ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ଅଭିଭାଷଣକୁ ବିଜେପିର ପ୍ରଶଂସା : ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କହିଲେ, ଏହା ସବୁଠୁ ଭଲ ବିତର୍କ

151

କନକ ବ୍ୟୁରୋ : ବିଜେଡିକୁ ପୁଣି ବିଜେପିର ପ୍ରଶଂସା । ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା ବେଳେ ବିଜେଡି ଲୋକସଭା ସଂସଦୀୟ ଦଳ ନେତା ପିନାକୀ ମିଶ୍ରଙ୍କ ଅଭିଭାଷଣକୁ ପ୍ରଶଂସା କରିଛନ୍ତି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ । ସେ ଟ୍ୱିଟ କରି କହିଛନ୍ତି, ଅନାସ୍ଥା ଆଲୋଚନା ବେଳେ ସବୁଠୁ ଭଲ ତର୍କ ପିନାକୀ ମିଶ୍ରଙ୍କର ଥିଲା । ପିନାକୀଙ୍କ ଅଭାଷଣର କିଛି ଅଂଶକୁ ଉଦ୍ଧୃତ କରି ସେ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି, ପିନାକୀ ନିଜ ଅଭିଭାଷଣରେ କହିଥିଲେ କଂଗ୍ରେସ ପରାଜୟର ଅଭ୍ୟସ୍ତ ଅଛି । ନିଜର ନାକ କାଟି ଅପଦସ୍ତ ହେବାରେ ମଧ୍ୟ ଅଭ୍ୟସ୍ତ ।

ପ୍ରଧାନମନ୍ତ୍ରୀ ଯେବେବି ଗୃହରେ ଅଭିଭାଷଣ ରଖନ୍ତି, ସେତେବେଳେ କଂଗ୍ରେସର ଅବସ୍ଥା କ’ଣ ହୁଏ ସମସ୍ତେ ଜାଣନ୍ତି । କଂଗ୍ରେସର ସାଧାରଣ ଜ୍ଞାନ, ଯୁକ୍ତି ଓ ରାଜନୈତିକ ଆଭିମୁଖ୍ୟ ଏଥିରୁ ବାରି ହୋଇପଡୁଛି ବୋଲି କହିଥିଲେ ପିନାକୀ ମିଶ୍ର । ଗତ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିଥିବା ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ପ୍ରଶଂସା କରିଥିଲେ । ଏହା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଖବର ସରବରାହ ସଂସ୍ଥା ଏଏନ୍ଆଇ ସମ୍ପାଦିକା ସ୍ମିତା ପ୍ରକାଶଙ୍କୁ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ ।

ଗତକାଲି ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା ବେଳେ ପିନାକୀ ମିଶ୍ର କେନ୍ଦ୍ର ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଏବଂ କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । କହିଛନ୍ତି ଯେ କଂଗ୍ରେସର ଦୁର୍ନୀତି ନୀତିକୁ ବିରୋଧ କରି ବିଜେଡିର ଜନ୍ମ ୧୯୯୭ରେ ହୋଇଥିଲା । ଏଣୁ କଂଗ୍ରେସର କୌଣସି ପ୍ରସ୍ତାବକୁ ବିଜେଡି ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ । ‌ତେବେ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବାର ଏହା ଗୋଟିଏ କାରଣ ନୁହେଁ, ଆହୁରି ମଧ୍ୟ ବାଧ୍ୟବାଧକତା ରହିଛି ବୋଲି ପିନାକୀ କହିଛନ୍ତି । ୧୬ ମିନିଟ୍‌ ଭାଷଣ ପ୍ରାରମ୍ଭରେ ବିଜେଡି ଓ କେନ୍ଦ୍ର ସରକାରଙ୍କ ସଂପର୍କ ବାଖ୍ୟା କରିବାକୁ ଭୁଲିନାହାନ୍ତି । ସେ କହିଥିଲେ, ବିଜେଡି ଗୋଟିଏ ଆଞ୍ଚଳିକ ଦଳ । ଦଳୀୟ ରାଜନୀତି ତାହା ସ୍ଥାନରେ, ଏହାଠାରୁ ଊର୍ଦ୍ଧ୍ବକୁ ଉଠିବା ଦରକାର। କେନ୍ଦ୍ର ସହିତ କୌଣସି ଝଗଡ଼ା ଦ୍ବାରା ରାଜ୍ୟର ଲାଭ ହୋଇନଥାଏ । ଏହା ମୁଖ୍ୟମନ୍ତ୍ରୀଙ୍କର ମତ ବୋଲି ପିନାକୀ କହିଥିଲେ।