ଅନାସ୍ଥା ପ୍ରସ୍ତାବ, ଆଜି ଦ୍ୱିତୀୟ ଦିନ ଆଲୋଚନା : ପ୍ରଥମ ଦିନରେ କଡ଼ା ସମାଲୋଚନା କରିଥିଲେ ବିରୋଧୀ, ଜବାବ ରଖିଥିଲା ବିଜେପି

102

କନକ ବ୍ୟୁରୋ : ଲୋକସଭାରେ ଅନାସ୍ଥା ପ୍ରସ୍ତାବ ନେଇ ଆଜି ଦ୍ୱିତୀୟ ଦିନ ଆଲୋଚନା ଜାରି ରହିବ । ମଙ୍ଗଳବାର ଆଲୋଚନା ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ଦଳର ସାଂସଦ ଭାଷଣ ରଖିଥିଲେ । ବିରୋଧୀମାନେ ମୋଦୀ ସରକାରକୁ ମଣିପୁର ପ୍ରସଙ୍ଗରେ କଡ଼ା ସମାଲୋଚନା କରିଛନ୍ତି । ସେପଟେ ବିଜେପି ସାଂସଦ ମଧ୍ୟ ଏହାର ଜବାବ ରଖିଛନ୍ତି । ହେଲେ ଯେଉଁ ଦୁଇ ଜଣଙ୍କ ଭାଷଣ ଉପରେ ସମସ୍ତଙ୍କ ନଜର ଅଟକିଛି, ସେ ଦୁହେଁ ଏଯାଏ ନିଜ ଭାଷଣ ରଖି ନାହାନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓ ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ ସାରା ଦେଶର ନଜର ରହିଛି ।

ବିରୋଧୀଙ୍କ ପକ୍ଷରୁ କଂଗ୍ରେସ ‌ନେତା ରାହୁଲ ଗାନ୍ଧି ଲୋକସଭାରେ ମୁଖ୍ୟବକ୍ତା ହୋଇଥାନ୍ତେ । କିନ୍ତୁ ଶେଷ ମୁହୂର୍ତ୍ତରେ ଗୌରବ ଗୋଗୋଇ ଆଜି ଲୋକସଭାରେ ବିରୋଧୀଙ୍କ ପକ୍ଷରୁ ବିତର୍କ ଆରମ୍ଭ କରିଥିଲେ ଏବଂ ମଣିପୁର ହିଂସା‌ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ପ୍ରଧାନମନ୍ତ୍ରୀ କାହିଁକି ଏଯାବତ ମଣିପୁର ଗସ୍ତ କରିନାହାନ୍ତି ତାହାର ଜବାବ ରଖିବାକୁ ସେ ଦାବି କରିଥିଲେ । ପ୍ରଧାନମନ୍ତ୍ରୀ ୮୦ ଦିନ ପରେ ମଣିପୁର ପ୍ରସଙ୍ଗରେ ମୁହଁ ଖୋଲିଥିଲେ ମଧ୍ୟ ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ହଟାଇନାହାନ୍ତି ବୋଲି ଗୋଗଇ ପ୍ରଶ୍ନ କରିଥିଲେ ।

ଗୋଟିଏ ଭାରତର କଥା କହୁଥିବା ସରକାର ୨ଟି ମଣିପୁର ସୃଷ୍ଟି କରିଛନ୍ତି ବୋଲି ଗୋଗୋଇ ଅଭିଯୋଗ କରିଛନ୍ତି । ମଣିପୁର ବାସିନ୍ଦାଙ୍କୁ ନ୍ୟାୟ ଦେବାକୁ କେନ୍ଦ୍ର ସରକାର ବିରୋଧରେ ଅନାସ୍ଥା ଅଣାଯାଇଛି ବୋଲି ସେ କହିଛନ୍ତି । ଗୋଗୋଇ ବିରୋଧୀଙ୍କ ପକ୍ଷରୁ ଆଲୋଚନା ଆରମ୍ଭ କରିବା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ‌ଯୋଶୀ ପ୍ରଶ୍ନ କରିଥିଲେ ଯେ ମୁଖ୍ୟ ବକ୍ତା ଭାବେ ରାହୁଲ ଗାନ୍ଧିଙ୍କ ନାଁ କାହିଁକି ଶେଷ ମୁହୂର୍ତ୍ତରେ କଂଗ୍ରେସ ଦଳ ହଟାଇଲା । ମିଳିଥିବା ସୂଚନାନୁଯାୟୀ ରାହୁଲ ଆସନ୍ତା ୧୦ ତାରିଖରେ ଲୋକସଭାରେ ଆଲୋଚନାରେ ଭାଗ ‌ନେବେ । ଏହିଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗୃହରେ ଆଲୋଚନା ଉପରେ ଜବାବ ରଖିବେ ।