ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ’ ରେ ସ୍ଥାନ ପାଇଲେ ତାଞ୍ଜାନିଆର କଳାକାର, କାହିଁକି ପ୍ରଧାନମନ୍ତ୍ରୀ କଲେ ଏତେ ପ୍ରଶଂସା ?

131

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଧାରାବାହିକ କାର୍ଯ୍ୟକ୍ରମ ‘ମନ୍ କି ବାତ’ର ଚଳିତ ଏପିସୋଡରେ ଏମିତି ଦୁଇଜଣ କଳାକାର ସ୍ଥାନ ପାଇଛନ୍ତି ଯେ ଯାହାଙ୍କୁ ଆପଣ ଅନେକ ବାର ମୋବାଇଲରେ ଦେଖିଛନ୍ତି । ହେଲେ ସେମାନଙ୍କୁ ଦେଖି ଆପଣମାନେ ଅଶ୍ଚଯ୍ୟ ହେଉଥିଲେ କି ଏହି ବିଦେଶୀ କଳାକାର ଦୁଇଜଣ କିଭଳି ଭାରତୀୟ ହିନ୍ଦି ଫିଲ୍ମର ସଂଳାପ ଓ ଗୀତରେ ଅତି ନିଖୁଣ ଅଭିନୟ କରିପାରୁଛନ୍ତି । ଏବେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତରେ ସେମାନେ ସ୍ଥାନ ପାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେହି କଳାକାର ଭାଇଭଉଣୀଙ୍କୁ ଅନେକ ପ୍ରଶଂସା କରିଛନ୍ତି ।

ତାଞ୍ଜାନିଆର ଏହି କଳାକାର ଭାଇ ଭଉଣୀ ହେଉଛନ୍ତି କିଲି ପଲ ଓ ନିମା ପଲ । ଏମାନଙ୍କର ଭିଡିଓ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାସହ ସେମାନଙ୍କ ଅଭିନୟର ଯାଦୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବି ବିମୋହିତ କରିଛି । ଆଜି ପ୍ରଧାନମନ୍ତ୍ରୀ ତାଙ୍କ ମନ୍ କି ବାତ କାର୍ଯ୍ୟକ୍ରମରେ ଏହି ଭାଇ ଭଉଣୀଙ୍କ ସଂପର୍କରେ ଆଲୋଚନା କରିଛନ୍ତି । ସେ କହିଛନ୍ତି କି ଏହି କଳାକାର ଦୁଇଜଣଙ୍କ ମଧ୍ୟରେ ଭାରତୀୟ ସଂଗୀତକୁ ନେଇ ଏକ ସ୍ୱତନ୍ତ୍ର ଆଗ୍ରହ ରହିଛି । ଏହି କାରଣରୁ ସେ ଏବେ ବିଶ୍ୱରେ ଏତେ ଲୋକପ୍ରିୟତା ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି କି, କେବଳ ଭାରତୀୟ ସଂଗୀତ ନୁହଁ ସେମାନଙ୍କ ଭିତରେ ଥିବା କଳା ପାଇଁ ସେ ଏବେ ସୋସିଆଲ ମିଡିଆରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏହା ସହ ଗଣତନ୍ତ୍ର ଦିବସରେ ଗାନ କରାଯାଉଥିବା ‘ଜନଗଣ ମନ ଅଧିନାୟକ…………..’ ଗୀତରେ ଉଭୟ ଭାଇ ଭଉଣୀ ଯେଭଳି ଅଭିନୟ କରିଛନ୍ତି ତାହା ପ୍ରଧାନମନ୍ତ୍ରୀଙ୍କ ହୃଦୟକୁ ଜିତିପାରିଛି । ଏହାସହ ସ୍ୱର ସାମାଜ୍ଞ୍ରୀ ଲତା ମଙ୍ଗେଶକରଙ୍କ ମୃତ୍ୟୁ ପରେ ସେ ସଂଗୀତ ମାଧ୍ୟମରେ ଲାତ ଦିଙ୍କୁ ଯେଭଳି ଭାବେ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ତାହା ପ୍ରଧାନମନ୍ତ୍ରୀଙ୍କ ମନକୁ ଛୁଇଁଥିଲା ବୋଲି ସେ କହିଛନ୍ତି । କହିରଖୁ କି ଏବେ ଏବେ ତାଞ୍ଜାନିଆରେ ଥିବା ଭାରତୀୟ ଦୂତାବାସ ତରଫରୁ କିଲି ପଲଙ୍କୁ ସମ୍ମାନୀତ କରାଯାଇଥିଲା ।