ନାଥନ ଲାୟନଙ୍କ ସଂଘର୍ଷ: ଦିନେ ଗ୍ରାଉଣ୍ଡରେ କାଟୁଥିଲେ ଘାସ, ଆଜି ଅଷ୍ଟ୍ରେଲିଆର ସଫଳ ବୋଲର

142

କନକ ବ୍ୟୁରୋ: ନାଥନ ଲାୟନ । ଯିଏ ନିଜ ସ୍ପିନର ଯାଦରେ ଏବେ ସମସ୍ତଙ୍କୁ ଘାଇଲା କରିଛନ୍ତି । ଭାରତ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟରେ ୧୧ ୱିକେଟ ନେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଏହି ଅଷ୍ଟ୍ରେଲିଆ ବୋଲର । ଆଉ ଏହା ସହ ସେ ଟେଷ୍ଟ କ୍ରିକେଟର ଅଷ୍ଟମ ସବୁଠାରୁ ସଫଳ ବୋଲର ହୋଇପାରିଛନ୍ତି । ତେବେ ଆପଣ ଜାଣିଛନ୍ତି କି ଏହି ସଫଳତା ପାଇବା ପଛରେ ନାଥନ କେତେ ସଂଘର୍ଷ କରିଛନ୍ତି । ତେବେ ଆସନ୍ତୁ ଜାଣିବା ନାଥନଙ୍କ ସଂଘର୍ଷରୁ ସଫଳତାର ଯାତ୍ରା…

୨୩ ବର୍ଷ ବୟସରେ ନାଥନ ଲାୟନ ଅଷ୍ଟ୍ରେଲିଆ ପାଇଁ ଟେଷ୍ଟରେ ଡେବ୍ୟୁ କରିଥିଲେ । ୨୦୧୧ରେ ଅଷ୍ଟ୍ରେଲିଆର ଶ୍ରୀଲଙ୍କା ଗସ୍ତରେ ତାଙ୍କୁ ସାମିଲ କରାଯାଇଥିଲା, ଆଉ ପ୍ଲେଇଙ୍ଗ ୧୧ରେ ବି ସ୍ଥାନ ମିଳିଥିଲା । ସେବେଠାରୁ ଏବେ ଯାଏଁ ନାଥନ ଅଷ୍ଟ୍ରେଲିଆର ଜଣେ ନିୟମିତ ଖେଳାଳି ହୋଇ ରହିଛନ୍ତି । ହେଲେ ଟେଷ୍ଟ ଡେବ୍ୟୁ ପୂର୍ବରୁ ନାଥନ ଲାୟନ ଅଷ୍ଟ୍ରେଲିଆର ଏଡିଲେଡ କ୍ରିକେଟ ଗ୍ରାଉଣ୍ଡରେ ଘାସ କାଟବା କାମ କରୁଥିଲେ ।

ନାଥନ ଲାୟନ ଜୁନିୟର ଲେବଲରୁ କ୍ରିକେଟ ଖେଳି ଆସୁଛନ୍ତି । ତେଣୁ କ୍ରିକେଟ ଖେଳ ସହ ନିଜ ଖର୍ଚ୍ଚ ଉଠାଇବା ପାଇଁ ସେ ଘାସ କାଟିବା କାମ ବି କରୁଥିଲେ । ଏକ ସାକ୍ଷାତକାରରେ ସେ କହିଥିଲେ କି ସକାଳ ସାଢେ ୫ଟାରୁ ଉଠି ସେ ଗ୍ରାଉଣ୍ଡରେ ଘାସ କାଟିବା କାମ କରୁଥିଲେ । ଆଉ ଏଥାପାଇଁ ତାଙ୍କୁ କୌଣସି ଅସୁବିଧା ମଧ୍ୟ ହେଉନଥିଲା ।

ଜୁନିୟର ଲେବଲରେ ନାଥନ ଲାୟନ ଅନେକ ମ୍ୟାଚ ଖେଳିଥିଲେ । ହେଲେ ଆଗକୁ ବଢି ପାରୁନଥିଲେ । ଲମ୍ବା ସମୟ ପରେ ଅଷ୍ଟ୍ରେଲିଆର ଘରୋଇ ଟିମ ରେଡବୋକ୍ସ ପାଇଁ ଅଭ୍ୟାସ ମ୍ୟାଚରେ ବୋଲିଂ ପାଇଁ ଏକ ସ୍ପିନ ବୋଲରର ଆବଶ୍ୟକତା ରହିଥିଲା । ଆଉ ସେଥିପାଇଁ ରେଡବୋକ୍ସର କୋଚ ଡେରେନ ବେରୀ ନାଥନ ଲାୟନଙ୍କୁ ଚୟନ କରିଥିଲେ । ଆଉ ସେହି ଅଭ୍ୟାସ ମ୍ୟାଚରେ ନାଥନ ଲାୟନ ନିଜ ବୋଲିଂରେ ସମସ୍ତଙ୍କୁ ଏମିତି ପ୍ରଭାବିତ କରିଥିଲେ ଯେ ମାତ୍ର ୭ ମାସ ଭିତରେ ସେ ଇଣ୍ଟର ନ୍ୟାସନାଲ ଡେବ୍ୟୁ କରିଥିଲେ ।

ନାଥନ ଲାୟନ ଅଷ୍ଟ୍ରେଲିଆ ପାଇଁ ୧୧୮ ଟେଷ୍ଟ ମ୍ୟାଚ ଖେଳିସାରିଛନ୍ତି, ଯେଉଁଥିରେ ସେ ୪୭୯ ୱିକେଟ ହାସଲ କରିଛନ୍ତି । ସେ ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ୱିକେଟ ନେଇଥିବା ଖେଳାଳିଙ୍କ ମଧ୍ୟରେ ଅଷ୍ଟମ ସ୍ଥାନରେ ରହିଛନ୍ତି । ସେହିପରି ଅଷ୍ଟ୍ରେଲିଆରେ ସେ ସେନ ୱର୍ଣ୍ଣ ଓ ଗ୍ଲେନ ମ୍ୟାକଗ୍ରାଥ ପରେ ତୃତୀୟ ସଫଳ ଟେଷ୍ଟ ବୋଲର ହେଉଛନ୍ତି ନାଥନ ଲାୟନ । କେବଳ ଘରୋଇ ମୈଦାନ ନୁହେଁ ଏସିଆ ମୈଦାନରେ ମଧ୍ୟ ନିଜ ଜଲୱା ଦେଖାଇଛନ୍ତି ନାଥନ ଲାୟନ ।

ଏସିଆରେ ସବୁଠାରୁ ଅଧିକ ଟେଷ୍ଟ ୱିକେଟ ନେଇଥିବା ଅତିଥି ବୋଲର ହେଉଛନ୍ତି ନାଥନ । ଭାରତ, ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କାରେ ଖେଳାଯାଇଥିବା ମ୍ୟାଚରେ ନାଥନ ନିଜ ଯାଦୁ ଦେଖାଇଛନ୍ତି । ସେ ଏସିଆରେ ୨୭ ଟେଷ୍ଟ ମ୍ୟାଚ ଖେଳି ୧୩୭ ୱିକେଟ ନେଇଛନ୍ତି । ଏହାସହ ସେ ସେନ ୱାର୍ଣ୍ଣଙ୍କ ୨୫ ଟେଷ୍ଟରେ ୧୨୭ ୱିକେଟର ରେକର୍ଡ ମଧ୍ୟ ଭାଙ୍ଗି ସାରିଛନ୍ତି ।