ଗଡୁନି ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ : ୩ ଦିନ ହେଲା ବଡଦାଣ୍ଡରେ ତିନି ଠାକୁର; ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମହଲରେ ତ୍ରୀବ ଅସନ୍ତୋଷ

657

କନକ ବ୍ୟୁରୋ : ଗଡୁନି କେନ୍ଦ୍ରାପଡ଼ାର ଶ୍ରୀସିଦ୍ଧବଳଦେବଜିଉଙ୍କ ବ୍ରହ୍ମତାଳଧ୍ୱଜ ରଥ । ଶ୍ରୀଗୁଣ୍ଡିଚାର ତିନି ଦିନ ପରେ ବି ମାଉସୀମା ମନ୍ଦିରରେ ପହଞ୍ଚି ପାରୁନି । ରଥ ମୋଡ ବିଦ୍ୟୁତ୍ ଖୁଣ୍ଟ, ଡ୍ରେନ୍ ଉପରକୁ ମାଡି ରହି ଯାଇଛି । ପ୍ରଶାସନର ସତ ଚେଷ୍ଟା ପରେ ବି ରଥ ଗଡ଼ିବା ସମ୍ଭବ ହୋଇପାରିନାହିଁ । ପାରାଦୀପରୁ ରେଳବାଇ କର୍ମଚାରୀ ଆସି ଜାକ୍ ସାହାଯ୍ୟରେ ରଥକୁ ଆଗକୁ ଗଡେଇବା ପାଇଁ ଉଦ୍ୟମ କରିଛନ୍ତି । ଆଜି ଦିନ ୧୦ଟାରୁ ପୁଣି ଥରେ ରଥ ଟଣା ଆରମ୍ଭ ହେବ । ଶ୍ରୀଗୁଣ୍ଡିଚାରୁ ତିନି ଦିନ ପରେ ବି ରଥାରୁଢ ଚତୁର୍ଦ୍ଧାମୂର୍ତି ମାଉସୀ ମା’ ମନ୍ଦିର ପାଖରେ ପହଞ୍ଚି ନପାରିବାରୁ ବିଗତ ବହୁ ବର୍ଷର ପରମ୍ପରା ଭଙ୍ଗ ହୋଇଥିବା ଚର୍ଚ୍ଚା ହେଉଛି ।

ସାରା ରାଜ୍ୟରେ ତୁଳସୀକ୍ଷେତ୍ର ଭାବେ ପରିଚିତ କେନ୍ଦ୍ରାପଡ଼ାର ପ୍ରଭୁ ସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରାରେ ଏକ ସ୍ୱତନ୍ତ୍ର ପରମ୍ପରା ରହିଛି । ଏଠାରେ ଶ୍ରୀଗୁଣ୍ଡିଚା ପରଦିନ ବ୍ରହ୍ମ ତାଳଧ୍ୱଜ ରଥ ମାଉସୀ ମା’ ମନ୍ଦିରରେ ପହଂଚିଥାଏ । ତେଣୁ ଶୁକ୍ରବାର ଅନୁଷ୍ଠିତ ଶ୍ରୀଗୁଣ୍ଡିଚାର ହଜାର ହଜାର ଭକ୍ତ ମାତ୍ର ଶହେ ମିଟର ରଥ ଟାଣି ଆଗକୁ ନେଇଥିଲେ । ଦେବୋତର କାର୍ଯ୍ୟାଳୟ ନିକଟରେ ରଥ ଅଟକି ରହିଥିଲା । ପରେ ଶନିବାର ଦିନ ପୁଣି ଥରେ ରଥ ଟଣା ହୋଇଥିଲା । ହେଲେ ରଥ ମୋଡ ନେଇ ବଡ଼ଦାଣ୍ଡ ପାଖ ବିଦ୍ୟୁତ୍ ଖୁଣ୍ଟରେ ଲାଗି ଯାଇଥିଲା । ଏହା ପରେ ରବିବାର ରଥ ଟଣା ହେବ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା ।