ପୂର୍ବତନ ଯୋଗାଣ ଅଧିକାରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା : ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢାଉ 

756

କନକ ବ୍ୟୁରୋ : ପୂର୍ବତନ ଯୋଗାଣ ଅଧିକାରୀଙ୍କ ଅମାପ ସମ୍ପତି ।  ଯେତେ ଖୋଜିଲେ ସେତେ ମିଳୁଛି । ନୟାଗଡର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କ ସମ୍ପତି ଦେଖି ତାଜୁବ ହୋଇଯାଛନ୍ତି ଭିଜିଲାନ୍ସ ଅଧିକାରୀ ।  ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ବାହୁବଳୀ ବ୍ରଜେନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଚଢାଉ ବେଳେ ବ୍ରଜେନ୍ଦ୍ରଙ୍କ ସମ୍ପତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ ।

ରାଜା ଭଭି ଜୀବନ ବିତାଉଥିଲେ ବ୍ରଜେନ୍ଦ୍ର । ବାସ୍ତୁ ପାଇଁ ଘରେ ରଖିଥିଲେ ରୂପାର ହାତୀ । ରାଜଧାନୀର ବିଭିନ୍ନ ସ୍ଥାନରେ ତାଙ୍କର ୭ ଟି ଘର ରହିଛି । ୩୦ରୁ ଅଧିକ ଦୋକାନ  ଅଛି । ଭୁବନେଶ୍ୱର ଗ୍ୟାରେଜ ଛକ ରାଧାକୃଷ୍ଣ ନଗରରେ ତାଙ୍କର ଏକ ବିରାଟ ଅଟାଳିକା ରହିଛି । ଯାହାର ମୂଲ୍ୟ ଦୁଇ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି । ଏଥିସହ ରାଧାକୃଷ୍ଣ ନଗରରେ ୫୦ ଲକ୍ଷ ଟଙ୍କାର ଡୁପ୍ଲେକ୍ସ ଅଛି । ଭୀମଟାଙ୍ଗୀରେ ବି ତାଙ୍କର ଆଉ ଏକ ଡୁପ୍ଲେକ୍ସ ରହିଛି । ସେହିପରି ରାଜଧାନୀର ଶିଶୁପାଳଗଡ଼, ଲୁଇସରୋଡ, ରବିଟକିଜରେ ବ୍ରଜେନ୍ଦ୍ରଙ୍କ ଘର ଅଛି । ପୁରୀ ନିମାପଡା ଶୁନାଗରଡା ଅଂଚଳରେ ୩୦ରୁ ଅଧିକ ଦୋକାନ  ତାଙ୍କର ଅଛି ।

୨୦ରୁ ଅଧିକ ଏଲଆଇସି ବଣ୍ଡ । ୧୫ରୁ ଅଧିକ ବ୍ୟାଙ୍କ ଆକାଉଂଟ ରହିଛି । ତେବେ ଭିଜିଲାନ୍ସ ଅଧିକାରୀମାନେ ଆହୁରୀ ଚଢାଉ ଜାରି ରଖିିଛନ୍ତି ।  । ପୁରୀ ଓ ଭୁବନେଶ୍ୱରରେ ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢାଉ । ଭୁବନେଶ୍ୱରର ଭିମଟାଙ୍ଗୀ ଓ ରାଜାରାଣୀ କଲୋନିରେ ଥିବା ଘର, ନିମାପଡାରେ ଥିବା ପୈତୃକ ଘର ଏବଂ ଫାର୍ମ ହାଉସରେ ଚଢାଉ ଜାରି । ଚଢାଉରେ ୨ଜଣ ଡିଏସପି ଏବଂ ୬ ଜଣ ଇନ୍ସପେକ୍ଟର ସାମିଲ ।