ସେମିଫାଇନାଲ ପୂର୍ବରୁ ଏମିତି କହିଲେ କ୍ୟାପଟେନ୍ ରୋହିତ ଶର୍ମା । ନିଜ ଖେଳାଳିଙ୍କର କଲେ ଭୁରି ଭୁରି ପ୍ରଂଶସା । କହିଲେ, କିଛି ବି ଟେନସନ୍ ନାହିଁ । 

248

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଆଜି ଖେଳାଯିବ ପ୍ରଥମ ସେମିଫାଇନାଲ ମ୍ୟାଚ୍ । ଯେଉଁଥିରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ । ତେବେ ଏହାର ଗୋଟିଏ ଦିନ ପରେ ଭାରତ, ଇଂଲଣ୍ଡ ସହ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଖେଳିବ । ତେବେ ମ୍ୟାଚ୍ ଖେଳାଯିବା ପୂର୍ବରୁ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ନିଜ ଦଳର ଖେଳାଳିଙ୍କୁ ସାଥ୍ ଦେଇ ବଡ ବୟାନ ରଖିଛନ୍ତି । ବିଶେଷକରି ଅକ୍ଷର ପଟେଲ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରୋହିତ ।

ବିଶ୍ୱକପରେ ଅକ୍ଷର ପଟେଲ ସେଭଳି କୌଣସି ଭଲ ପ୍ରଦର୍ଶନ କରିନାହାଁନ୍ତି । ତେଣୁ ତାଙ୍କ ଜାଗାରେ ଚହଲଙ୍କୁ ଦଳରେ ସୁଯୋଗ ଦେବାକୁ ଦାବି ହେଉଛି । ଏହା ଉପରେ ପ୍ରତିକ୍ରିୟା ଦେଇ ରୋହିତ କହିଛନ୍ତି, ଅକ୍ଷରଙ୍କୁ ନେଇ ଆମେ ଚିନ୍ତିତ ନାହୁଁ । ସେ ଅଧିକ ଓଭର ବୋଲିଂ କରିନାହାଁନ୍ତି । ତେବେ ଅଧିକାଂଶ ପିଚରେ ଫାଷ୍ଟ ବୋଲରଙ୍କୁ ସହାୟତା ମିଳିଛି, ଏହାସତ୍ତେ୍ୱ ସେ ଭଲ ବୋଲିଂ କରିଛନ୍ତି । ବିଶେଷକରି ପାୱାର ପ୍ଲେରେ ଅକ୍ଷର ପଟେଲ ଦମଦାର ବୋଲିଂ କରିଛନ୍ତି ବୋଲି ରୋହିତ କହିଛନ୍ତି ।

ଅନ୍ୟପଟେ ସୂର୍ଯ୍ୟକୁମାରଙ୍କୁ ମଧ୍ୟ ପ୍ରଂଶସା କରିଛନ୍ତି ଟିମ୍ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମା । ବିଶ୍ୱକପରେ ସୂର୍ଯ୍ୟକୁମାର ନିଜର ପରିପକ୍ୱତା ଦେଖାଇବା ସହ ଭଲ ବ୍ୟାଟିଂ କରିଛନ୍ତି । ଯାହାକି ଅନ୍ୟ ବ୍ୟାଟ୍ସମ୍ୟାନମାନଙ୍କୁ ଭଲ ଖେଳିବାକୁ ପ୍ରରଣା ଦେଇଛି । ସୂର୍ଯ୍ୟକୁମାର ବଡ ପଡିଆରେ ଖେଳିବାକୁ ପସନ୍ଦ କରନ୍ତି, ଯେଉଁ କାରଣରୁ ସେ ଏବେ ସଫଳ ହେଉଛନ୍ତି ବୋଲି ରୋହିତ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଟି-୨୦ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିସାରିଛି ଟିମ୍ ଇଣ୍ଡିଆ । ଦଳ ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ । ତେବେ ଏହା ପୂର୍ବରୁ ରୋହିତଙ୍କ ଆହତ ସମସ୍ୟାକୁ ନେଇ ଗତକାଲି ଚିନ୍ତା ପ୍ରକାଶ ପାଇଥିଲା । ହେଲେ ସେ ସମ୍ପୂର୍ଣ୍ଣ ଠିକ୍ ଥିବା ଜଣାପଡିଛି । ଆଉ ଆସନ୍ତାକାଲି ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିପାରେ ବୋଲି ସମସ୍ତେ ଆଶା ରଖିଛନ୍ତି ।