ଯୁଦ୍ଧ ବଢ଼ାଉଛି ବଜାରରେ ଅସ୍ଥିରତା : ମହଙ୍ଗା ହେଲାଣି ଖାଇବା ତେଲ ଓ ଅନ୍ୟାନ୍ୟ ଖାଦ୍ୟ ଶସ୍ୟ

190

କନକ ବ୍ୟୁରୋ : ୟୁକ୍ରେନ ଉପରେ ରୁଷର ଆକ୍ରମଣ ଖାଦ୍ୟଶସ୍ୟ ଯୋଗାଣ ପ୍ରତି ବଡ ଧରଣର ବିପଦ ସୃଷ୍ଟି କରିଛି । ୟୁକ୍ରେନରୁ ବିଭିନ୍ନ ପ୍ରକରୀ ଖାଦ୍ୟସାମଗ୍ରୀ ମଗାଉଥିବା ୟୁରୋପ, ଆଫ୍ରିକା ଓ ଏସିଆ ମହାଦେଶର ବହୁ ଦେଶ ଚିନ୍ତିତ ହୋଇପଡିଛନ୍ତି । ଭାରତରେ ମଧ୍ୟ ଏହାର ପ୍ରଭାବ ପଡିଛି । ଗୋଟିଏ ସପ୍ତାହ ଭିତରେ ଖାଇବା ତେଲର ଦାମ ପ୍ରାୟ ୫୦ ଟଙ୍କା ବଢିଯାଇଛି । ଆମ ଦେଶରେ ୭୦ ପ୍ରତିଶତ ଖାଇବା ତେଲ ବିଦେଶରୁ ଆମଦାନୀ ହୋଇଥାଏ ।

ଏବେ ଯୁଦ୍ଧ ଯୋଗୁଁ ତେଲ ଆମଦାନୀ ବାଧାପ୍ରାପ୍ତ ହୋଇଛି । ଆଉ ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ସୂର୍ଯ୍ୟମୂଖୀ ତେଲ ୨୦ ପ୍ରତିଶତ ଆମଦାନୀ ହୁଏ । ଏହି ତେଲ ୟୁକ୍ରେନରୁ ଆସିଥାଏ । ଯୁଦ୍ଧ ପାଇଁ ତେଲ ଆମଦାନୀ ଏବେ ପ୍ରଭାବିତ ହୋଇଛି । ତେବେ ଓଡ଼ିଶା ବ୍ୟବସାୟୀ ମହାସଂଘ ଅଧ୍ୟକ୍ଷ ସୁଧାକର ପଣ୍ଡା ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶା ସିଧାସଳଖ ୟୁକ୍ରେନରୁ ତେଲ ମଗାଏ ନାହିଁ । ପଶ୍ଚିମବଙ୍ଗ ଓ ଆନ୍ଧ୍ର ମାଧ୍ୟମରେ ଓଡ଼ିଶା ତେଲ କିଣିଥାଏ ।

ତେବେ ବର୍ତମାନ ସୁଦ୍ଧା ଠିକ୍ ଭାବେ ସାମଗ୍ରୀ ଆସୁଛି କିନ୍ତୁ ସରକାର ଯଦି ଅନାବଶ୍ୟକ ଭାବେ ଏନଫୋର୍ସମେଂଟ ୱାର୍କ କରି ବ୍ୟସ୍ତ କରାଇବେ ତାହା ହେଲେ ବ୍ୟବସାୟୀ ମାନେ କେହି ଜିନିଷ ମଗାଇବେ ନାହିଁ । ବର୍ତମାନ ସୁଦ୍ଧା ତେଲର କୌଣସି ଅଭାବ ନାହିଁ ତେଣୁ ଭୟ କରିବାର ନାହିଁ ବୋଲି କହିଛନ୍ତି ସୁଧାକର ପଣ୍ଡା ।

ସେପଟେ, ୟୁକ୍ରେନ୍‌ର ଚାଷୀମାନେ ଭୟରେ ଘର ଛାଡ଼ି ଅନ୍ୟତ୍ର ପଳାୟନ କରୁଛନ୍ତି । ସେମ‌ାନେ ଫସଲ ପ୍ରତି ଧ୍ୟାନ ଦେଇପାରୁନାହାନ୍ତି । ବନ୍ଦରଗୁଡ଼ିକ ବନ୍ଦ ଥିବାରୁ ଗହମ ଓ ଅନ୍ୟାନ୍ୟ ଶସ୍ୟ ବାହାରକୁ ପଠାଇ ହେଉନାହିଁ। ବିଶ୍ବର ବହୁ ଦେଶ ସେହି ସାମଗ୍ରୀ ମଗାଇ ପାଉଁରୁଟି, ନୁଡୁଲ୍‌ସ ଓ ପଶୁ ଖାଦ୍ୟ ତିଆରି କରୁଥିଲେ । ଅନ୍ୟପକ୍ଷରେ ବିଶ୍ବର ଅନ୍ୟତମ ଶସ୍ୟ ରପ୍ତାନିକାରୀ ରୁଷ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକ କଟକଣା ଲଗାଇଥିବାରୁ ସେଠାରୁ ମଧ୍ୟ ଶସ୍ୟ ବାହାରକୁ ଯାଇପାରୁନାହିଁ । ଇତି ମଧ୍ୟରେ ଗହମ୍‌ ଦାମ୍ ୫୫% ବଢ଼ିସାରିଲାଣି ।

ଯଦି ଯୁଦ୍ଧ ଆହୁରି ଲମ୍ବା ହେବ ତେବେ ଆସନ୍ତା ଜୁଲାଇ ବେଳକୁ ଗହମର ଘୋର ଅଭାବ ଦେଖାଦେବ ବୋଲି ଆନ୍ତର୍ଜାତିକ ଶସ୍ୟ ପରିଷଦ ପକ୍ଷରୁ ଆକଳନ କରାଯାଉଛି । ଏହା ଖାଦ୍ୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିବ ଏବଂ ବହୁ ଲୋକ କ୍ଷୁଧା କବଳରେ ପଡ଼ିବେ । ଇଜିପ୍ଟ ଓ ଲେବାନନ ଭଳି ସ୍ଥିତି ସୃଷ୍ଟି ହେବ। ରୁଷ ଓ ୟୁକ୍ରେନ ମିଳିତ ଭାବେ ବିଶ୍ବର ଏକ ତୃତୀୟାଂଶ ଗହମ ଓ ବାର୍ଲି ଆବଶ୍ୟକତା ପୂରଣ କରୁଥିଲେ। ୟୁକ୍ରେନ ମକା, ସନଫ୍ଲାୱାର ଅଏଲ୍ ମଧ୍ୟ ପଠାଉଥିଲା ।

ଗହମ ଅଭାବ ଦେଖାଦେଲେ ୟୁକ୍ରେନ୍‌ରୁ ୨,୪୦୦ କିମି ଦୂରରେ ରହୁଥିବା ଇଜିପ୍ଟବାସୀ କ୍ଷତିଗ୍ରସ୍ତ ହେବେ । ୟୁକ୍ରେନ ଗହମରୁ ପ୍ରସ୍ତୁତ ପାଉଁରୁଟିକୁ ସରକାର ରିହାତି ଦରରେ ଲୋକମାନଙ୍କୁ ଯୋଗାଇ ଦେଉଥିବାରୁ ଇଜିପ୍ଟ ଲୋକମାନେ ଖାଇବାକୁ ପାଉଛନ୍ତି । କେବଳ ଇଜିପ୍ଟ ନୁହେଁ ଲେବାନନ, ସିରିଆ, କେନିଆ, ନାଇଜେରି୍ରଆ, ଇଣ୍ଡୋନେସିଆ, ଇରାକ, ତୁର୍କୀ ଓ ସ୍ପେନ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହେବେ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି ।