ଏମିତି ଚାଲିଛି ଶିକ୍ଷା ବ୍ୟବସ୍ଥା : ଜଣେ ଶିକ୍ଷକରେ ଚାଲିଛି ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଠପଢା

89

କନକ ବ୍ୟୁରୋ : ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଯାଏଁ ୫୦ ଜଣ ଛାତ୍ରଛାତ୍ରୀ । ହେଲେ ପିଲାଙ୍କୁ ପାଠ ପଢାଇବାକୁ ଅଛନ୍ତି ମାତ୍ର ଜଣେ ଶିକ୍ଷୟିତ୍ରୀ । ଏହା ପ୍ରତିବାଦରେ ବରଗଡ ଜିଲ୍ଲା ବିଜେପୁର ବିଜ୍ଞାପିତ ପରିଷଦର କେଉଁଟିପାଲି ପ୍ରାଥମିକ ବିଦ୍ୟାଳୟରେ ତାଲା ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକମାନେ । ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ବାରମ୍ବାର ବ୍ଲକ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ସତ୍ୱେ କୌଣସି ସୁଫଳ ମିଳୁ ନାହିଁ ।

ଖାଲିଥିବା ଶିକ୍ଷକ ପଦବୀ ପୂରଣ ଦାବିରେ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଥିଲେ । ଖବରପାଇ ଘଟଣାସ୍ଥଳରେ ପହଞ୍ଚି ବିଜେପୁର ଏବିଓ ବୁଝାସୁଝା କରିଥିଲେ । ହେଲେ ଶିକ୍ଷକ ନିଯୁକ୍ତ ନହେବା ଯାଏଁ ଧାରଣା ଜାରି ରହିବ ଓ ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ରାସ୍ତାରୋକ କରିବାକୁ ଅଭିଭାବକମାନେ ଧମକ ଦେଇଛନ୍ତି । ଅନ୍ୟପଟେ ଏବିଡିଓ ପ୍ରତିକ୍ରିୟା ଦେଇ କହିଛନ୍ତି ବିଜେପୁର ବ୍ଲକରେ ବିଭିନ୍ନ ସ୍କୁଲରେ ମୋଟ ୭୦ଟି ଶିକ୍ଷକ ପଦବୀ ଖାଲି ପଡିଛି ।

ଶିକ୍ଷକ ନଥିବାରୁ ଏପରି ସମସ୍ୟା ଦେଖା ଦେଇଥିବା ସେ କହିଛନ୍ତି । ଗୋଟିଏ ପଟେ ରାଜ୍ୟର ସମସ୍ତ ସ୍କୁଲକୁ ୫ଟି ଜରିଆରେ ରୁପାନ୍ତରିକରଣ କରି ବିକାଶ କରାଯାଉଥିବା ସରକାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ନକରି ପିଲାଙ୍କ ଭବିଷ୍ୟତ ସହିତ ରାଜ୍ୟ ସରକାର ଓ ଶିକ୍ଷା ବିଭାଗ ଖେଳ ଖେଳୁଥିବା ଚର୍ଚ୍ଚା ହେଉଛି ।