ବିଦାୟୀ ବର୍ଷ ୨୦୨୨ରେ ଭିଜିଲାନ୍ସର ରିପୋର୍ଟ କାର୍ଡ : ୨୮୫ଟି ଅପରାଧିକ ମାମଲା ରୁଜୁ; ୧୭୪ କୋଟିରୁ ଅଧିକ ଟଙ୍କାର ସମ୍ପତି ଜବତ, ୨୦୦ ଗିରଫ

97

କନକ ବ୍ୟୁରୋ : ଓଡିଶା ଭିଜିଲାନ୍ସ ପକ୍ଷରୁ ୨୦୨୨ ମସିହାର ରିପୋର୍ଟ କାର୍ଡ ସାର୍ବଜନୀନ କରାଯାଇଛି । ରିପୋର୍ଟରେ ୨୦୨୨ରେ ଭିଜିଲାନ୍ସର ହିସାବ ନିକାଶର ସମୀକ୍ଷା କରାଯାଇଛି । ରିପୋର୍ଟ ଅନୁସାରେ ଭିଜିଲାନ୍ସ ବିଭାଗରେ ଚଳିତ ବର୍ଷ ମୋଟ ୨୮୫ ଅପରାଧିକ ମାମଲା ରୁଜୁ ହୋଇଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ୮୪ଟି ମାମଲା ପଞ୍ଜିକୃତ ହୋଇଥିବା ବେଳେ ଏ ବାବଦରେ ୧୭୪ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସମ୍ପତି ଜବତ ହୋଇଛି ।

ସେହିପରି ୧୧୮ଟି ଟ୍ରାପ ମାମଲାରେ ଲାଞ୍ଚ ନେବା ବେଳେ ୧୨୯ ଜଣ ଅଭିଯୁକ୍ତଙ୍କୁ ଧରିଛି ଭିଜିଲାନ୍ସ । ସେଥିରେ ଅଛନ୍ତି ୧୨୬ ସରକାରୀ କର୍ମଚାରୀ । ସେମାନଙ୍କ ଠାରୁ ୩୬ ଲ କ୍ଷ ୯୪ ହଜାର ଟଙ୍କା ଜବତ ହୋଇଛି । ଓଡିଶା ଭିଜିଲାନ୍ସ ଇତିହାସରେ ଟ୍ରାପ କେସରେ ୪ ଥର ସର୍ବାଧିକ ନଗଦ ଟଙ୍କା ଜବତ ହୋଇଛି । ୨୦୨୨ରେ ଜଣେ ବ୍ୟକ୍ତିଙ୍କ ଠାରୁ ସର୍ବାଧିକ ୧୦ ଲକ୍ଷ ଲାଞ୍ଚ ଟଙ୍କା ଜବତ ହେବା ଓଡିଶା ଭିଜିଲାନ୍ସରେ ପ୍ରଥମ ଘଟଣା ।

ଏହା ଛଡା ଚଳିତ ବର୍ଷ ୬୦ ଜଣ କ୍ଲାସ-ୱାନ ଅଫିସରଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରିଛି । ଯାହା ବିଗତ ୫ବର୍ଷରେ ସର୍ବୋଚ୍ଚ ବୋଲି ଭିଜିଲାନ୍ସର ରିପୋର୍ଟରେ ଦର୍ଶାଯାଇଛି । ୨୦୨୧ ମସିହାରେ ୪୬ ଜଣ ପ୍ରଥମ ଶ୍ରେଣୀ କର୍ମଚାରୀ, ୨୦୨୦ରେ ୫୩ ଜଣ, ୨୦୧୯ରେ ୪୯ ଜଣ ଓ ୨୦୧୮ରେ ୫୨ ଜଣ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ବିଦାୟୀ ବର୍ଷ ୨୦୨୨ରେ ଓଡିଶା ଭିଜିଲାନ୍ସ ୫୪୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ୨୮୫ଟି ମାମଲା ରୁଜୁ କରିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ୬୦ ଜଣ କ୍ଲାସ ୱାନ ଅଫିସର, ୫୩ ଜଣ କ୍ଲାସ-ଟୁ ଅଫିସର, ୨୨୭ ଜଣ ତୃତୀୟ ଶ୍ରେଣୀ କର୍ମଚାର, ୭ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ, ୩୮ ଜଣ ସରକାରୀ କର୍ମଚାରୀ ଓ ୧୫୯ ଜଣ ବେସରକାରୀ ବ୍ୟକ୍ତି । ସେହିପରି ୨ଶହ ଅଭିଯୁକ୍ତଙ୍କୁ ଭିଜିଲାନ୍ସ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ୪୭ ଜଣ ବିଭିନ୍ନ ବିଭାଗର ଇଂଜିନିୟର, ୩୧ ଜଣ ରାଜସ୍ୱ ଅଧିକାରୀ, ୨୦ ଜଣ ପୋଲିସ ଅଧିକାରୀ, ୧୩ ଜଣ ବନବିଭାଗ ଅଧିକାରୀ ଓ କର୍ମଚାରୀ ୧୨ ଜଣ ଡାକ୍ତର ଓ ୭ ଜଣ ଆଇସିଡିଏସ କର୍ମଚାରୀ ।