ଟ୍ରାଫିକ୍ ପୋଷ୍ଟରୁ ହଟିବ ରେଡ୍ ଲାଇଟ୍ । ଟ୍ରାଫିକ୍ ସମସ୍ୟା ଦୂରେଇବାକୁ ହେବ ବିକଳ୍ପ ବ୍ୟବସ୍ଥା । ରାଜଧାନୀ ହେବ ଅପରାଧମୁକ୍ତ : ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

340

କନକ ବ୍ୟୁରୋ: ଟ୍ରାଫିକ ପୋଷ୍ଟରୁ ହଟିବ ରେଡ ଲାଇଟ। ଲୋକଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଅପେକ୍ଷା କରିବାକୁ ପଡ଼ିବନି। ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ। ଓଭର ବ୍ରିଜ, ଆପ୍ରୋଚ୍ ରୋଡ ପରି ବ୍ୟବସ୍ଥା କରାଯିବ। ଖୁବ୍ ଶୀଘ୍ର ଏ ନେଇ ବିଭାଗ ସ୍ତରୀୟ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ଏହାସହ ଟ୍ୱିନସିଟି ମଧ୍ୟରେ ଯାତାୟାତ ସୁଗମ କରିବାକୁ ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପକୁ ଗୁରୁତ୍ୱ ଦିଆଯିବ । ରାଜ୍ୟ ବଜେଟ ସ୍ଥିତି ସମୀକ୍ଷା ପରେ ଦରକାର ପଡ଼ିଲେ କେନ୍ଦ୍ର ସରକାରଙ୍କ ସହଯୋଗ ନିଆଯିବ । ଡବଲ ଇଞ୍ଜିନ ସରକାର ନିଶ୍ଚିତ ଏଥିପାଇଁ ଓଡ଼ିଶାକୁ ସହଯୋଗ କରିବେ । ମେଟ୍ରୋ ଏକ ବଡ଼ ବ୍ୟବସ୍ଥା । ତାକୁ କିଭଳି ତ୍ୱରାନ୍ୱିତ କରାଯିବ, ବର୍ଷା ଦିନରେ କିଭଳି କାମ ଚାଲିବ, ସେନେଇ ଖୁବଶୀଘ୍ର ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ବୋଲି କହିଛନ୍ତି ମନ୍ତ୍ରୀ ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅପରାଧମୁକ୍ତ ରାଜଧାନୀ । ଅପରାଧମୁକ୍ତ ହେବ ରାଜ୍ୟର ସବୁ ସହରାଞ୍ଚଳ । ଅପରାଧ ନିୟନ୍ତ୍ରଣ ପାଇଁ ସବୁ କର୍ପୋରେସନ ଅଞ୍ଚଳରେ ଲାଗିବ ସିସିଟିଭି କ୍ୟାମେରା । ସବୁ ନିଗମକୁ ପୂର୍ଣ୍ଣ ଆଲୋକୀକରଣ ମଧ୍ୟ କରାଯିବ । ସେନେଇ ନଗର ଉନ୍ନୟନ ବିଭାଗ ଯୋଜନା ପ୍ରସ୍ତୁତ କରୁଛି ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।