ପଚାରିଲେନି ଦୁଇ ପୁଅ, ମାଆ ଶବକୁ କାନ୍ଧ ଦେଲେ ୪ଝିଅ । କୋକେଇ ବୋହି ଚାଲିଲେ ୪କିଲୋମିଟର

293

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ନୂଆ ବର୍ଷରେ ଭିନ୍ନ ଏକ ଦୃଶ୍ୟ । ମା’କୁ କାନ୍ଧ ଦେଲେ ୪ ଝିଅ । ଶବ ନେଇ ଚାଲିଲେ ୪ କିଲୋମିଟର । ପୁରୀରେ ଏପରି ଦୃଶ୍ୟ ଦେଖି ହତବାକ ହୋଇଯାଇଥିଲେ ଲୋକେ । ମଙ୍ଗଳାଘାଟର ୮୧ ବର୍ଷୀୟ ଜଟି ସାହୁଙ୍କର ମୃତ ଦେହକୁ ନେଇଥିଲେ ୪ ଜଣ । ଏମାନଙ୍କ ବୟସ ବି କମ୍ ନୁହଁ । ୩୪ରୁ ୬୦ ବର୍ଷ ମଧ୍ୟରେ ହେବ । ପରିଣତ ବୟସରେ ଝିଅମାନେ ମାଆର ମୃତଦେହକୁ ଧରି ମଙ୍ଗଳାଘାଟରୁ ବଡ଼ଦାଣ୍ଡ ହୋଇ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଯାଇଥିଲେ ।
ସ୍ୱର୍ଗଦ୍ୱାରରେ ମୃତକଙ୍କ ଝିଅ ଓ ବନ୍ଧୁ ପରିଜନଙ୍କ କଥା ଶୁଣି ଦେଖଣାହାରୀଙ୍କ ଛାତି ଥରି ଯାଉଥିଲା । ଜଟିଙ୍କ ଦୁଇ ପୁଅ ତାଙ୍କ କଥା ବୁଝୁନଥିଲେ । ହଇରାଣ ହରକତ କରୁଥିଲେ । ମାଆଙ୍କ ମୃତ୍ୟୁ ପରେ ଚାରି ଝିଅ, ଜ୍ୱାଇଁ, ନାତି ଓ ସାହି ଲୋକେ ମିଶି ଅନ୍ତ୍ୟେଷ୍ଟିକ୍ରିୟା କରିଛନ୍ତି । ଜଟିଅଙ୍କ ଦିଅର କୁଞ୍ଜ ମୁଖାଗ୍ନୀ ଦେଇଥିଲେ ।