ବନ୍ୟାଜଳର ପ୍ରଖର ସ୍ରୋତରେ ଦବିଲା ପୋଲ : କୋଏଲନଦୀ ଉପରେ ଧାନାପାଲି ପୋଲର ପିଲାର ଦବିଯିବାରୁ ଯାତାୟତ ପ୍ରଭାବିତ

359

କନକ ବ୍ୟୁରୋ : ବନ୍ୟା ପାଣିର ପ୍ରଖର ସ୍ରୋତରେ ଦବିଗଲା ପୋଲ । ଏଭଳି ଦୃଶ୍ୟ ଆସିଛି ରାଉରକେଲାରୁ । ଓଡିଶା-ଝାଡଖଣ୍ଡ ମନୋହରପୁରକୁ ସଂଯୋଗ କରୁଥିବା ଧାନାପାଲି ପୋଲ ବନ୍ୟା ପାଣିର ସ୍ରୋତରେ ଦବି ଯାଇଛି । କୋଏଲ ନଦୀ ଉପରେ ଥିବା ପୋଲଟି ଦବିଯିବା ଫଳରେ ଏହା ଉପରେ ଯାତାୟତ କରିବାକୁ ଡରୁଛନ୍ତି ଲୋକେ । ରବିବାର କୋଏଲ ନଦୀର ପ୍ରଖର ସ୍ରୋତରେ ପୋଲର ତୃତୀୟ ପିଲାର ହଠାତ୍ ପ୍ରାୟ ୨ରୁ ୩ଫୁଟ୍ ତଳକୁ ଧସି ଯାଇଥିଲା ।

ତୁରନ୍ତ ସ୍ଥାନୀୟ ପ୍ରଶାସନ ପୋଲିସ ସହାୟତାରେ ବାଉଁଶ ବାଡ ପକାଇ ଯାନବାହନ ଚଳାଚଳ ବନ୍ଦ କରିଦେଇଥିଲା । ବନ୍ୟାଜଳର ପ୍ରଖର ସ୍ରୋତ ଯଦି ଜାରି ରହେ, ତେବେ ସମ୍ପୂର୍ଣ୍ଣ ପୋଲର ସ୍ଥାୟୀତ୍ୱ ପ୍ରତି ବିପଦ ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା । ତଥାପି କିଛି ଲୋକେ ଏହି ବାରିକେଟ୍ ଭାଙ୍ଗି ବାଇକ୍ ଧରି ପୋଲ ଦେଇ ଯାତାୟତ କରୁଛନ୍ତି । ତେବେ ୪ ଚକିଆ ଯାନ ଓ ଭାରିଯାନ ଚଳାଚଳ ପୋଲ ଦେଇ କରିବା ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ନଦୀ ଜଳସ୍ତର କମିବା ପରେ ଯାଞ୍ଚ କରି ପୋଲର ମରାମତି କରାଯିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଧାନାପାଲି ପୋଲଟି ଓଡିଶା ଓ ଝାଡଖଣ୍ଡକୁ ସଂଯୋଗ କରିଥାଏ । ଏହି ପୋଲରେ ଭାରିଯାନ ଚଳାଚଳ ବନ୍ଦ ହୋଇଥିବାରୁ ପ୍ରତିଦିନ କାମ ପାଇଁ ଝାଡଖଣ୍ଡର ମନୋହରପୁର, ଜାମସେଦପୁର, କିରିବୁରୁ ଏବଂ ରାଞ୍ଚି ଯାଉଥିବା ଲୋକଙ୍କ ସମସ୍ୟା ବଢିଯାଇଛି ।