ବିଜେପି ବିରୋଧରେ ବିରୋଧୀ ସ୍ଥିର କଲେ ମେଣ୍ଟର ନାମ, ସିମଳା ବୈଠକରେ ହୋଇପାରେ ଘୋଷଣା

300

କନକ ବ୍ୟୁରୋ : ପାଟନାରେ ବିଜେପି ବିରୋଧୀଙ୍କ ମହାବୈଠକ ପରେ ଏବେ ବିରୋଧୀ ମେଣ୍ଟର ନାମ କଣ ରହିବ ତାହା ସ୍ଥିର ହୋଇଥିବା ସୂତ୍ର ସୂଚନା ମିଳିଛି । ଏହି ମେଣ୍ଟର ନାମ Patriotic Democratic Alliance ବା ପିଡିଏ ବୋଲି ରଖାଯିବା ନେଇ ସ୍ଥିର ହୋଇଥିବା କଥା ସୂତ୍ର ସୂଚନା ରହିଛି । ଆଗାମୀ ଦିନରେ ସିମଳାରେ ହେବାକୁ ଥିବା ବିରୋଧୀ ମେଣ୍ଟ ବୈଠକରେ ଏହି ନାମ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି । ସୂଚନା ଥାଉକି ୧୫ଟି ବିରୋଧୀ ରାଜନୈତିକ ଦଳର ନେତାମାନେ ବିହାରର ପାଟନା ଠାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରିଥିଲେ ।

ସେପଟେ ଏହି ବୈଠକ ପରେ ନୀତିଶ କୁମାର ଜାତୀୟ ସ୍ତରର ନେତା ଭାବେ ପରିଚିତ ହୋଇଛନ୍ତି । ଏହାସହ ବୈଠକରେ ଆରଜେଡି ନେତା ଲାଲୁ ଯାଦବଙ୍କ ବୟାନ ପରେ ସେ ପୁଣିଥରେ ରାଜନୀତିକୁ ଫେରୁଥିବା ଅନୁମାନ କରାଯାଉଛି ।

ସେପଟେ ନୀତିଶ କୁମାରଙ୍କ ବାସଭବନରେ ୧୫ଟି ବିରୋଧୀ ରାଜନୈତିକ ଦଳର ବୈଠକକୁ ନେଇ ଏପର୍ଯ୍ୟନ୍ତ କିଛି ଫଳାଫଳ ପ୍ରକାଶ ପାଇନାହିଁ । ହେଲେ ବୈଠକରେ ଗୋଟିଏ କଥା ସ୍ଥିର ହୋଇଛି ବୈଠକରେ ଉପସ୍ଥିତ ଥିବା ନେତାମାନେ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଲଢେଇ କରିବାକୁ ସହମତି ପ୍ରକାଶ କରିଛନ୍ତି । ଅନୁମାନ କରାଯାଉଛି କି ଏହି ବୈଠକରୁ ସର୍ବାଧିକ ଲାଭ କଂଗ୍ରେସକୁ ମିଳିପାରେ ।

ଅନ୍ୟପଟେ ବିରୋଧୀଦଳମାନଙ୍କ ମେଣ୍ଟକୁ ନେଇ ଅନେକ ଚ୍ୟାଲେଞ୍ଜ ରହିଛି । ରାଜନୈତିକ ବିଶ୍ଳେଷକଙ୍କ ମତରେ କଂଗ୍ରେସକୁ ବାଦ ଦେଇ ବିଜେପି ବିରୋଧରେ ଲଢେଇ କରିବା ବିରୋଧୀଦଳଙ୍କ ପାଇଁ ସହଜ ନୁହେଁ । ଯଦି ଏହି ମେଣ୍ଟ ଫଳପ୍ରଦ ନହୁଏ ତେବେ ସେମାନଙ୍କ ମଧ୍ୟରୁ କିଛି ରାଜନୈତିକ ଦଳଙ୍କୁ ସାଥିରେ ନେଇ ଆଗାମୀ ନିର୍ବାଚନରେ କଂଗ୍ରେସ ବିଜେପି ବିରୋଧରେ ନିର୍ବାଚନ ଲଢିପାରେ ।