କଂଗ୍ରେସ ସଭାପତି ନିର୍ବାଚନ: ଦ୍ୱନ୍ଦ୍ୱ ବଢାଉଛନ୍ତି ଅଶୋକ ଗେହଲଟ; ଆଜି ସୋନିଆଙ୍କୁ ଭେଟିବା ପରେ ସ୍ପଷ୍ଟ ହେବ କରିବେ ନା ନାହିଁ ନାମାଙ୍କନ

63

କନକ ବ୍ୟୁରୋ : ଯେତେ ପାଖେଇ ଆସୁୁଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ସେତେ ବଢୁଛି ସସପେନ୍ସ । ଦିଲ୍ଲୀ ଦରବାରରେ ଅଶୋକ ଗେହଲଟ ପହଞ୍ଚିଛନ୍ତି । ଆଜି ସୋନିଆଙ୍କୁ ଭେଟିବା ପରେ କରିବେ ନା ନାହିଁ ନାମାଙ୍କନ ସ୍ପଷ୍ଟ ହେବ । ରାଜସ୍ଥାନ ରାଜ‌ନୈତିକ ସଙ୍କଟ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ସଭାପତି ନିର୍ବାଚନ ନେଇ ଦ୍ବନ୍ଦ୍ବ ବଢ଼ାଇ ଚାଲିଛନ୍ତି । ଗେହଲଟଙ୍କ ବିଶ୍ବସ୍ତଙ୍କ ବିଦ୍ରୋହ ପରେ ଗେହଲଟ କଂଗ୍ରେସ ସଭାପତି ନିର୍ବାଚନ ଦୌଡ଼ରୁ ବାଦ୍‌ ପଡ଼ିପାରନ୍ତି ବୋଲି କୁହାଯାଉଥିଲା । କିନ୍ତୁ ବି‌ଦ୍ରୋହ ପାଇଁ ଦଳ ଗେହଲଟଙ୍କୁ ଦାୟୀ କରିନି । ତେଣୁ ‌ସେ ଏବେ ବି ତାଲିକାରୁ ବାଦ୍‌ ପଡ଼ିନାହାନ୍ତି ।

ଇତି ମଧ୍ୟରେ ଗେହଲଟ ଆଜି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବେ । ଗେହଲଟଙ୍କ ଘନିଷ୍ଠ ମନ୍ତ୍ରୀ ପ୍ରତାପ ସିଂହ କହିଛନ୍ତି, କଂଗ୍ରେସ ଅଶୋକ ଗେହଲଟଙ୍କ ନେତୃତ୍ବରେ କାମ କରିବ । ଗେହଲଟ ଆଜି ଇସ୍ତଫା ଦେଉନାହାନ୍ତି କି ଭବିଷ୍ୟତରେ ମଧ୍ୟ ଦେବେ ନାହିଁ । ମନ୍ତ୍ରୀ ବିଶ୍ବେନ୍ଦ୍ର ସିଂହ ମଧ୍ୟ ସମାନ ମତ ଦେଇଥିବାରୁ ଗେହଲଟ ସଭାପତି ନିର୍ବାଚନ ଲଢ଼ିବେନି ବୋଲି ଏଥିରୁ ସଙ୍କେତ ମିଳୁଛି । ନିର୍ବାଚନ ରେସରେ ଥରୁର, ପୱନ ବଂସଲଙ୍କ ପରେ ଦିଗବିଜୟଙ୍କ ନାଁ ଯୋଡା ହୋଇଛି । ଆସନ୍ତାକାଲି ଦିଗ୍‌ବିଜୟ ସିଂହ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି । ଦିଗ୍‌ବିଜୟ କହିଛନ୍ତି, ମୁଁ ପ୍ରାର୍ଥିପତ୍ର ଦାଖଲ କରିବା ନେଇ ଗଭୀର ଭାବେ ଚିନ୍ତା କରୁଛି । କିନ୍ତୁ ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ ।