ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି । ଟୁଇଟରରେ ପ୍ରତିକ୍ରିୟା ରଖିଲେ ରାହୁଲ ଗାନ୍ଧୀ । କହିଲେ, ଯାହା ହେଇଯାଉ ପଛେ……

285

କନକ ବ୍ୟୁରୋ: ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି । ମୋଦୀ ସାଙ୍ଗିଆ ମାମଲାରେ ରାହଲୁଙ୍କ ଉପରେ ହୋଇଥିବା ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ । ଗୁଜୁରାଟ ତଳ କୋର୍ଟଙ୍କ ରାୟ ଉପରେ ସର୍ବୋଚ୍ଚ ଅଦାଲତ ରହିତାଦେଶ ଲଗାଇଛନ୍ତି । ତେବେ ଏହାପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧୀ ।

ଟୁଇଟ୍ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ଯାହା ବି ହେଇଯାଉ ପଛେ, ମୋ କର୍ତ୍ତବ୍ୟ ସେୟା ହିଁ ରହିବ । ଭାରତର ବିଚାରକୁ ରକ୍ଷା କରିବା ମୋର କର୍ତ୍ତବ୍ୟ । ତେବେ ଗତ ମାର୍ଚ୍ଚ ମାସ ୨୩ ତାରିଖରେ ଗୁଜରାଟ ସୁରତ କୋର୍ଟ ମୋଦୀ ସାଙ୍ଗିଆ ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା । ଏଥିପାଇଁ ରାହୁଲଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ହେଲେ ଏବେ ଦେଶର ସର୍ବୋଚ୍ଚ ଅଦାଲତ ଏହି ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଛନ୍ତି ।

ସୁପ୍ରିମକୋର୍ଟର ଖଣ୍ଡପୀଠ କହିଛନ୍ତି ମାମଲାର ଚୂଡାନ୍ତ ଶୁଣାଣି ନ ଆସିବା ଯାଏଁ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି ରହିବ । ପୂର୍ବରୁ ମୋଦୀ ସାଙ୍ଗିଆ ମାମଲାରେ ରାହୁଲଙ୍କୁ ସୁରଟ ସେସନ କୋର୍ଟ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ତଳ କୋର୍ଟଙ୍କ ରାୟକୁ ରାହୁଲ ଗୁଜୁରାଟ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ । ହେଲେ ଗୁଜୁରାଟ ହାଇକୋର୍ଟ ତଳ କୋର୍ଟଙ୍କ ରାୟକୁ କାଏମ ରଖିବା ପରେ ସୁପ୍ରିମକୋର୍ଟ ଯାଇଥିଲେ ରାହୁଲ ଗାନ୍ଧୀ । ଆଉ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ରାହୁଲ ଗାନ୍ଧୀଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି ।