ଜାତିସଂଘ ସୁରକ୍ଷା ପରିଷଦରେ ଋଷକୁ ଟାର୍ଗେଟ କଲା ଆମେରିକା : କହିଲା, ୟୁକ୍ରେନରେ ଜୈବିକ ଅସ୍ତ୍ର ନିର୍ମାଣ ନେଇ ରଷର ଅଭିଯୋଗ ମିଛ

ଆକ୍ରମଣକୁ ଠିକ୍ ଦର୍ଶାଇବାକୁ ଚାଲିଛି ଏପରି ମିଥ୍ୟା ପ୍ରଚାର; ସେପଟେ ଭାରତ କହିଲା ଜୈବିକ ଅସ୍ତ୍ର ବିରୋଧୀ ଚୁକ୍ତିକୁ ସମ୍ମାନ ଦିଅନ୍ତୁ ସବୁ ଦେଶ

140

କନକ ବ୍ୟୁରୋ : ଜାତିସଂଘ ସୁରକ୍ଷା ବୈଠକରେ ଋଷ, ମିଛ ପ୍ରଚାର କରୁଛି ବୋଲି ଅଭିଯୋଗ କରିଛି ଆମେରିକା । ଏହା ସହ ଚୀନ ମଧ୍ୟ ରୁଷ ସହ ଏହି ମିଛ ପ୍ରଚାରରେ ସାମିଲ ହୋଇଛି ବୋଲି କହିଛନ୍ତି ଆମେରିକାର ପ୍ରତିନିଧି । ୟୁକ୍ରେନରେ ଆମେରିକା ସହାୟତାରେ ଜୈବିକ ଅସ୍ତ୍ର ନିର୍ମାଣ ହେଉଛି ବୋଲି ଋଷ ଅଭିଯୋଗ ଆଣିବା ସହ ଏ ନେଇ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ଡାକିଥିଲା । ବୈଠକରେ ଆମେରିକା କହିଛି, ୟୁକ୍ରେନରେ ଜୈବିକ ଅସ୍ତ୍ର ନିର୍ମାଣ ନେଇ କୌଣସି ଲାବୋରେଟୋରୀ ନାହିଁ ।

ୟୁକ୍ରେନ କିମ୍ବା ଋଷିଆ ସୀମାନ୍ତ ଦେଶରେ ଆମେରିକା ସହାୟତାରେ ଏପରି କାର୍ଯ୍ୟକ୍ରମ ହେଉନାହିଁ । ଆକ୍ରମଣକୁ ଠିକ୍ ବୋଲି ଦର୍ଶାଇବା ପାଇଁ ଋଷ ଏଭଳି ପ୍ରଚାର କରୁଛି ବୋଲି ଅଭିଯୋଗ କରିଛି ଆମେରିକା । ଏହି ବୈଠକରେ ୟୁକ୍ରେନ ଓ ଋଷିଆ ବିବାଦ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ ହେବା ଉଚିତ ବୋଲି କହିଛି ଭାରତ । ଜୈବିକ ଅସ୍ତ୍ର ବିରୋଧରେ ହୋଇଥିବା ଚୁକ୍ତିକୁ ସମସ୍ତେ ସମ୍ମାନ ଦେବା ଉଚିତ ବୋଲି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍. ତ୍ରିମୂର୍ତି କହିଛନ୍ତି ।