ଫ୍ରାନ୍ସ ଜାତୀୟ ଦିବସ ପରେଡ଼ରେ ମୁଖ୍ୟ ଅତିଥି ଭାବେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ୧୪ବର୍ଷ ପରେ ପ୍ୟାରିସରେ ପରେଡ଼ କଲେ ଭାରତର ୩ ସେନା

169

କନକ ବ୍ୟୁରୋ : ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ନ୍ଧନା ଜଣାଇଛନ୍ତି ଫ୍ରାନ୍ସ ସରକାର । ଶ୍ରକ୍ରବାର ଫ୍ରାନ୍ସର ରାଷ୍ଟ୍ରୀୟ ଦିବସ ତଥା ‘ବ୍ୟାଷ୍ଟିଲ ଡେ’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦୁଇ ରାଷ୍ଟ୍ରର ମୁଖ୍ୟ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ପରସ୍ପରକୁ ଆଲିଙ୍ଗିନ କରୁଥିବା ଭିଡିଓ ସାମ୍ନାକୁ ଆସିଛି । ଯେଉଁ ଭିଡିଓକୁ ନିଜେ ଇମାନୁଏଲ ମାକ୍ରୋନ ଟୁଇଟରରେ ସେୟାର କରି କହିଛନ୍ତି । ‘୧୪ ଜୁଲାଇ ପରେଡ଼ରେ ଭାରତ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଆମ ପାଇଁ ଗର୍ବର ବିଷୟ । ବନ୍ଧୁ ଭାବେ ଦୁଇ ଦେଶ ଭବିଷ୍ୟତରେ ବିଶ୍ୱ ଇତିହାସରେ ବିଶାଳ ରଣନୀତିର ଭାଗିଦାରୀ ପାଳନ କରିବେ’ ସେପଟେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଶକ୍ତିଶାଳୀ ଏବଂ ବିଶ୍ୱାସଯୋଗ୍ୟ ଭାଗିଦାରୀ ପାଇଁ ଫ୍ରାନ୍ସ ନିକଟରେ ଭାରତୀୟ କୃତଜ୍ଞ । ବିଶ୍ୱରେ ଶାନ୍ତି, ସମୃଦ୍ଧି, ସ୍ଥିରତା ବଜାୟର ରଖିବାକୁ ଭାରତ ସର୍ବଦା ପ୍ରତିଶ୍ରୁତିବଦ୍ଧ ।

ଫ୍ରାନ୍ସଠୁ ୩୬ଟି ରାଫେଲ ଯୁଦ୍ଧବିମାନ କିଣିଥିବା ଭାରତ ଆଉ ୨୬ ଟି ମେରାଇନ ରାଫେଲ ଯୁଦ୍ଧବିମାନ କିଣିବାକୁ ଚୁକ୍ତି କରିଛି । ପୂର୍ବରୁ ବାୟୁସେନା ପାଇଁ ୩୬ ଟି ରାଫେଲ କିଣାଯାଇଛି । ନୌସେନା ପାଇଁ ବର୍ତ୍ତମାନ ୨୬ଟି ମେରାଇନ ରାଫେଲ କ୍ରୟ କରାଯିବ । ଆସନ୍ତା ୩ ବର୍ଷ ମଧ୍ୟରେ ଏହି ଯୁଦ୍ଧ ବିମାନଗୁଡିକ ଭାରତରେ ପହଂଚିବ । ଫ୍ରାନ୍ସର ବିମାନ ନିର୍ମାଣକାରୀ କମ୍ପାନୀ ‘ଡାସଲ୍ଟ ଏଭିଏସନ୍’ ଠାରୁ ଏସବୁ କିଣାଯିବ । ଏସବୁ ବିମାନ ଚଳାଇବା ପାଇଁ ଚାଳକଙ୍କୁ ଫ୍ରାନ୍ସ ପକ୍ଷରୁ ପ୍ରଶିକ୍ଷଣ ମଧ୍ୟ ଦିଆଯିବ । ଗୁରୁବାର ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଗସ୍ତରେ ଯିବା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଥିଲା ।

ପଶ୍ଚିମ ୟୁରୋପର ସବୁଠୁ ବଡ଼ ଦେଶ ଭାବେ ଗଣାଯାଉଥିବା ଫ୍ରାନ୍ସ ସହ ଭାରତର ରଣନୈତିକ ଭାଗୀଦାରିତାକୁ ୨୫ ବର୍ଷ ପୂରଣ ହୋଇଛି । ଆଉ ଫ୍ରାନ୍ସର ସହାୟତାରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଶକ୍ତିଶାଳୀ ହୋଇଛି । ବିଭିନ୍ନ ରାଷ୍ଟ୍ରମାନଙ୍କ ସହ ଭାରତର ଏଭଳି ବନ୍ଧୂୁତାପୂର୍ଣ୍ଣ ସମ୍ପର୍କ ଆଗାମୀ ଦିନରେ ଭାରତକୁ କେବଳ ପ୍ରତିରକ୍ଷା କ୍ଷେତ୍ରରେ ନୁହେଁ କୁଟନୀତିସ୍ତରରେ ମଧ୍ୟ ଅଧିକ ମଜବୁତ କରିବ ବୋଲି ଆଶା କରାଯାଉଛି ।