ବରଗଡରେ ମଣ୍ଡିରେ ନଷ୍ଟ ହେଉଛି ଲକ୍ଷ ଲକ୍ଷ କ୍ୱିଣ୍ଟାଲ ଧାନ । ବର୍ଷାରେ ଓଦା ଧାନକୁ ଖାଉଛନ୍ତି ଗାଇଗୋରୁ

81

କନକ ବ୍ୟୁରୋ: ଅଦିନିଆ ବର୍ଷା ଯୋଗୁ ବରଗଡ଼ ଜିଲ୍ଲାରେ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜିଲ୍ଲା ଯୋଗାଣ ବିଭାଗର ଅବହେଳା ଯୋଗୁଁ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଲକ୍ଷାଧିକ ବସ୍ତା ଧାନ ପଡି ରହିଥିବା ବେଳେ ଅଦିନିଆ ବର୍ଷାରେ ତାହା ଭିଜି ଯାଇଛି। ତେବେ ଓଦା ଧାନ ଏବେ ନଷ୍ଟ ହେବାକୁ ଲାଗିଥିବା ବେଳେ ଗାଈ ଗୋରୁ ଖାଉଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଅନ୍ୟପଟେ ଯଥାଶୀଘ୍ର ପଡିରହିଥିବା ଧାନ ଉଠାଯିବା ସହ କ୍ଷୟକ୍ଷତିର ଆକଳନ ପରେ ଯାହା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ।

ବରଗଡ ଜିଲ୍ଲା ଭୁକ୍ତା ମାର୍କେଟ ୟାର୍ଡର ଅବସ୍ଥା ଏମିତି ଯେ, ଏହାକୁ ଦେଖିବାକୁ ପରେ ଚାଷୀଙ୍କ ଦୁର୍ଦଶା କଥା ଆଉ କହିବାକୁ ପଡିବନି । ଲକ୍ଷାଧିକ କ୍ୱିଣ୍ଟାଲ ଧାନ ଓଦା ହୋଇ ମଣ୍ଡିରେ ପଡି ରହିଛି । ପାଣି-କାଦୁଅରେ ପଚ୍ ପଚ୍ ହେଉଛି । ଗୋଟିଏ ପଟେ ଚାଷୀ ଓଦା ଧାନକୁ ସାଉଁଟିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ ଗାଇ ଓଦା ଧାନ ଖାଉଥିବା ଦେଖିବାକୁ ମିଳୁଛି । ତେବେ ପ୍ରଶାସନ ମନ୍ଥର ଗତିରେ ଧାନ ସଂଗ୍ରହ କରୁଥିବାରୁ ଏଭଳି ସମସ୍ୟା ଭୋଗିବାକୁ ପଡୁଥିବା ଚାଷୀ ଅଭିଯୋଗ କରିଛନ୍ତି । ତେବେ ମାର୍କେଟ୍ ୟାର୍ଡରେ ଥିବା ଧାନକୁ ବିନା କଟନୀ ଛଟନୀରେ ଉଠାଇବା ପାଇଁ ଯୋଗାଣ ଅଧିକାରୀଙ୍କ ପାଖରେ ଚାଷୀ ଦାବି କରିଛନ୍ତି

ନଭେମ୍ବର ୨୫ ତାରିଖରୁ ବରଗଡ ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ଏବେ ସୁଦ୍ଧା ୪୧ ଲକ୍ଷ କ୍ୱିଣ୍ଟାଲ ଧାନ କିଣା ଯାଇଛି, ବିଭିନ୍ନ ମଣ୍ଡିରେ ୪ ଲକ୍ଷ ଟଙ୍କାର ଧାନ ପଡିରହିଛି ବୋଲି ଯୋଗାଣ ବିଭାଗ କହୁଛି । ହେଲେ ଚାଷୀଙ୍କ ହିସାବ କହୁଛି, ଏବେ ବି ବିଭିନ୍ନ ମଣ୍ଡିରେ ୧୧ ଲକ୍ଷରୁ ଅଧିକ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ଅପେକ୍ଷା କରିଛନ୍ତି । ଧାନ କିଣିବା ପାଇଁ ଯଥାଶୀଘ୍ର ପ୍ରଶାସନ ବ୍ୟବସ୍ଥା ନକଲେ ଚାଷୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଯୋଗାଣ ଅଧିକାରୀ କହିଛନ୍ତି ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ।