ଫେବ୍ରୁଆରୀ ପ୍ରଥମ ସପ୍ତାହରେ ବିଧାନସଭା ଅଧିବେଶନ । ରାଜ୍ୟପାଳ ରଖିବେ ପ୍ରାରମ୍ଭିକ ଅଭିଭାଷଣ ।

201

କନକ ବ୍ୟୁରୋ : ୨୦୨୦ ମସିହାର ପ୍ରଥମ ବିଧାନସଭା ଅଧିବେଶନ ଫେବ୍ରୁଆରୀ ପ୍ରଥମ ସପ୍ତାହ‌ରେ ବସିବ । ଏହା ବର୍ଷର ପ୍ରଥମ ଅଧିବେଶନ ହୋଇଥିବାରୁ ଭାରତୀୟ ସମ୍ବିଧାନର ଧାରା ୧୭୬ ଅନ୍ତର୍ଗତ ଉପଧାରା (୧) ଅନୁଯାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଧିବେଶନ ପ୍ରାରମ୍ଭରେ ଅଭିଭାଷଣ ପ୍ରଦାନ କରିବେ । ଏଥିରେ ରାଜ୍ୟପାଳ ରାଜ୍ୟ ସରକାରଙ୍କ ପୂର୍ବ ବର୍ଷର ସଫଳତା ଏବଂ ଆଗାମୀ ବର୍ଷର ଲକ୍ଷ୍ୟ ସହିତ ସରକାରଙ୍କ ନୀତି ଓ ଆଭିମୁଖ୍ୟ ଉପରେ କହିବେ ।

ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ବିଭିନ୍ନ ବିଭାଗ ସେମାନଙ୍କର ଗତ ବର୍ଷର ସଫଳତା, ୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ଥିବା ଲକ୍ଷ୍ୟ, ନୀତି ଓ ଆଭିମୁଖ୍ୟ ସମ୍ବଳିତ ସଂକ୍ଷିପ୍ତ ରିପୋର୍ଟ ଦେବାକୁ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଛି । ଜାନୁଆରି ୬, ୨୦୨୦ ସୁଦ୍ଧା ସମସ୍ତ ବିଭାଗ ରିପୋର୍ଟ ପ୍ରଦାନ କରିବାକୁ ସଂସଦୀୟ ବ୍ୟାପାର ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ କହିଛନ୍ତି ।