ଶ୍ରୀମନ୍ଦିର ଭିତରର ଭିଡିଓ ଭାଇରାଲ । ସୋସିଆଲ ମିଡିଆରେ ଘୁରି ବୁଲୁଛି ଭିତର ବେଢ଼ା ଓ ଆଡ଼ପ ମଣ୍ଡପର ଦୃଶ୍ୟ । ସିଂହଦ୍ୱାର ଥାନାରେ ମାମଲା ରୁଜୁ

ରୋହିତ ଜୟସ୍ୱାଲ ନାମକ ବ୍ୟକ୍ତିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ ହୋଇଛି ଭିଡିଓ 

6,101

କନକ ବ୍ୟୁରୋ: ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ଧାମ । ଆଉ ଏତିକିବେଳେ ସାମନାକୁ ଆସିଛି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥ୍ାରେ ସାଂଘାତିକ ତ୍ରୁଟି । ସୋସିଆଲ ମିଡିଆରେ ଘୁରି ବୁଲୁଛି ଶ୍ରୀମନ୍ଦିର ଭିତର ବେଢ଼ା ଓ ଆଡପ ମଣ୍ଡପର ଦୃଶ୍ୟ  । ରୋହିତ ଜୟସ୍ୱାଲ ନାମକ ଜଣେ ଯୁବକ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେହି ଭିଡିଓ ପୋଷ୍ଟ କରିଛନ୍ତି । ତେବେ କଡା ସୁରକ୍ଷା ବ୍ୟବସ୍ଥା ସତ୍ୱେ ଜୟସ୍ୱାଲ କେମିିତି ମନ୍ଦିର ଭିତରେ ଭିଡିଓ ସୁଟ୍ କଲେ ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

  • ଶୀମନ୍ଦିର ସୁରକ୍ଷାରେ ତ୍ରୁଟି
  • ମନ୍ଦିର ଭିତର ବେଢ଼ାର ଭିଡିଓ ଭାଇରାଲ 
  • ଥାନାରେ ମାମଲା, ଅଭିଯୁକ୍ତଙ୍କୁ ନୋଟିସ୍ 

ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ ହେବା ପରେ, ଅଭିଯୁକ୍ତ ବିରୋଧରେ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଛି । ଆଉ ଆସନ୍ତା ୩ ତାରିଖରେ ଥାନାରେ ହାଜର ହେବାକୁ ନୋଟିସ୍ ଦିଆଯାଇଥିବା ସୂଚନା ମିଳିଛି ।

ରଥଯାତ୍ରା ଆରମ୍ଭରୁ ମହାପ୍ରଭୁଙ୍କ ନୀତିରେ ବାରମ୍ବାର ବିଭ୍ରାଟ ଦେଖିବାକୁ ମିଳିଛି । ପ୍ରଥମ ଦିନରେ ଶରଧାବାଲିରେ ନନ୍ଦିଘୋଷ ଓ ଦର୍ପଦଳନ ନପହଁଚିବା, ଦ୍ୱିତୀୟ ଦିନରେ ନୀତି ବିଳମ୍ବ ହେବା, ତାପରେ ଠାକୁର ଅନିଦ୍ରା ହେବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । କହିଛନ୍ତି, ଚଳିତ ବର୍ଷ ବିଶୃଙ୍ଖଳା ସୀମା ଉଲଂଘନ କରିଛି । ତେବେ ରଥ ଦାୟିତ୍ୱରେ ଥିବା ଅଧିକାରୀମାନେ  ବାହୁଡା ଯାତ୍ରା ଓ ସୁନାବେଶ ସଠିକ୍ ସମୟରେ ଶୃଙ୍ଖଳିତ ଭାବେ ହେବ ବୋଲି ଭକ୍ତଙ୍କୁ ଆଶ୍ୱାସନା ଦିଅନ୍ତୁ ।

ତିନି ରଥର ଦକ୍ଷିଣ ମୋଡ ପରେ ଏବେ ବାହୁଡା ପ୍ରସ୍ତୁତି ଚାଲିଛି । ଆସନ୍ତାକାଲି ସଂଧ୍ୟା ଦର୍ଶନ । ଆଡପ ମଣ୍ଡପରେ ସଂଧ୍ୟା ଦର୍ଶନର ଶେଷ ଦର୍ଶନ ଦେବେ ମହାପ୍ରଭୁ । ଆଉ ପ୍ରଭୁଙ୍କ ଦର୍ଶନ ପାଇଁ ଲାଗିବ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ । ଭିଡକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।