ପିଆଜର ଦର ଉପରେ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ, ରପ୍ତାନୀ ଉପରେ ଲାଗିଲା କଡା କଟକଣା

448

କନକ ବ୍ୟୁରୋ : ଟମାଟୋ ପରେ ଏବେ ପିଆଜ ଦର ଉପରମୁହାଁ ହେବାରେ ଲାଗିଛି । ଟାମାଟୋ ଦର ନିୟନ୍ତ୍ରଣକୁ ଆସିଥିଲେ ବି ପିଆଜ ଦର ଏବେ କିଲୋପ୍ରତି ପାଖପାଖି ୪୦ ଟଙ୍କାରେ ପହଞ୍ଚିଲାଣି । ଆଗକୁ ପିଆଜର ଦର ଯେଭଳି ନ ବଢେ ସେଥିପାଇଁ ଆଜି କେନ୍ଦ୍ର ସରକାର କଡା ପଦକ୍ଷେପ ନେଇଛନ୍ତି । ବାହାର ଦେଶକୁ ରପ୍ତାନୀ ଉପରେ କଡା କଟକଣା ଜାରି କରାଯାଇଛି ।

ଏଣିକି ପିଆଜ ରପ୍ତାନୀ କଲେ ୪୦ ପ୍ରତିଶତ ଅଧିକ ଶୁଳ୍କ ଦେବାକୁ ପଡିବ । ଏହି କଟଣା ୩୧ ଡିସେମ୍ବର ୨୦୨୩ ଯାଏଁ ବଳବତର ରହିବ । ଅର୍ଥାତ ପିଆଜ ବିଦେଶକୁ ରପ୍ତାନୀ କଲେ ଅଧିକ ୪୦ ପ୍ରତିଶତ ଶୁଳ୍କ ସରକାରଙ୍କୁ ଦେବେ ବିକ୍ରେତା । ଏହାଛଡା ଅକ୍ଟୋବରରେ ନୂଆ ପିଆଜ ବଜରକୁ ଆସିବାଯାଏଁ ବଫର ଷ୍ଟକରୁ ପିଆଜ ବଜାରକୁ ଛଡାଯିବ ।

ଆଜ ମୂଲ୍ୟ ଗତ କିଛିଦିନ ହେଲା ବଢ଼ିବାରେ ଲାଗିଛି । ଅଗଷ୍ଟ ୧୦ରେ ଏହାର ମୂଲ୍ୟ କିଲୋଗ୍ରାମ ପିଛା ସର୍ବଭାରତୀୟ ସ୍ତରରେ ହାରାହାରି ୨୭ ଟଙ୍କା ୯୦ ପଇସା ଥିଲା । ଗତବର୍ଷ ଏହି ସମୟ ତୁଳନାରେ ମୂଲ୍ୟରେ ପ୍ରାୟ ୨ ଟଙ୍କା ବୃଦ୍ଧି ଘଟିଥିଲା । ପୂର୍ବରୁ ଭାରତୀୟ ଜାତୀୟ ସମବାୟ ଖାଉଟି ମହାସଂଘ ଏବଂ ଭାରତର ଜାତୀୟ କୃଷି ସମବାୟ ବିପଣନ ମହାସଂଘ  ଜରିଆରେ ସରକାର ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ଦେଢ଼ ଲକ୍ଷ ଟନ ଲେଖାଏଁ ପିଆଜ ସଂଗ୍ରହ କରିଥିଲେ ।

ଏଥିସହିତ ପିଆଜକୁ କିଭଳି ଅଧିକ ଦିନ ଧରି ସାଇତି ରଖାଯାଇ ପାରିବ ସେଥିପାଇଁ ସରକାର ଭାବା ଆଟମିକ ରିସର୍ଚ୍ଚ ସେଣ୍ଟର  ସହଯୋଗରେ ଏକ ପାଇଲଟ ପରୀକ୍ଷଣ କରିଥିଲେ । ଖାଉଟି ବ୍ୟାପାର ମନ୍ତ୍ରାଳୟର ସୂଚନା ଅନୁଯାୟୀ, ପିଆଜର ବାର୍ଷିକ ବଫର ଷ୍ଟକ ୨୦୨୦-୨୧ରେ ୧ ଲକ୍ଷ ଟନ ଥିବାବେଳେ ୨୦୨୩-୨୪ରେ ଏହା ୩ ଲକ୍ଷ ଟନକୁ ବୃଦ୍ଧି ପାଇଛି । ଲୋକଙ୍କ ନିକଟରେ ପିଆଜ ପହଞ୍ଚାଇବାରେ ଏବଂ ମୂଲ୍ୟକୁ ସ୍ଥିର ରଖିବାରେ ବଫର ଷ୍ଟକ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ଖାଉଟି ବ୍ୟାପାର ମନ୍ତ୍ରାଳୟ କହିଛି ।