ଦିନେ ଭ୍ୟାକ୍ସିନ୍ ତିଆରି କରିଥିଲେ, ଆଜି ହତ୍ୟାର ଶିକାର । ରୁଷ ବୈଜ୍ଞାନିକଙ୍କୁ ତଣ୍ଟି ଚିପି ହତ୍ୟା କଲେ ଯୁବକ ।

706

କନକ ବ୍ୟୁରୋ: ଦିନେ କରୋନାକୁ ରୋକିବାକୁ ସେ କୋଭିଡ୍ ଭ୍ୟାକ୍ସିନ ଆଣିଥିଲେ, ହେଲେ ଆଜି ତାଙ୍କର ହତ୍ୟା କରାଯାଇଛି । ରୁଷର ଏହି ବୈଜ୍ଞାନିକଙ୍କୁ ଗଳା ଚିପି ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି, ଯିଏକି ସ୍ପୁଟନିକ୍-ଭି ନାମକ କୋଭିଡ୍ ଭ୍ୟାକ୍ସିନ୍ ପ୍ରସ୍ତୁତ କରିଥିଲେ । ତେବେ ଏଣ୍ଟ୍ରି ବୋଟିକୋବଙ୍କୁ ବେଲ୍ଟରେ ଗଳା ଚିପି ହତ୍ୟା କରାଯାଇଥିବା ସୂଚନା ମିଳିଛି । ପୋଲିସ ଏହି ଘଟଣାରେ ଜଣକୁ ଗିରଫ କରି ପଚରାଉଚୁରା କରୁଛି ।

ବୋଟିକୋବ ରୁଷର ଜଣେ ପ୍ରସିଦ୍ଧ ବୈଜ୍ଞାନିକ ଅଟନ୍ତି । ଭ୍ୟାକ୍ସିନ ଉପରେ ତାଙ୍କ କାମକୁ ଦେଖି ତାଙ୍କୁ ପୁରସ୍କାର ମଧ୍ୟ ମିଳିଥିଲା । କୋଭିଡ୍ ସମୟରେ ସ୍ପୁଟନିକ୍-ଭି କୋଭିଡ୍ ଭ୍ୟାକ୍ସିନ ନିର୍ମାଣରେ ଯେଉଁ ୧୮ ଜଣ ବୈଜ୍ଞାନିକଙ୍କ ହାତ ଥିଲା, ସେ ଭିତରୁ ଜଣେ ଥିଲେ ବୋଟିକୋବ ।

ମିଳିଥିବା ସୂଚନା ମୁତାବକ, ୪୭ ବର୍ଷୀୟ ଏଣ୍ଟ୍ରି ବୋଟିକୋବ୍ ନିଜ ଆପାର୍ଟମେଣ୍ଟ ରୁମରୁ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ତେବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କୁ ୨୦୨୧ ମସିହାରେ କୋଭିଡ୍ ଭ୍ୟାକ୍ସିନ ପାଇଁ ‘ଅର୍ଡର ଅଫ୍ ମେରିଟ୍ ଫର ଦ୍ ଫାଦରଲ୍ୟାଣ୍ଡ’ ସମ୍ମାନରେ ସମ୍ମାନିତ କରିଥିଲେ । ରୁଷ ବୈଜ୍ଞାନିକଙ୍କ ହତ୍ୟାକୁ ନେଇ ପୋଲିସ ଏବେ ଯାଞ୍ଚ ଜାରି ରଖିଛି । କୁହାଯାଉଛି , ଜଣେ ୨୯ ବର୍ଷୀୟ ଯୁବକ ବେଲ୍ଟରେ ତାଙ୍କ ବେକକୁ ଚିପି ତାଙ୍କୁ ହତ୍ୟା କରିଛି । ତେବେ ଏହା ପଛର କାରଣ କଣ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନି ।