ରାଜ୍ୟ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ନେଇ ତେଜିଲା ରାଜନୀତି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି , ଅସନ୍ତୋଷ ପ୍ରକାଶ କଲା ଅଭିଭାବକ ମହାସଂଘ

164

କନକ ବ୍ୟୁରୋ: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ନେଇ ତେଜିଲା ରାଜନୀତି । କେନ୍ଦ୍ର ସରକାରଙ୍କ ୨୦୨୧-୨୨ଶିକ୍ଷାବର୍ଷର ପିଜିଆଇ ରିପୋର୍ଟରେ ଗତବର୍ଷ ତୁଳନାରେ ତଳକୁ ଖସିଛି ଓଡ଼ିଶା । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ପିଜିଆଇ ରିପୋର୍ଟ ରାଜ୍ୟ ସରକାରଙ୍କ ଆଇନା ବୋଲି କହିଛି ରାଜ୍ୟ ବିଜେପି ।

୨୩ବର୍ଷର ବିଫଳତାକୁ ଲୁଚାଇବା ପାଇଁ ନୂଆ ନୂଆ ମିଛ କଥା କହୁଛନ୍ତି, ପିଜିଆଇ ରିପୋର୍ଟରୁ ଏହା ସ୍ପଷ୍ଟ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକ ଲେଖାଶ୍ରୀ ସାମନ୍ତସିଂହାର । ଏହାର ଜବାବରେ ବିଜେଡି କହିଛି , ରାଜ୍ୟରେ ଶିକ୍ଷାର ମାନ କମି ନାହିଁ । ସ୍କୁଲ ଶିକ୍ଷା ଲାଗି କେନ୍ଦ୍ର ସରକାର ଏବଂ ତାଙ୍କର ଅନୁଶୀଳନ ସଂସ୍ଥା ପ୍ରଶଂସା କରିଛନ୍ତି । ଫାଇଭ-ଟି ଅଧିନରେ ରାଜ୍ୟରେ ସ୍କୁଲରେ ଡିଜିଟାଲ ପ୍ରୟୋଗ ଏବଂ ଭିତ୍ତିଭୂମି ବିକାଶ ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର । ସେହିପରି ଶିକ୍ଷାର ମାନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ।

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ବା ପିଜିଆଇ ୨.୦ରେ ପ୍ରକାଶ ପାଇଛି । ଯେଉଁଥିରେ ଓଡିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଏହି ପର୍ଫମାନ୍ସ ସର୍ଭେ ବେଳେ ଶିକ୍ଷଣ ଫଳାଫଳ ଓ ଗୁଣବତା, ବିଦ୍ୟାଳୟକୁ ପ୍ରବେଶ ସୁବିଧା, ଭିତିଭୂମି ଓ ଅନ୍ୟାନ୍ୟ ସୁବିଧା, ସମାନତା, ଶାସନ ପ୍ରକ୍ରିୟା ଓ ଶିକ୍ଷକ ଶିକ୍ଷା ଓ ତାଲିମ ବିଷୟକୁ ସାମିଲ କରାଯାଇଛି । ଯେଉଁଥିରେ ସର୍ଭେରେ ଓଡ଼ିଶା ବହୁ ପଛରେ ପଡ଼ିଛି । ୭୩ଟି ସୂଚକାଙ୍କ ଆଧାରରେ ୧୦୦୦ ପଏଣ୍ଟକୁ ନେଇ ୬ଟି ବର୍ଗରେ ମୂଲ୍ୟାୟନ ହୋଇଥିଲା । ସେଥିରୁ ଓଡ଼ିଶା ମାତ୍ର ୫୧୭.୧ ସ୍କୋର ହାସଲ କରି ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ମଧ୍ୟରୁ ୨୪ତମ ସ୍ଥାନରେ ରହିଛି । ତେବେ ଗୋଟିଏ ବର୍ଷ ମଧ୍ୟରେ କ’ଣ ଏମିତି ହେଲା ଯେ ଓଡ଼ିଶା ତଳକୁ ଖସିଗଲା ତାହା ଚିନ୍ତାଜନକ ।