ଆଜି ପବିତ୍ର ହେରାପଞ୍ଚମୀ : ମହାପ୍ରଭୁଙ୍କ ରଥ ଭାଙ୍ଗିବେ ଅଭିମାନିନୀ ମା’ ଲକ୍ଷ୍ମୀ

270

କନକ ବ୍ୟୁରୋ : ଆଜି ହେଉଛି ପବିତ୍ର ହେରା ପଞ୍ଚମୀ । ରଥଯାତ୍ରା ଆଦ୍ୟପର୍ବରେ ପାଳିତ ହେଉଥିବା ଏକ ବିଶେଷ ପର୍ବ । ଘୋଷଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ଛାଡି ଗୁଣ୍ଡିଚା ମନ୍ଦିର ଚାଲି ଯାଆନ୍ତି । ସାଥିରେ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ବୁଲି ଯାଆନ୍ତି ଗୁଣ୍ଡିଚା ମନ୍ଦିର । ହେଲେ ସାଙ୍ଗରେ ନେଇନଥାନ୍ତି ପତ୍ନୀ ମା’ ଲକ୍ଷ୍ମୀଙ୍କୁ । ଏହି ୯ ଦିନ ଶ୍ରୀମନ୍ଦିର ଶୂନଶାନ୍ ହୋଇଯାଏ । ରୋଷ ଘରେ ଆଉ ରୋଷେଇ ହୁଏ ନାହଁ । ଭକ୍ତଙ୍କ ଆଗମନ ମଧ୍ୟ ହୁଏନି ।

ଏହି ସମୟରେ ମା’ ଲକ୍ଷ୍ମୀଙ୍କ ନିମନ୍ତେ କଳମ ସାଗ ଆଉ ଡାଳୁଅ ଧାନ ଥୋଇ ଦେଇ ଘୋଷ ଯାତ୍ରାରେ ପଳାଇଥାନ୍ତି ପ୍ରଭୁ ଜଗନ୍ନାଥ । ଏହି ଦିନ ମା’ ଲକ୍ଷ୍ମୀ ଅଭିମାନ, ରାଗ ଏବଂ ଦୁଃଖରେ ବାହରନ୍ତି ନିଜ ସ୍ୱାମୀ ଶ୍ରୀ ଜଗନ୍ନାଥଙ୍କୁ ଖୋଜିବା ପାଇଁ । ଲୁଚି ଲୁଚି ଆସି ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ଥିବା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ନିକଟରେ ଅଟକି ଯାଆନ୍ତି । ସାରଥିକୁ ପଚାରନ୍ତି ମହାପ୍ରଭୁ କୋଉଠି ଅଛନ୍ତି ।

ସାରଥୀ ଏହାର ଉତର ନ ଦେବାରୁ ରାଗରେ ରଥ କାଠ ଭାଙ୍ଗି ଦିଅନ୍ତି ମା’ ଲକ୍ଷ୍ମୀ । ଏହାପରେ ମନ୍ଦିର ଭିତରକୁ ଯାଇ ସାଥିରେ ନେଇଥିବା କର୍ପୂର ଚୂର୍ଣ୍ଣକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ଫିଙ୍ଗି ଦେଇ ସେଠାରୁ ପଳାଇ ଆସନ୍ତି । ନିଜ ସ୍ୱାମୀଙ୍କୁ ବସିଭୂତ କରିବା ପାଇଁ ମା’ ବିମଳାଙ୍କ ଠାରୁ ସାଙ୍ଗରେ ନେଇଥାନ୍ତି ଏହି କର୍ପୂର ଚୂର୍ଣ୍ଣ । ସେଥିପାଇଁ ଏହା ପରଦିନ ହିଁ ରଥକୁ ବୁଲାଇ ଦିଅନ୍ତି । ଯାହାକୁ ରଥର ଦକ୍ଷିଣ ମୋଡ କୁହାଯାଏ ।