ଓଡ଼ିଆ ଜାଣିନଥିବା ଅଭିଯୋଗରେ ସରପଞ୍ଚ ପଦବୀ ଗଲା । ଢେଙ୍କାନାଳ ଗେଙ୍ଗୁଟିଆ ପଞ୍ଚାୟତର ସରପଞ୍ଚ କୈଳାସ ଦେହୁରୀଙ୍କୁ ଅଯୋଗ୍ୟ ଘୋଷଣା କଲେ କୋର୍ଟ ।

864

କନକ ବ୍ୟୁରୋ: ଓଡ଼ିଆ ଜାଣିନଥିବା ଅଭିଯୋଗରେ ସରପଞ୍ଚ ପଦବୀ ଗଲା । ଢେଙ୍କାନାଳ ଗେଙ୍ଗୁଟିଆ ପଞ୍ଚାୟତର ସରପଞ୍ଚ କୈଳାସ ଦେହୁରୀଙ୍କୁ ଅଯୋଗ୍ୟ ଘୋଷଣା କଲେ ଢେଙ୍କାନାଳ ଜୁନିୟର ଡିଭିଜନ୍ ସିଭିଲ ଜଜ୍ କୋର୍ଟ । ତେବେ ସେ ଜଣେ ଅଶିକ୍ଷିତ ବୋଲି କୋର୍ଟରେ ଦର୍ଶାଇଥିଲେ ପ୍ରତିପକ୍ଷ ପୁରୁଷୋତମ ଦେହୁରୀ । ହେଲେ ଏହାକୁ ମିଛ ଅଭିଯୋଗ ବୋଲି କହିଛନ୍ତି କୈଳାସ ।

  • ଓଡିଆ ପଢ଼ି ନପାରିବା ଅଭିଯୋଗରେ ଅଯୋଗ୍ୟ
  • ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କଲେ ଅଦାଲତ

ଓଡିଆ ଲେଖି, ପଢି ଜାଣିନଥିବା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ଗେଙ୍ଗୁଟିଆ ପଞ୍ଚାୟତର ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ସରପଞ୍ଚ କୈଳାସ ଚନ୍ଦ୍ର ଦେହୁରୀଙ୍କୁ ଅଯୋଗ୍ୟ ଘୋଷାଣା କରିଛନ୍ତି ଢେଙ୍କାନାଳ ଜୁନିୟର ଡିଭିଜନ୍ ସିଭିଲ ଜଜ୍ କୋର୍ଟ । ଓଡିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪ର ଧାରା ୧୧(ଖ) ଅନୁଯାୟୀ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି ।

ସେ ଜଣେ ଅଶିକ୍ଷିତ ବୋଲି କୋର୍ଟରେ ଦର୍ଶାଇଥିଲେ ପ୍ରତିପକ୍ଷ ପୁରୁଷୋତ୍ତମ ଦେହୁରୀ । ଆବେଦନର ଶୁଣାଣି କରି ରାଜ୍ୟ ନିର୍ବାଚନ କମିଶନଙ୍କ ନୀତି ନିୟମ ଆଧାରରେ କୈଳାସ ଚନ୍ଦ୍ର ଦେହୁରୀଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିବା କୋର୍ଟ ତାଙ୍କ ରାୟରେ କହିଛନ୍ତି । ହେଲେ ସରପଞ୍ଚ କୈଳାସ ଚନ୍ଦ୍ର ଦେହୁରୀ କନକ ନ୍ୟୁଜ୍ କ୍ୟାମେରା ସାମ୍ନାରେ କାଗଜ, କଲମ ଧରି ଓଡିଆରେ ଲେଖିଛନ୍ତି । ଲେଖିବା ପରେ ଏହାକୁ ମଧ୍ୟ ପଢି ଶୁଣାଇଛନ୍ତି କୈଳାସ । ତେଣୁ କେଉଁ ଆଧାରରେ କୋର୍ଟ ଏଭଳି ନିର୍ଦ୍ଦେଶ ଦେଲେ ତାକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଏପରିକି ଆବଶ୍ୟକ ପଡିଲେ କୋର୍ଟରେ ମଧ୍ୟ ଓଡିଆରେ ଲେଖିବେ ଓ ପଢିବେ ବୋଲି କୈଳାସ କହିଛନ୍ତି ।

କୈଳାସ ଅଭିଯୋଗ କରିଛନ୍ତି ତାଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ କୋର୍ଟ କେସ କରିଛନ୍ତି ପରାଜିତ ପ୍ରାର୍ଥୀ ପୁରୁଷୋତମ ଦେହୁରୀ । ସବୁଠାରୁ ବଡ କଥା ହେଉଛି କୈଳାସ ପୂର୍ବରୁ ମଧ୍ୟ ସରପଞ୍ଚ ନିର୍ବାଚିତ ହୋଇ ୫ ବର୍ଷ କାର୍ଯ୍ୟକାଳ ସମାପ୍ତ କରିଛନ୍ତି । ୱାର୍ଡମେମ୍ବର ଓ ଗାଁ ଲୋକ ମଧ୍ୟ ସେ ଓଡିଆରେ ଲେଖି, ପଢି ପାରୁଥିବା କହିଛନ୍ତି ।

୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୈଳାସ ଦେହୁରୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପୁରୁଷୋତମ ଦେହୁରୀଙ୍କୁ ହରାଇ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି କୋର୍ଟକୁ ଯାଇଥିଲେ ପରାଜିତ ପ୍ରାର୍ଥୀ । ବର୍ଷେ ପରେ କୋର୍ଟ କୈଳାସଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି କୈଳାସ ୧୯୯୭ରୁ ୨୦୧୨ ପର୍ଯ୍ୟନ୍ତ ସେହି ଗେଙ୍ଗୁଟିଆ ପଞ୍ଚାୟତର ସରପଞ୍ଚ ଥିଲେ । ତେଣୁ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି କୈଳାସ ଚନ୍ଦ୍ର ଦେହୁରୀ ।