ଚମତ୍କାର ଢଙ୍ଗରେ ଜୀବନ ଦର୍ଶନର କଥା କହିଲେ ରାଷ୍ଟ୍ରପତି, ବ୍ୟକ୍ତି ପରିବର୍ତ୍ତନ ହେଲେ ସମାଜ ହୁଏ ପରିବର୍ତନ

163

କନକ ବ୍ୟୁରୋ : ଅତି ଚମତ୍କାର ଢଙ୍ଗରେ ଜୀବନ ଦର୍ଶନର କଥା କହିବା ସହ ଶାନ୍ତି, ପ୍ରେମ, ସଦଭାବ ଓ ଆଧ୍ୟାତ୍ମିକ ମାର୍ଗରେ ପରିିଚାଳିତ ହେବା ପାଇଁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶା ଗସ୍ତର ଶେଷ ଦିନରେ ତମାଣ୍ଡୋ ବ୍ରହ୍ମକୁମାରୀ କେନ୍ଦ୍ରରେ ନିଜର ଅଭିଭାଷଣ ରଖିଛନ୍ତି । କହିଛନ୍ତି- ବସ୍ତୁବାଦୀ ଦୁନିଆରେ ଆମେ ସମସ୍ତେ ବିଭିନ୍ନ ଦ୍ରବ୍ୟର ମୋହରେ ପଡୁଛେ । କିନ୍ତୁ ଜୀବନର ଶେଷ ସମୟରେ ଶରୀରରେ ସାମର୍ଥ୍ୟ ନଥାଏ    । ଏଭଳି ସମୟରେ କେବଳ ସାହା ହୁଏ, ଆଧ୍ୟାତ୍ମିକତ ଚେତନାର ଶକ୍ତି ।

(ମୁଁ ବହୁତ ଲୋକଙ୍କୁ ଦେଖିଛି, ମୋ ସାମ୍ନାରେ ବହୁତ ଲୋକ କାନ୍ଦିଛନ୍ତି, ମୁଁ ମଧ୍ୟ କାନ୍ଦିଛି । ପୁଅ ଯଦି ଯୋଗ୍ୟ, ଧନ ରଖିବ କାହା ପାଇଁ? ପୁଅ ଯଦି ଅଯୋଗ୍ୟ ଧନ ରଖିବ କାହା ପାଇଁ? ମୁଁ ଅନୁଭବ କଲି ଏ ସବୁ ଭୌତିକ ଜିନିଷରେ କିଛି ଆକର୍ଷଣ ନାହିଁ । ମୁଁ ଛୋଟ ଥିବା ସମୟରେ ଖାତାରେ ଲେଖି ରଖୁଥିଲି । ମଣିଷର ଜୀବନ ଏକ ପିଆଜ ଭଳି, ଯେତେବେଳେ ଛଡ଼ାଇ ଛଡ଼ାଇ ଯିବ, ତା ଭିତରେ କିଛି ନଥିବ । ମଣିଷ ଜୀବନ ଏକ ପାନିଆଁ ଭଳି, ଯେତେବେଳେ ଚୁଟି ସବୁ ପଡ଼ିଯିବ, ତା’ର କିଛି ଆବଶ୍ୟକତା ନାହିଁ । ଯେତେବେଳେ ବୟସ ହୋଇଯିବ, ସେତେବେଳେ ଭାରିଭରକମ୍ ଲୁଗାର, ଚକଚକିଆ ଲୁଗାର କିଛି ଆବଶ୍ୟକତା ନାହିଁ । ଗୋଟିଏ ଗାମୁଛା, ଦରକାର । କାହିଁକି ନା’ ତୁମେ ସମ୍ଭାଳି ପାରିବନି । ଯେତେବେଳେ ବୟସ ହୋଇଯିବ ତୁମର ଗୋଟିଏ ରୁଟି ବି ହଜମ ହେବ ନାହିଁ । ଯେତେବେଳେ ତୁମର ବୟସ ହୋଇଯିବ ଏହି ଘରର କିଛି ଆବଶ୍ୟକତା ନଥିବ )

ପରିବର୍ତନ ହେଉଛି ଏକ ନିରନ୍ତର ପ୍ରକ୍ରିୟା । ତେଣୁ ବ୍ୟକ୍ତି ବଦଳିଲେ ସମାଜ ବଦଳେ ବୋଲି କହିଛନ୍ତି ରାଷ୍ଟ୍ରପତି । କାରଣ ପରିବର୍ତନ ହେଉଛି ସଂସାରର ନିୟମ ।

(ପରିବର୍ତ୍ତନ ହିଁ ଅପରିବର୍ତ୍ତନୀୟ ପକ୍ରିୟା, ଅର୍ଥାତ ସବୁ ସମାଜରେ ସବୁ ସମୟରେ କିଛି ନା କିଛି ପରିବର୍ତ୍ତନ ସଂଘଠିତ ହେଉଛି । ପରିବର୍ତ୍ତନ ହିଁ ସଂସାରର ନିୟମ । ସମୟ ଓ ସମାଜ ନିରନ୍ତର ପରିବର୍ତ୍ତନ ପଥରେ ଗତି କରୁଥାଏ । କିନ୍ତୁ ସମୟ ଆପେ ଆପେ ବଦଳେ ନା ମଣିଷ ତାକୁ ବଦଳାଏ । ସମାଜ ବ୍ୟକ୍ତିକୁ ବଦଳାଏ ନା ବ୍ୟକ୍ତି ସମାଜକୁ ବଦଳାଏ । ସ୍ମରଣାତୀତ କାଳରୁ ଏହି ସବୁ ପ୍ରଶ୍ନ ପଚରାଯାଇ ଆସୁଛି । ତେବେ ବ୍ରହ୍ମକୁମାରୀ ସଂସ୍ଥାର ବିଚାର ଏହା ଯେ ବ୍ୟକ୍ତି ବଦଳିଲେ ସମାଜ ବଦଳିବ )

ନିଜକୁ କାହାରି ସହିତ ତୁଳନା ନକରି ଆତ୍ମ ଚିନ୍ତନ କରିବା ଓ ନକାରାତ୍ମକ ଭାବନାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

(ଆତ୍ମଚିନ୍ତନ ଅଭାବରୁ ହିଁ ଆମେ ନକରାତ୍ମକ ଚିନ୍ତନର ଶିକାର ହେବାକୁ ପଡ଼ୁଛି । ଆମକୁ ଲାଗୁଛି ଆମ ଭିତରେ ଇର୍ଷା ବଢ଼ି ବଢ଼ି ଚାଲିଛି । ମଣିଷର ପ୍ରାପ୍ତିର ଲାଳସାର ସୀମା ସରହଦ୍ ନାହିଁ । ମଣିଷ ଅର୍ଥ, ଜଶ, କ୍ଷମତା ଫଛରେ ଦୌଡ଼ି ଦୌଡ଼ି କ୍ଲାନ୍ତ । ଅପ୍ରାପ୍ତି ଜନିତ ଅଶାନ୍ତି ମଣିଷକୁ ଗ୍ରାସ କରିସାରିଛି । ଆଉ ଶାନ୍ତି ବା ଅଶାନ୍ତି ଭିତରୁ ଥରେ ମୁକ୍ତ ନହେଲେ ସୁଫଳ ସାତ୍ତ୍ୱିକ ଆନନ୍ଦ ମିଳିବନାହିଁ । ଏଣୁ ଆଜି ଆମ ଆଗରେ ସବୁଠାରୁ ବଡ଼ ଆହ୍ୱାନ ହେଉଛି ଏ ନକରାତ୍ମକ ଚିନ୍ତାରୁ ମୁକୁଳି ସକରାତ୍ମକ ଆଡ଼କୁ ଅଗ୍ରସର କରିବା । ଏଥିପାଇଁ ଏକ ବଳିଷ୍ଠ ମାର୍ଗଦର୍ଶନର ଆବଶ୍ୟକତା ରହିଛି )

ଗସ୍ତର ଶେଷ ଦିନରେ ତମାଣ୍ଡୋରେ ବ୍ରହ୍ମକୁମାରୀ କେନ୍ଦ୍ରର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ରାଷ୍ଟ୍ରପତି । ଦଶବାଟିଆରେ ଡିଭାଇନ୍ ଲାଇଟ୍ ହାଉସ୍ର କରିଛନ୍ତି ଶିଳାନ୍ୟାସ । ସେହିପରି ରାଜଭବନରେ ଜନଜାତି ସମୁଦାୟକୁ ଭେଟିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।