ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ବଢିଲା ଚର୍ଚ୍ଚା । ଅର୍ଥ ବିଭାଗ ପକ୍ଷରୁ ଅତିରିକ୍ତ ବଜେଟକୁ ନେଇ ପ୍ରସ୍ତୁତି ଆରମ୍ଭ । ପ୍ରତିକ୍ରିୟାରେ ବିରୋଧୀ କହିଲେ…

1,664

କନକ ବ୍ୟୁରୋ: ରାଜ୍ୟରେ ବଢ଼ିଲା ଆଗୁଆ ନିର୍ବାଚନ ସମ୍ଭାବନା । ବିଶେଷ କରି ରାଜ୍ୟରେ ଅତିରିକ୍ତ ବଜେଟ୍ ନେଇ ଅର୍ଥ ବିଭାଗର ଚିଠି ପରେ ଏହି ସମ୍ଭାବନା ଅଧିକ ବଢ଼ିଛି । ଆଉ ଏବେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ବିଜେପି କହିଛି, ଅତିରିକ୍ତ ବଜେଟ୍ ଆଣିବା ଏକ ପ୍ରହେଳିକା । ଆଉ ଏହା ଆଗୁଆ ନିର୍ବାଚନର ସଂକେତ ଦେଉଛି । ତେବେ ଆଗୁଆ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ଥିବା କହିଛନ୍ତି ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ବିଜେଡି କହିଛି, କେନ୍ଦ୍ର ସରକାର ଯେଉଁଭଳି ତତ୍ପରତା ଦେଖାଉଛନ୍ତି, ତାହା ଆଗୁଆ ନିର୍ବାଚନର ସମ୍ଭାବନାକୁ ବଢ଼ାଇ ଦେଇଛି । ତେବେ ଓଡ଼ିଶାରେ ଆଗୁଆ ନିର୍ବାଚନ ହେବ କି ନାହିଁ, ତାହା ଉପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତିି ନେବେ । ଅନ୍ୟପଟେ ଆଗୁଆ ନିର୍ବାଚନ ସମ୍ଭାବନାକୁ ଖଣ୍ଡନ କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଚଳିତ ବର୍ଷ ନିର୍ବାଚନ ବର୍ଷ ଥିବାରୁ ସରକାର ଅତିରିକ୍ତ ବଜେଟ୍ ଆଗତ କରି ଜନତାଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରିବେ । ସାଲୁଜା ଆହୁରି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଡ୍ରିମ୍ ପ୍ରୋଜେକ୍ଟ ହେଉଛି ରାମ ମନ୍ଦିର । ରାମ ମନ୍ଦିର ୨୦୨୪ ଜାନୁଆରୀ ମାସରେ ଉଦଘାଟିତ ହେବ । କେନ୍ଦ୍ର ସରକାର ଏହାକୁ ଆଧାର କରି ନିର୍ବାଚନ ଲଢ଼ିବେ । ତେଣୁ ଫେବୃଆରୀ ଓ ମାର୍ଚ୍ଚରେ ସାଧାରଣ ନିର୍ବାଚନ ସହ ଓଡ଼ିଶାରେ ମଧ୍ୟ ବିଧାନସଭା ନିର୍ବାଚନ ହେବ । ତେଣୁ ଆଗୁଆ ନିର୍ବାଚନର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ସାଲୁଜା ।