ଆଉ କେତେ ଦିନ ଏମିତି କଟିବ ବିଜୁଳି, ଉଠିଲା ପ୍ରଶ୍ନ : ଶକ୍ତିମନ୍ତ୍ରୀ ମିଛି କହୁଥିବା ବିଜେପିର ଅଭିଯୋଗ

135

କନକ ବ୍ୟୁରୋ : ଅସହ୍ୟ ଗରମରେ ସାରା ରାଜ୍ୟ ଆଉଟୁପାଉଟୁ ହେଉଥିବା ବେଳେ ଅଘୋଷିତ ବିଜୁଳି କାଟ ଲୋକଙ୍କ କଷ୍ଟ ବଢ଼ାଉଛି । କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ଅଧିକାଂଶ ସ୍ଥାନରେ ସମାନ ଅବସ୍ଥା ଦେଖିବାକୁ ମିଳିଛି । ମନ ଇଛା ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ କରୁଛନ୍ତି ବିତରଣ କମ୍ପାନୀ । ଆଉ ଅସହ୍ୟ ତାତିରେ ଦଣ୍ଡ ଭୋଗୁଛନ୍ତି ଉପଭୋକ୍ତା । ରାୟଗଡ଼ା, ନବରଙ୍ଗପୁର, ପୋଲସରା, ଭଦ୍ରକ, ଖୋର୍ଦ୍ଧା, ନିଆଳିରେ ସମାନ ଅବସ୍ଥା ଦେଖିବାକୁ ମିଳିଛି ।

ଦିନ ସମୟ ହେଉ କି ରାତି ବିଦ୍ୟୁତ କଟିବାରୁ ହନ୍ତସନ୍ତ ହେଉଛନ୍ତି ଲୋକେ । ତାତି ସାଙ୍ଗକୁ ଗୁଳୁଗୁଳି ଏହି ସମୟରେ ବିଦ୍ୟୁତ କାଟ ଲୋକଙ୍କୁ ଚଳିବା କଷ୍ଟକର ହୋଇପଡ଼ୁଛି । ଗାଁଠୁ ସହର ସବୁଠି ସମାନ ଅବସ୍ଥା ଭୋଗୁଛନ୍ତି ଉପଭୋକ୍ତା । ଅଘୋଷିତ ବିଦ୍ୟୁତ କାଟକୁ ନେଇ ଲୋକ ହନ୍ତସନ୍ତ ହେଉଥିବାବେଳେ, ମାନିବାକୁ ନାରାଜ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । କହିଛନ୍ତିି, ପାୱାରକଟ୍ କେଉଁଠି ହେଉନି ।

ବାରମ୍ବାର ଗଣମାଧ୍ୟମକୁ କହିଛି, ପାୱାରକଟ୍ ଶବ୍ଦ ବ୍ୟବହାର କରନ୍ତୁ ନାହିଁ । ପବନ ବହିଲେ ବିଦ୍ୟୁତ୍ କାଟିବାକୁ ବାଧ୍ୟ । କାଳବୈଶାଖୀ ଯେଉଁଭଳି ହେଉଛି, ଖୁଣ୍ଟ ଉପୁଡୁଛି । ଆଖି ପିଛୁଳାକେ ଏ କାମ ହୋଇଯିବନି । ଗୁରୁବାର କାଳବୈଶାଖୀ ପରେ ଘଣ୍ଟା ଘଣ୍ଟା ଲାଇନ କଟିବା ନେଇ ଟୁଇଟ୍ କରି ଉଦବେଗ ପ୍ରକାଶ କରିବା ପରେ, ଜରୁରୀ ବୈଠକ ଡାକିଛନ୍ତି, ମୁଖ୍ୟ ଶାସନ ସଚିବ । ରାଜ୍ୟରେ ବାରମ୍ବାର ବିଦ୍ୟୁତ୍ କାଟ ହେଉଥିବାରୁ ଏହାର କିପରି ସମାଧାନ କରାଯିବ ସେନେଇ ବୈଠକରେ ଆଲୋଚନା ହେବ ।