ପୁରୀ ଗଙ୍ଗାମାତା ମଠରେ ରହିଛି ରହସ୍ୟମୟ ସୁଡ଼ଙ୍ଗ : ଶ୍ରୀମନ୍ଦିରକୁ ଗୁପ୍ତ ରାସ୍ତା ଥିବା ଅନୁମାନ

369

କନକ ବ୍ୟୁରୋ : ଶ୍ରୀମନ୍ଦିର ନିକଟ ଗୁପ୍ତଗଙ୍ଗା ନିକଟରେ ରହିଛି ୫୫୦ ବର୍ଷର ପୁରୁଣା ଗଙ୍ଗାମାତା ମଠ । ଆଉ ମଠରେ ରହିଛି ରହସ୍ୟମୟ ଗୁପ୍ତ ସୁଡଙ୍ଗ । କୁହାଯାଉଛି, ଏହି ସୁଡଙ୍ଗରେ ରହିଛି ଅନେକ ଇତିହାସ । ସୁଡଙ୍ଗ ତଳେ ଏକ ଗୁପ୍ତ ପ୍ରକୋଷ୍ଠ ରହିଛି । ଏହି ପ୍ରକୋଷ୍ଠକୁ ବର୍ତ୍ତମାନ ସୁଦ୍ଧା ଖୋଲାଯାଇପାରିନାହିଁ କି କେହି ପ୍ରବେଶ ବି କରିପାରିନାହାନ୍ତି । କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ଏହି ସୁଡଙ୍ଗର ରହସ୍ୟ ଉନ୍ମୋଚନ ଓ ବିକାଶ ପରିକଳ୍ପାନା କରାଯାଇଥିଲା ।

ଅରବିନ୍ଦ ଅଗ୍ରୱାଲ ଜିଲ୍ଲପାଳ ଥିବାବେଳେ ଏହି ରହସ୍ୟ ଭେଦ କରିବାକୁ ଏକ କମିଟି ଗଠନ ହୋଇଥିଲ । ଏଥିପାଇଁ କମିଟିର ଏକାଧିକ ବୈଠକ ବି ବସିଥିଲା । ଗବେଷକମାନେ ସୁଡଙ୍ଗ ଭିତରକୁ ପ୍ରବେଶ ପାଇଁ ବି ଉଦ୍ୟମ କରିଥିଲେ । କିନ୍ତୁ ଅମ୍ଲଜାନ ଅଭାବ ଓ ଅନ୍ଧାର କାରଣରୁ ସୁଡଙ୍ଗ ଭିତରେ ପ୍ରବେଶ ସମ୍ଭବ ହୋଇପାରିନଥିଲା । ଫଳରେ ଏହି ଯୋଜନାକୁ ବାତିଲ କରାଯାଇଥିଲା । କୁହାଯାଉଛି , ଏହି ସୁଡଙ୍ଗ ଦେଇ ଶ୍ରୀମନ୍ଦିରକୁ ଗୁପ୍ତ ରାସ୍ତା ଥାଇପାରେ । ଏହି ସୁଡଙ୍ଗ ଦେଇ ରାଜା ରାଣୀ ଗୁପ୍ତରେ ଯାତାୟାତ କରୁଥିଲେ ବୋଲି କୁହାଯାଉଛି ।