘଣ୍ଟାପ୍ରତି ୨୫ କିଲୋମିଟର ବେଗରେ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ପୁରୀର ଦକ୍ଷିଣ- ଦକ୍ଷିଣ-ପୂର୍ବ ଦିଗରେ ୬୮୦ କିଲୋମିଟର ଦୂରରେ ଅସାନି ରହିଛି । ଏହା ଉତ୍ତର ପୂର୍ବ ଦିଗରେ ଅର୍ଥାତ ଓଡିଶା ଉପକୂଳ ସମାନ୍ତରାଳ ଭାବେ ସମୁଦ୍ର ଭିତରେ ଗତି କରିବ ।

୧୦ତାରିଖ ସନ୍ଧ୍ୟା ଯାଏ ଏହା ଉପକୂଳ ଆଡକୁ ମୁହାଁଇବ, ଏହା ପରେ ମୋଡ ବଦଳାଇ ଉତରପୂର୍ବ ଦିଗରେ ଗତି କରିବ । ଏହି ବାତ୍ୟା ଉପକୂଳ ଛୁଇଁବ ନାହିଁ ବୋଲି କୁହାଯାଉଛି । ତେବେ ପୁରୀଠାରୁ ୯୦ରୁ ଶହେ କିଲୋମିଟର ଭିତରେ ସମୁଦ୍ର ଭିତରେ ଗତି କରିବ । ଏହି ସମୟରେ ପବନର ବେଗ ଘଂଟାକୁ ପ୍ରାୟ ୫୦ କିଲୋମିଟର ରହିବ । ଏହାର ପ୍ରଭାବରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର,କଟକ, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଳାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।