ଚର୍ଚ୍ଚାରେ ପ୍ରଣବଙ୍କ ସରକାରୀ କ୍ୱାର୍ଟର୍: ବିବାଦୀୟ ନିର୍ମାଣ ଭାଙ୍ଗିବାକୁ ନେଇ ତନାଘନା

440

କନକ ବ୍ୟୁରୋ: ସରକାରୀ କ୍ୱାର୍ଟର ଭିତରେ ତିଆରି କରିଥିଲେ ରହସ୍ୟମୟ ଓ ଆଲିସାନ ଘର । ଆଉ କ୍ଷମତା ଯିବା ପରେ ଏହି ଘରର ଏବେ ଭଙ୍ଗା ଚାଲିଛି । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭୁବନେଶ୍ୱର କ୍ୱାର୍ଟରରେ ଥିବା ରହସ୍ୟମୟ ଘର ଭଙ୍ଗା ଚାଲିଛି । ସରକାରୀ କ୍ୱାର୍ଟର ଭିତରେ ବବି ଦାସ ଆଲିସାନ ଘର ତିଆରି କରିଥିଲେ । ଅତ୍ୟାଧୁନିକ ସୁବିଧା ଥାଇ ଅଣ୍ଡରଗ୍ରାଉଣ୍ଡ ଘର ଥିଲା । ତେବେ କାହା ଅନୁମତିରେ ଏତେ ଟଙ୍କା ଖର୍ଚ୍ଚ କରାଯାଇ ଘର ତିଆରି ହୋଇଥିଲା ତାହା ବଡ ପ୍ରଶ୍ନ ସୃଷ୍ଟି କରିଛି । ଘଟଣା ପରେ ପ୍ରଣବ ପ୍ରକାଶ ଦାଶଙ୍କ ସରକାରୀ କ୍ୱାର୍ଟରରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଜି.ଏ ଅଧିକାରୀ । ବିବାଦ ପରେ ପ୍ରଣବ ବି ସାମ୍ନାକୁ ଆସି ସଫେଇ ଦେଇଛନ୍ତି ।

ପୂର୍ବତନ ବିଧାୟକ ତଥା ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍ ବବି ଦାସଙ୍କ ସରକାରୀ କ୍ୱାଟର । ପୂର୍ବ ସରକାରଙ୍କ ଅମଳରେ କ୍ଷମତା କେନ୍ଦ୍ରରେ ବେଶ ପ୍ରଭାବଶାଳୀ ଥିବା ପ୍ରଣବ, ନିଜ ସରକାରୀ ବାସଭବନକୁ ଏମିତି ବନାଇଥିଲେ ଯେ ଏହାକୁ ହ୍ୱାଇଟ୍ ହାଉସ ବୋଲି କୁହାଯାଉଥିଲା । ଏହି ଘର ପଛ ପଟେ ସେ ଟ୍ରି-ହାଉସ୍ ନିର୍ମାଣ କରିବା ସହ କୋଟି କୋଟି ଟଙ୍କା ବ୍ୟୟରେ ଭୂତଳ ପ୍ରାସାଦ ନିର୍ମାଣ କରିଥିଲେ । କିନ୍ତୁ ସରକାର ବଦଳିବା ପରେ ଯେତେବେଳେ ଘର ଛାଡ଼ିବାକୁ ନିର୍ଦ୍ଦେଶ ଆସିଲା, ସବୁ ନିର୍ମାଣକୁ ଭାଙ୍ଗି ଚୁରମାର କରି ଦିଆଯାଇଛି । ଆଜି ଦିନ ତମାମ ଏହି ଖବର ଗଣମାଧ୍ୟମର ଶିରୋନାମା ପାଲଟିବା ପରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଣବ ପ୍ରକାଶ ଦାଶ । କହିଛନ୍ତି-

ସେ ଯେପରି କ୍ୱାର୍ଟର ପାଇଥିଲେ ସେହିପରି ଫେରାଇବେ
ଦଳୀୟ କାମ ପାଇଁ ଅନେକ ଲୋକ ସରକାରୀ କ୍ୱାର୍ଟରକୁ ଆସୁଥିଲେ
ଆବଶ୍ୟକ ନିର୍ମାଣ ପାଇଁ ଅନୁମତି ନିଆଯାଇଥିଲା
ପ୍ରଣବ ପ୍ରକାଶଙ୍କ ଏପରି ଯୁକ୍ତିକୁ ଅନେକ ଗ୍ରହଣ କରିପାରିନାହାନ୍ତି । ପ୍ରଶ୍ନ ଉଠିଛି –
ସରକାରୀ କ୍ୱାର୍ଟରର ନବୀକରଣ ଓ ସଂପ୍ରସାରଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା?
ଆରଟିଆଇ ତଥ୍ୟ କହୁଛି ନବୀକରଣ ପାଇଁ ୯ ଲକ୍ଷ ଟଙ୍କା ଦିଆଯାଇଥିଲା
ତେବେ ନବୀକରଣ ନାଁରେ କାହିଁକି ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ କରାଯାଇଥିଲା?
ଭୂତଳ ଘର, ଟ୍ରି-ହାଉସ୍ ପାଇଁ ଅନୁମତି ଥିଲା କି?
ନିର୍ମାଣ ଭାଙ୍ଗିବା ପାଇଁ ଅନୁମତି ଦେଇଥିଲା କି ସାଧାରଣ ପ୍ରଶାସନ ବିଭାଗ?

ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁଙ୍କ କହିବା କଥା, ସରକାରୀ କ୍ୱାଟରରେ ଏପରି ନିର୍ମାଣ ଯେତିକି ବେଆଇନ, ତାକୁ ଭାଙ୍ଗିବା ସେତିକି ଆଇନ ବିରୁଦ୍ଧ । ଏପଟେ ଅଭିଯୋଗ ହୋଇଛି, ସାଧାରଣ ବିଧାୟକ ହୋଇଥିଲେ ବି ପୂର୍ବ ସରକାର ଅମଳରେ ଫାୱାରଫୁଲ ନେତା ହୋଇଥିବାରୁ ସରକାରୀ କ୍ୱାଟରକୁ ଆଲିସାନ ବଙ୍ଗଳା ଭଳି ସଜାଇଥିଲେ ବବି ଦାସ । ବାସଭବନ ପଛରେ କୋଟି କୋଟି ଟଙ୍କା ବ୍ୟୟରେ ଟ୍ରି-ହାଉସ୍, ଭୂତଳ ଘର ନିର୍ମାଣ କରିଥିଲେ । ଆଲୋକୀକରଣ ଓ ଇଂଟେରିୟରରେ ବିପୁଳ ବ୍ୟୟ କରାଯାଇଥିଲା । ଏପଟେ ବବି ଦାସଙ୍କ ସରକାରୀ କ୍ୱାର୍ଟରରେ ପହଂଚି ବାସଭବନ ଭିତରର ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଏ ଅଧିକାରୀ । ଅନୁଧ୍ୟାନ ପରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ।

ସରକାରୀ କ୍ୱାଟରରେ ହୋଇଥିବା ବିବାଦୀୟ ନିର୍ମାଣକୁ ଭଙ୍ଗାଯିବା ଘଟଣାରେ ପ୍ରତିକ୍ରିୟା ରଖିଛି ବିଜେପି । ଦଳର ମୁଖପାତ୍ର ଅନୀଲ ବିଶ୍ୱାଳ ପ୍ରେସ ମିଟ୍ କରି ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ସଂଗୀନ ଅଭିଯୋଗ କରିଛନ୍ତି । କହିଛନ୍ତି, ୨୪ ବର୍ଷ ଶାସନରେ ବିଜେଡିର ଆଉ ଏକ କେଳେଙ୍କାରୀ ସାମନାକୁ ଆସିଛି ।

ଏବେ ପ୍ରଶ୍ନ ଉଠୁଛି, ସରକାରୀ ବାସଭବନରେ ଏତେ ବିଶାଳ ନିର୍ମାଣ କାହିଁକି କରାଯାଇଥିଲା?
ନିର୍ମାଣକୁ ଭାଙ୍ଗି ଦେବା ପଛରେ କ’ଣ ରହିଛି ଉଦ୍ଦେଶ୍ୟ?