ଆସନ୍ତାକାଲି ସନ୍ଧ୍ୟାରେ ଜହ୍ନକୁ ଛୁଇଁବ ଭାରତ : ସାରା ବିଶ୍ୱ ରଖିଛି ନଜର; ଚନ୍ଦ୍ରଯାନର ସଫଳତା କାମନା କରି ଚାଲିଛି ପୂଜାର୍ଚ୍ଚନା

155

କନକ ବ୍ୟୁରୋ : ଚନ୍ଦ୍ରଯାନର ସଫଳ ଅବତରଣ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଚନ୍ଦ୍ରଯାନ-୩ର ସଫଳତା କାମନା କରି କୋଣାର୍କ ନବଗ୍ରହ ମନ୍ଦିରରେ ପୂଜାର୍ଚ୍ଚନା । ନିମାପଡା ମାତୃଶକ୍ତି ଫାଉଣ୍ଡେସନ ଟ୍ରଷ୍ଟ ବୋର୍ଡର ମହିଳାମାନେ ନବଗ୍ରହ ନିକଟରେ ପୂଜାର୍ଚ୍ଚନା କରିଛନ୍ତି । ଏହି ଅବସରରେ ଶ୍ରଦ୍ଧାଳୁମାନେ କହିଛନ୍ତି, ଦେଶର ବୈଜ୍ଞାନିକଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ।

ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ଅବତରଣ କରିବ, ସାରା ବିଶ୍ୱ ଦେଖିବ ଚନ୍ଦ୍ରରେ ଭାରତର ତ୍ରିରଙ୍ଗା ଉଡିବ । ଚନ୍ଦ୍ର ଏକ ଗ୍ରହ ହୋଇଥିବାରୁ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସୁରକ୍ଷିତ ଅବତରଣ ପାଇଁ ନବଗ୍ରହ ନିକଟରେ ପୂଜାର୍ଚ୍ଚନା କରାଯାଉଥିବା ଶ୍ରଦ୍ଧାଳୁ କହିଛନ୍ତି । ସେପଟେ ଦେଶର ବିଭିନ୍ନ ଦେବାଳୟରେ ଚନ୍ଦ୍ରଯାନ-୩ର ସଫ୍ଟ ଲାଣ୍ଡିଂ ପାଇଁ ପୂଜାର୍ଚ୍ଚନା ଚାଲିଥିବା ଦେଖିବାକୁ ମିଳିଛି ।

ସେପଟେ, ଚନ୍ଦ୍ରଯାନ-୩ର ସଫଳ ଅବତରଣ ପାଇଁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କାଏମା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର କୁନି କୁନି ପିଲାମାନେ ସ୍କୁଲ ପରିସରରେ ଚନ୍ଦ୍ରଯାନ-୩ର ଏକ ମୋଡେଲ ରଖି ଠାକୁରଙ୍କ ପୂଜାର୍ଚ୍ଚନା କରିଛନ୍ତି ।

ଚନ୍ଦ୍ରଯାନ-୩ ଅବତରଣ ସମୟ ପାଖେଇ ଆସୁଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉକ୍ରଣ୍ଠା ପ୍ରକାଶ ପାଇଛି । କିଛି ଦିନ ତଳେ ସ୍କୁଲର ବିଜ୍ଞାନ ମେଳାରେ ଚନ୍ଦ୍ରଯାନ-୩ର ଅବିକଳ ଆକୃତି ତିଆରି କରି ଚର୍ଚ୍ଚାକୁ ଆସିଥିଲେ କାଏମା ସ୍କୁଲର ଛାତ୍ର ସାଇରୁଦ୍ର ମହାରଣା ।