ମିଶନ ଶକ୍ତି ସଦସ୍ୟା କରିବେ ବ୍ୟୁଟିପାର୍ଲର । ଗାଁ ମହିଳା ଦେବେ ବ୍ରାଇଡାଲ ମେକଅପ୍ । ପ୍ରଥମ ପର୍ଯ୍ୟାୟରେ ତାଲିମ ନେଲେ ୧୭ ଜିଲ୍ଲାର ୪୦ ମହିଳା

76

କନକ ବ୍ୟୁରୋ: ମିଶନ ଶକ୍ତିର ମହିଳାଙ୍କୁ ଆହୁରି ସଶକ୍ତ କରିବା ପାଇଁ, ସେମାନଙ୍କ ହାତକୁ ରୋଜଗାର ଯୋଗାଇ ଦେବା ପାଇଁ ଆଉ ଏକ ସୁଯୋଗ ଆଣି ଦେଇଛନ୍ତି ସରକାର । ମିଶନ ଶକ୍ତିର ମହିଳାଙ୍କୁ ସ୍ୱତନ୍ତ୍ର ଭାବେ ଦିଆଯାଇଛି ବ୍ରାଇଡ୍ରାଲ ମେକଅପ୍ ପାଇଁ ତାଲିମ୍ । ଅର୍ଥାତ ଏଣିକି ବ୍ରାଇଡାଲ ମେକଅପ୍ କରି ଟଙ୍କା ରୋଜଗାର କରିବେ ଏସଏଚଜି ମହିଳା ।

  • ବ୍ରାଇଡାଲ ମେକଅପ୍ କରିବେ ମିଶନ ଶକ୍ତିି ମହିଳା
  • ଗାଁରେ ଯୋଗାଇ ଦେବେ ପ୍ରସାଧନ ସେବା

ଏସଏଚଜି ମହିଳାଙ୍କୁ ବ୍ରାଇଡାଲ ମେକଅପ୍ ପାଇଁ, ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ ଦିଆଯାଇଛି । ବିଶେଷ କରି ମହିଳାଙ୍କ ଭିତରେ ଚାହିଦା ଥିବା, ବେସିକ ଫେସିଆଲ, ବ୍ରାଇଡାଲ ମେକଅପ୍, ସାମ୍ପୁ, ହେଡ ମସାଜ, ବେସିକ ହେୟାର କଟିଂ, ପେଡିକିୟୋର ଓ ମେନିକିୟୋର ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏଥିରେ ୧୭ଟି ଜିଲ୍ଲାର ୪୦ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ତାଲିମ ଦିଆଯାଇଛି । ମିଶନ ଶକ୍ତି ବିଭାଗ ସଚିବ ସୁଜାତା କାର୍ତ୍ତିକେୟନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏସଏଚଜି ମହିଳାଙ୍କୁ ପ୍ରମାଣ ପତ୍ର ଦେଇଥିଲେ । ଅର୍ଥାତ ପ୍ରଶିକ୍ଷଣ ନେଇଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଏଣିକି ଗାଁରେ ଏହି ଆଧୁନିକ ପ୍ରସାଧନ ସେବା ଯୋଗାଇ ଦେବେ ।

ବର୍ତ୍ତମାନ ବ୍ରାଇଡାଲ ମେକଅପ୍ ଓ ବିଭିନ୍ନ ଆନୁସଙ୍ଗିକ ପ୍ରସାଧନ ସେବା ମୁଖ୍ୟତଃ ବଡ଼ ବଡ଼ ସହରରେ ସୀମିତ ହୋଇ ରହିଛି । ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ତାଲିମ ପରେ ଏବେ ଗ୍ରାମାଞ୍ଚଳରେ ସେଲୁନ, ବିୟୁଟି ପାର୍ଲର ଓ ସ୍ପା ଆଦି ଖୋଲି ଏହି ସେବା ଯୋଗାଇ ଦିଆଯିବା ସହ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଆଶା କରାଯାଉଛି । ତେବେ ଏହି ଅବସରରେ ମିଶନ ଶକ୍ତି ମହିଳାମାନଙ୍କୁ ନେଇ ଏକ ର୍ୟାମ୍ପ ୱାକର ମଧ୍ୟ ଆୟୋଜନ କରାଯାଇଥିଲା । ଯାହା ମିଶନ ଶକ୍ତି ମହିଳାଙ୍କ ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି ।