ବିଧାନସଭାର ବହୁ ପୂର୍ବରୁ ବିଧାୟକ ଦଳ ବୈଠକ ! ବିରୋଧୀ ଦଳ ନେତାଙ୍କ ଘରେ ବିଧାୟକଙ୍କ ମନ୍ତ୍ରଣା, ବିଧାନସଭା ରଣନୀତି ନା ଆଉ କିଛି ?

48

କନକ ବ୍ୟୁରୋ: କଂଗ୍ରେସ ଶିବିରରେ ଗୁଞ୍ଜରଣ । ଆସନ୍ତାକାଲି ବିରୋଧୀ ଦଳ ନେତାଙ୍କ ଘରେ ଆଗୁଆ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ବିଧାନସଭା ଆରମ୍ଭ ହେବାର ଏକ ସପ୍ତାହ ପୂର୍ବରୁ ବସିବ ଏହି ବୈଠକ । ତେବେ ଏହି ବୈଠକରେ ବିଧାନସଭା ପାଇଁ ରଣନୀତି ତିଆରି ହେବ ନା ବିଧାୟକ ମାନେ ପୂର୍ବରୁ ଦାବି କରୁଥିବା ନେତୃତ୍ୱ ପରିବର୍ତନ ପାଇଁ ପୁଣି ଥରେ ବ୍ଲୁପ୍ରିଂଟ ପ୍ରସ୍ତୁତ କରିବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଦୁଇ ଦିନ ପୂର୍ବରୁ ଦଳର ଶୃଙ୍ଖଳା କମୀଟି ଅଧ୍ୟକ୍ଷା ସଂଧ୍ୟା ମହାପାତ୍ରଙ୍କ ପିସିସି ସଭାପତିଙ୍କ ଉପରେ ବୟାନକୁ ନେଇ ଦଳରେ ଝଡ ସୃଷ୍ଟି ହୋଇଥିବା ବେଳେ ଏପଟେ ଅଦିନିଆ କଂଗ୍ରେସ ବିଧାୟକ ଦଳ ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଦୀର୍ଘ ଦିନ ହେବ ପିସିସି ପରିବର୍ତନ ନେଇ ସଭାପତି ଓ ବିଧାୟକ ଦଳ ଭିତରେ ବିବାଦ ଲାଗି ରହିଥିବାରୁ ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇପାରେ ବୋଲି କୁହାଯାଉଛି ।

ଏହି ବୈଠକ ପରିପ୍ରେକ୍ଷୀରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ନେଇ ମଧ୍ୟ ଆଲୋଚନା ହେଉଛି । ଆସନ୍ତା ୧୬ ତାରିଖରୁ ଦିଲ୍ଲୀରେ ବସୁଛି ଏଆଇସିସିର ଅଧିବେଶନ । କୁହାଯାଉଛି ଏହି ଅଧିବେଶନ ସମୟରେ ଓଡିଶାରୁ ଯୋଗ ଦେବାକୁ ଥିବା ପ୍ରସାଦ ବିରୋଧୀ ମାନେ ଏକଜୁଟ ହୋଇ ସେମାନଙ୍କର ଦାବୀ ଉପସ୍ଥାପନ କରିବେ । ତେଣୁ ଏହା ପୂର୍ବରୁ ବିରୋଧୀଦଳ ନେତାଙ୍କ ଘରେ ଏ ନେଇ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

କଂଗ୍ରେସ ରାଜନୀତିରେ ପିସିସି ସଭାପତି ପଦବୀ ନେଇ ଛକାପଂଝା ଲାଗି ରହିଛି । ଯଦି ହାଇକମାଣ୍ଡ ବିଧାୟକଙ୍କ ଦାବିକୁ ଅଣଦେଖା କରନ୍ତି ତେବେ ବିଧାୟକଙ୍କ ଅଗାମୀ ପଦକ୍ଷେପ କଣ ହେବ ତାହା ରାଜ୍ୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।