ପାରମ୍ପରିକ ଓଡିଆ ରୋଷେଇ କ୍ଷେତ୍ରରେ ନୂଆ ଦିଗନ୍ତ । ଉନ୍ମୋଚିତ ହେଲା ରିତୁ ପଟ୍ଟନାୟକଙ୍କ ଲିଖତ ପୁସ୍ତକ ‘”259 inherited recipes of Odisha”

314

କନକ ବ୍ୟୁରୋ: କଥାରେ ଅଛି କାହାକୁ ଖୁସି କରିବାର ଥିଲେ ପ୍ରଥମେ ତାଙ୍କ ପେଟ ଚିହ୍ନିବାକୁ ପଡିବ । ସୁଆଦିଆ ଖାଦ୍ୟ ଖୁଆଇ କାହାରି ମନ ଜିତିହେବ । ଏକଥା କହିଛନ୍ତି “259 inherited recipes of Odisha” ପୁସ୍ତକର ଲେଖିକା ରିତୁ ପଟ୍ଟାନାୟକ । ଓଡିଶାର ପାରମ୍ପରିକ ଖାଦ୍ୟ ରାନ୍ଧଣା କ୍ଷେତ୍ରରେ ଏହି ପୁସ୍ତକଟି ଆଉ ଏକ ପଦକ୍ଷେପ । ଏଥିରେ ରହିଛି ୨୫୯ ପ୍ରକାର ପାରମ୍ପରିକ ଓ ସ୍ୱାସ୍ଥ୍ୟକର ଖାଦ୍ୟର ରେସିପି । ନିକଟରେ ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି ରାଜ୍ୟପାଳ ଶ୍ରୀ ଗଣେଶୀଲାଲ ।

ରିତୁ ପଟ୍ଟନାୟକଙ୍କର ଖାଦ୍ୟ ଓ ରାନ୍ଧଣା ପ୍ରତି ପିଲାବେଳୁ ରହିଥିଲା ଏକ ବିଶେଷ ଆକର୍ଷଣ । ରୋଷେଇ ଘରେ ମା’ ଦିନର ୨୪ ଘଣ୍ଟାରୁ ଅଧା ସମୟ କେବଳ ରୋଷେଇରେ ବ୍ୟସ୍ତ ଥିବା ଦେଖୁଥିଲେ । ଏହି ସମୟରେ ସେ ମଧ୍ୟ ମା’ଙ୍କ ପାଖରେ ବସି ରାନ୍ଧିବାକୁ ଚାହିଁ ରହୁଥିଲେ । ଆଉ ମା’ ଯେତେବେଳେ ଘର ଲୋକ କିମ୍ବା ବନ୍ଧୁବାନ୍ଧବଙ୍କୁ ସେହି ଖାଦ୍ୟକୁ ପରସି ଦେଉଥିଲେ ସେମାନଙ୍କ ଖୁସି ଆଉ ପ୍ରଶଂସାକୁ ମଧ୍ୟ ଅନୁଭବ କରୁଥିଲେ । ଆଉ ବୁଝିପାରିଥିଲେ, କାହାରିକୁ ଖୁସି କରିବାକୁ ହେଲେ ପ୍ରଥମେ ସେମାନଙ୍କ ପେଟ ବୁଝିବା ଆବଶ୍ୟକ । ସମୟକ୍ରମେ ମା’ଙ୍କ ରୋଷେଇକୁ ମିଳୁଥିବା ପ୍ରଶଂସା ରିତୁ ପଟ୍ଟନାୟକଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା । । ସେ ମଧ୍ୟ ବିଭିନ୍ନ ରେସିପି କରିବାକୁ ମନ ବଳାଇଥିଲେ ।

ଅନେକ ସମୟରେ ମା’ ରାନ୍ଧୁଥିବା ବିଭିନ୍ନ ପାରମ୍ପରିକ ରେସିପିକୁ ନିଜେ ପରୀକ୍ଷାନିରୀକ୍ଷା କରୁଥିଲେ । ଅନ୍ୟଙ୍କୁ ଭଲ ଲାଗିଲେ ତାକୁ କାଗଜରେ ଉତାରି ଦେଉଥିଲେ । ବିବାହ ପରେ ତାଙ୍କର ଏହି ରୁଚିକୁ ସମର୍ଥନ କରିଥିଲେ ତାଙ୍କ ସ୍ୱାମୀ । ଫଳରେ ପାଖାପାଖି ୨୫୯ ପ୍ରକାର ପାରମ୍ପରିକ ରୋଷେଇକୁ ନେଇ ରଚନା କଲେ ଏକ ପୁସ୍ତକ “259 inherited recipes of Odisha” । ଏହି ପୁସ୍ତକ ତାଙ୍କର ଗତ ୧୦ ବର୍ଷର ସାଧନା ।

ପ୍ରକୃତି ଏବଂ ପ୍ରକୃତିର ପ୍ରତ୍ୟେକ ସୃଷ୍ଟିକୁ ଭଲ ପାଉଥିବା ମଣିଷ ରିତୁ ପଟ୍ଟନାୟକ, ସମାଜ ସେବାରେ ମଧ୍ୟ ରୁଚି ରଖନ୍ତି । ସଙ୍ଗୀତ ଓ ଫଟୋଗ୍ରାଫିରେ ବି ସେ ଅଗ୍ରାହୀ । ଏସବୁ ପରେ ବି ଖାଦ୍ୟ ରାନ୍ଧିବା ତାଙ୍କର ନିଶା, ଯେଉଁଥିରେ ସେ ଏବେବି ଶିଖିବା ଜାରି ରଖିଛନ୍ତି । ମାନବ ସେବା ହିଁ ମାଧବ ସେବାରେ ତାଙ୍କର ଅଟଳ ବିଶ୍ୱାସ ।ତେବେ ତାଙ୍କ ଲିଖିତ ପୁସ୍ତକ “259 inherited recipes of Odisha” ଅଧିକରୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚୁ ବୋଲି ଅଶା ପ୍ରକାଶ କରିଛନ୍ତି ଭୁବନେଶ୍ୱର ବାସିନ୍ଦା ଶ୍ରୀମତୀ ରିତୁ ପଟ୍ଟନାୟକ ।