ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଦାଦାଗିରି : ସ୍କୁଲରେ ପଶି ୪ ଛାତ୍ରୀଙ୍କୁ ଶୌଚାଳୟରେ ପକାଇ ଦେଲେ ତାଲା

309

କନକ ବ୍ୟୁରୋ : ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଦାଦାଗିରି । ସ୍କୁଲରେ ପଶି ଶୌଚାଳୟରେ ୪ ଛାତ୍ରୀଙ୍କୁ ତାଲା ପକାଇଦେଲେ । କଣ୍ଟାବାଞ୍ଜି ଥାନା ବୁରୋମାଲ ହାଇସ୍କୁଲରୁ ଏଭଳି ଅଭିଯୋଗ ଆସିଛି । ଗତକାଲି ଅପରାହ୍ନ ସାଢ଼େ ୩ଟାରେ ସ୍କୁଲ କମିଟି ସଭାପତି ସଦାନନ୍ଦ ବନଛୋର ସ୍କୁଲକୁ ଆସି ଦାଦାଗିରି କରିଥିବା ଅଭିଯୋଗ ହୋଇଛି । ୪ ଜଣ ଛାତ୍ରୀଙ୍କୁ ସେ ଗାଳିଗୁଲଜ କରିଥିଲେ, ଆଉ ଭୟରେ ପିଲାମାନେ ସ୍କୁଲର ଶୌଚାଳୟକୁ ପଳାଇଥିଲେ ।

ହେଲେ ସଦାନନ୍ଦ ବାହାରୁ ଶୌଚାଳୟକୁ ତାଲା ପକାଇ ଦେଇଥିଲେ । ଫଳରେ ଦୀର୍ଘ ସମୟ ଧରି ୪ ଜଣ ଛାତ୍ରୀ ଶୌଚାଳୟ ଭିତରେ ଅଟକି ରହିଥିଲେ, ଆଉ ଭୟରେ ପାଟି କରୁଥିଲେ । ପରେ ସେମାନଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା । ପରେ ଛାତ୍ରୀଙ୍କ ପରିବାର ଲୋକଙ୍କ ପକ୍ଷରୁ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରାଯାଇଛି । ପୋଲିସ୍ ତଦନ୍ତ କରୁଥିବା ବେଳେ ସ୍କୁଲ ପରିଚାଳନା କମିଟି ସଭାପତି ଫେରାର ଥିବା କୁହାଯାଉଛି ।