ପାକିସ୍ତାନର ଏମିତି ଏକ ଜିଲ୍ଲା, ଯେଉଁଠି ଅଧାରୁ ଅଧିକ ଲୋକ ହିନ୍ଦୁ ଧର୍ମର । ଜାଣନ୍ତୁ, ଏହି ଜିଲ୍ଲା ସମ୍ପର୍କରେ ସବୁକିଛି…

248

କନକ ବ୍ୟୁରୋ: ପାକିସ୍ତାନକୁ ଏକ ମୁସଲିମ୍ ବହୁଳ ଦେଶ ଭାବେ ଆପଣ ସମସ୍ତେ ଜାଣିଥାନ୍ତି । ହେଲେ ପାକିସ୍ତାନ ଭିତରେ ଏମିତି ଏକ ଜିଲ୍ଲା ଅଛି ଯେଉଁଠି ଅଧାରୁ ଅଧିକ ଲୋକ ହିନ୍ଦୁ । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବେ ବି ସତ । ପାକିସ୍ତାନର ଉମରକୋଟ ଜିଲ୍ଲାରେ ମୁସଲିମଙ୍କଠାରୁ ହିନ୍ଦୁମାନଙ୍କର ସଂଖ୍ୟା ବହୁତ ବେଶୀ । ହେଲେ ସେଠାରେ ହିନ୍ଦୁ ମାନେ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ।

ବିବିସିର ରିପୋର୍ଟ ମୁତାବକ, ଏହି ଜିଲ୍ଲାର ଜନସଂଖ୍ୟା ପ୍ରାୟ ୧୦ ଲକ୍ଷ ୭୩ ହଜାର । ସେ ଭିତରୁ ପ୍ରାୟ ୫୨ ପ୍ରତିଶତ ଲୋକ ହିନ୍ଦୁ ଧର୍ମର . ତେବେ ଉମରକୋଟ କରାଚିଠାରୁ ମାତ୍ର ୩୨୫ କିଲୋମିଟର ଦୂରରେ ଥିଲେ ମଧ୍ୟ ଏଠାରେ ହିନ୍ଦୁ ଧର୍ମର ଲୋକଙ୍କ ସଂଖ୍ୟା ବେଶି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେଠାରେ ହିନ୍ଦୁ ଧର୍ମର ଲୋକଙ୍କ ସଂଖ୍ୟା ବେଶି ହୋଇଥିଲେ ମଧ୍ୟ ତାଙ୍କୁ ନିଜ ଧର୍ମର ଜନପ୍ରତିନିଧି ଚୟନ କରିବାର ସୁଯୋଗ ମିଳୁନି । ସେଠାରେ ଗତ ଦୀର୍ଘ ବର୍ଷ ଧରି ମୁସଲିମ୍ ଜନପ୍ରତିିନିଧିମାନେ ହିଁ ଶାସନ କରୁଛନ୍ତି ।

ସେହିପରି ଯଦି ଅର୍ଥନୈତିକ ଦୃଷ୍ଟିରୁ ଉମରକୋର୍ଟ ଜିଲ୍ଲାକୁ ଦେଖାଯାଏ, ତେବେ ଏହି ଜିଲ୍ଲାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ । ସେଠାକାର ଅଧିକାଂଶ ଜମିଦାର ମୁସଲିମ୍ ଧର୍ମର ହୋଇଥିବାବେଳେ, ହିନ୍ଦୁମାନେ କେବଳ ଚାଷବାସ କାମ କରି ଜୀବନ ଜିଉଛନ୍ତି । ଅନ୍ୟପଟେ ରାଜନୈତିକ ଦୃଷ୍ଟିରୁ ଏହି ଜିଲ୍ଲା ମଧ୍ୟ ମୁସଲିମଙ୍କ କବଜାରେ ଅଛି । ଦୀର୍ଘ ୨୮ ବର୍ଷ ହେଲା ଏହି ଜ୍ଲିଲାରେ ପାକିସ୍ତାନ ପିପୁଲ୍ସ ପାର୍ଟି ବିଜୟ ଲାଭ କରୁଛି । ତେବେ ମିଳିଥିବା ରିପୋର୍ଟ ମୁତାବକ ଅଧିକାଂଶ ସମୟରେ ଶାସକ ଦଳ ହିନ୍ଦୁ ଧର୍ମର ପ୍ରତିନିଧିଙ୍କୁ ଟିକେଟ୍ ନଦେଇ, କେବଳ ମୁସଲିମ୍ ଜନପ୍ରତିନିଧିଙ୍କୁ ଟିକେଟ୍ ଦେଉଛି । ଫଳରେ ସେଠାକାର ଜନସାଧାରଣ ନିଜ ଧର୍ମର ପ୍ରତିନିଧି ଚୟନ କରିପାରୁନାହାଁନ୍ତି ।

ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ, ପୋଲିସ ଓ ନଗରପାଳିକା ଏଠାରେ ଏମିତି କିଛି ବିଭାଗ ରହିଛି, ଯେଉଁଠି ବହୁ ସଂଖ୍ୟାରେ ସରକାରୀ ଚାକିରି ମିଳିବାର ସୁଯୋଗ ରହିଛି । ହେଲେ ସେଠାକାର ୨୦୯ କର୍ମଚାରୀ ଥିବା ନଗରପାଳିକାରେ ୬୦ ପ୍ରତିଶତରୁ ଅଧିକ କେବଳ ମୁସଲିମ୍ ସମ୍ପ୍ରଦାୟର ।