୨୦୨୨ର ବଦଲା ୨୦୨୪ରେ: ଇଂଲଣ୍ଡଠୁ ବିଜୟ ପରେ କାନ୍ଦି ପକାଇଲେ ରୋହିତ

1,057

କନକ ବ୍ୟୁରୋ: ଅପେକ୍ଷାର ଅନ୍ତ ଘଟିଛି । ଭାରତ ୨୦୨୪ ଟି-୨୦ ବିଶ୍ୱକପର ଫାଇନାଲରେ ପ୍ରବେଶ କରିସାରିଛି । ଇଂଲଣ୍ଡକୁ ୬୮ ରନରେ ଭାରତ ପରାଜିତ କରିବା ପରେ ଫାଇନାଲ ଟିକେଟ ହାତେଇଛି । ତେବେ ଏହି ବିଜୟ ପରେ ଏକ ଭାବବିହ୍ୱଳ ଚିତ୍ର ସାମ୍ନାକୁ ଆସିଛି । ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଡ୍ରେସିଂ ରୁମ ବାହାରେ କାନ୍ଦୁ ଥିବାର ନଜର ଆସିଥିଲେ । କ୍ୟାମେରାରେ କଏଦ ହୋଇଥିବା ଏହି ଚିତ୍ରରୁ ସ୍ପଷ୍ଟ ଜଣାପଡୁଛି ରୋହିତ ତାଙ୍କ ଲୁହକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ।

ଇଂଲଣ୍ଡ ବିପକ୍ଷରେ ଭାରତ ସେମିଫାଇନାଲରେ ଏକ ବଡ ବିଜୟ ହାସଲ କରିଛି । ମ୍ୟାଚ ଶେଷ ହେବା ପରେ ସମସ୍ତ ଖେଳାଳୀ ଡ୍ରେସିଂ ରୁମକୁ ଫେରୁଥିଲେ । ଏହି ସମୟରେ ରୋହିତ ଶର୍ମା ଏକ ଚେୟାରରେ ବସି କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ବିରାଟ କୋହଲି ତାଙ୍କ ପାଖକୁ ଯାଇଥିଲେ ଆଉ ହାତ ମିଶାଇବାକୁ ଚେଷ୍ଟା କରିଥିଲେ । ଆଉ ତାଙ୍କୁ ଇମୋସନାଲ ଦେଖି ସେ ତାଙ୍କୁ ଆଶ୍ୱସନା ଦେଇ ଚାଲିଯାଇଥିଲେ ।

ଇଂଲଣ୍ଡଠାରୁ ସେମିଫାଇନାଲରେ ଜିତିବା ପରେ ରୋହିତଙ୍କ ଆଖିରେ ଲୁହ ଚାଲିଆସିଥିଲା । କାରଣ ସେ ଜାଣିସାରିଛନ୍ତି ତାଙ୍କ ସ୍ୱପ୍ନ, ଆଉ ଟିମର ଅପେକ୍ଷା ଏବେ ପୂରଣ ହେବାକୁ ଯାଉଛି । ଗତ ଟି-୨୦ ବିଶ୍ୱକପରେ ଯେଉଁ କ୍ୟାପଟେନ ଭାବରେ ଯେଉଁ ଆଇସିସି ଟ୍ରଫି ହାସଲ କରିବାରୁ ବର୍ତ୍ତି ଯାଇଥିଲେ, ତାକୁ ପାଇବାକୁ ତାଙ୍କୁ ଆଉ ଗୋଟିଏ ସୁଯୋଗ ମିଳିଛି । ଏହି କଥାକୁ ମନେ ପକାଇ ରୋହିତ ଭାବବିହ୍ୱଳ ହୋଇପଡିଥିଲେ ।

ଆପଣଙ୍କର ମନେ ଥିବ ୨୦୨୨ ବିଶ୍ୱକପ ସେମିଫାଇନାଲ କଥା । ଯେଉଁ ମ୍ୟାଚରେ ଭାରତ ଇଂଲଣ୍ଡଠାରୁ ପରାଜିତ ହୋଇଥିଲା । ଭାରତ ୧୬୮ରନର ବିଜୟ ଲକ୍ଷ୍ୟ ଦେଇଥିଲେ ବି ଇଂଲଣ୍ଡ ଏହାକୁ ସହଜରେ ପୂରଣ କରିଦେଇଥିଲା । ଇଂଲଣ୍ଡ ଦୁଇ ଓପନର ଜୋସ ବଟଲର ଓ ଆଲେକ୍ସ ହେଲ୍ସ ମିଶି ଭାରତର ସ୍ୱପ୍ନକୁ ଧୂଳିସାତ କରିଦେଇଥିଲେ । ଏହି ମ୍ୟାଚକୁ ଇଂଲଣ୍ଡ ୧୦ ୱିକେଟରେ ଜିତି ଫାଇନାଲରେ ପ୍ରବେଶ କରିଥିଲା । ଏତେ ବଡ ପରାଜୟକୁ ଭାରତ ସହଜରେ ହଜମ କରିପାରିନଥିଲା । ଆଉ ଆପେକ୍ଷା କରିଥିଲା ପ୍ରତିଶୋଧ ନେବାକୁ ।

ଯାହାକୁ ଅପେକ୍ଷା ଥିଲା ତାହା ହିଁ ହେଲା, ପୁଣି ସେହି ସମୟ ଆସିଲା, ୨୦୨୪ ଟି-୨୦ ବିଶ୍ୱକପ ସେମିଫାଇନାଲରେ ପୁଣି ମୁହାଁମୁହିଁ ହେଲେ ଭାରତ-ଇଂଲଣ୍ଡ । ଏହି ମ୍ୟାଚରେ ଯଦି ବର୍ଷା ହୋଇଥାନ୍ତା ତେବେ ଭାରତ ସିଧାସଳଖ ଫାଇନାଲରେ ପ୍ରବେଶ କରିଥାନ୍ତା । ହେଲେ ବର୍ଷା ଛାଡିବା ପରେ ମ୍ୟାଚ ଆରମ୍ଭ ହୋଇଥିଲା । ରୋହିତଙ୍କ ଅର୍ଦ୍ଧଶତକ ଓ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଫଳରେ ଭାରତ ୧୭୧ ରନ କରିଥିଲା । ୧୭୨ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଇଂଲଣ୍ଡ ଦଳ ଭାରତୀୟ ବୋଲରଙ୍କୁ ସାମ୍ନା କରିପାରିନଥିଲା । ଇଂଲଣ୍ଡ ୧୦୩ ରନରେ ଅଲଆଉଟ ହୋଇ ମ୍ୟାଚ ହାରିଯାଇଥିଲା । ଆଉ ଭାରତ ତାର ୨୦୨୨ର ବଦଲାକୁ ପୂରା କରିଥିଲା ।