ବିଜେପି ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ, ନିଜ ନିର୍ବାଚନ ମଣ୍ଡଳୀରେ ଖୋଳାଯାଉ ଏତେ ପୋଖରୀ

670

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସାରା ଦେଶରେ ଏବେ ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନିଜ ଦଳର ସାଂସଦମାନଙ୍କୁ ଏକ ଅଜବ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି ସମସ୍ତ ସାଂସଦମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ୭୫ ଟି ପୋଖରୀ ଖୋଳାନ୍ତୁ । ମଙ୍ଗଳବାର ଦିନ ଦିଲ୍ଲୀର ଆମ୍ବେଦକର ଅର୍ନ୍ତରାଷ୍ଟ୍ରୀୟ କେନ୍ଦ୍ରରେ ନିଜ ଦଳର ସାଂସଦମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ନିଜ ଦଳର ସାଂସଦମାନଙ୍କୁ ପାର୍ଟିର ସ୍ଥାପନା ଦିବସ ଏପ୍ରିଲ ୬ ରୁ ଆମ୍ବେଦକର ଜୟନ୍ତୀ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ କିଭଳି ଆଜାଦୀ କି ଅମୃତ ମହୋତ୍ସବ ପାଳନ କରାଯିବ ତାହା ଉପରେ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି ।

ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମାଗଣା ରାସନ ଆଉ ୬ ମାସ ବୃଦ୍ଧି କରାଯାଇଥିବା ନେଇ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି, ସରକାର ତଳସ୍ତରରେ ଥିବା ଲୋକଙ୍କ ପାଇଁ କାମ କରୁଛନ୍ତି । ଏହି ସୂଚନା ପ୍ରତିଟି ଲୋକ ପାଖରେ କିଭଳି ପହଂଚିବ ତାର ଦାୟିତ୍ୱ ସାଂସଦମାନଙ୍କୁ ଦେଇଛନ୍ତି । ଏନେଇ ସଂସଦୀୟ ରାଜ୍ୟମନ୍ତ୍ରୀ ଅର୍ଜୁନରାମ ମେଘୱାଲ ମାଗଣା ରାସନ ଯୋଜନା ୬ ମାସ ବୃଦ୍ଧି କରାଯିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।

ସେପଟେ ରାଜ୍ୟସଭା ସାଂସଦ ଓ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସୁଧାଂସୁ ତ୍ରିବେଦୀ କହିଛନ୍ତିି କି ଦେଶର ଭିନ୍ନ ଭିନ୍ନ ଅଞ୍ଚଳରୁ ଦେଶପାଇଁ ହଜାର ହଜାର ଲୋକ ବଳିଦାନ ଦେଇଛନ୍ତି । ହେଲେ ସେମାନଙ୍କୁ ପୂର୍ବ ସରକାରମାନେ ଉଚିତ ସମ୍ମାନ ପ୍ରଦାନ କରିନାହାଁନ୍ତି । ଏବେ ବିଜେପି ସରକାର ସେମାନଙ୍କୁ ଉଚିତ ସମ୍ମାନ ଦେବାକୁ ପ୍ରୟାସ କରୁଛନ୍ତି ।