ବରଗଡ଼ରେ ନକଲି ମେଡିସିନର ବିକ୍ରି ମାମଲା : ବାରଣାସୀରୁ ୫ ଜଣଙ୍କୁ ଗିରଫ କଲା ପୋଲିସ; ଡ୍ରଗ ଇନ୍ସପେକ୍ଟରଙ୍କ ଭୂମିକାକୁ ନେଇ ବଢ଼ିଲା ସନ୍ଦେହ

217

କନକ ବ୍ୟୁରୋ : ଓଡ଼ିଶାରେ ବାରମ୍ବାର ଜବତ ହେଉଛି ନକଲି ମେଡିସିନ୍ । କଟକ ପରେ ଏବେ ବରଗଡ଼ରେ ନକଲି ମେଡିସିନର ଜବତ ହୋଇଛି । ବଡ଼ କଥା ହେଉଛି ଏହି ନକଲି ମେଡିସିନର ଚେର ବରଗଡ଼ରୁ ବାରଣାସୀ ଲମ୍ବିଛି । ଏସଟିଏଫ୍ ଓ ବରଗଡ଼ ପୋଲିସ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ନେଇ ଉତରପ୍ରଦେଶରୁ ୫ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଶୁଭମ ଜୟସ୍ୱାଲ, ରିତେଶ ଜୟସ୍ୱାଲ, ଚନ୍ଦ୍ରଶେଖର ସିଂ, ଗୌରବ ଶର୍ମା ଓ ଅଭିଷେକ ସିଂ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ସେପଟେ ଏ ଘଟଣାରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଭୂମିକାକୁ ନେଇ ସନ୍ଦେହ କରାଯାଉଛି । କାରଣ ବରଗଡ଼ରେ ବହୁ ମେଡିସିନ ଦୋକାନୀ ଏହି ନକଲି ମେଡିସିନ କାରବାରରେ ଲିପ୍ତ ଥିବା ଅଭିଯୋଗ ହେଉଛି । କିନ୍ତୁ ଡ୍ରଗ୍ସ ବିଭାଗ ତଥା ଡ୍ରଗ୍ସ ଇନ୍ସପେକ୍ଟର ଏନେଇ କୌଣସି ତଥ୍ୟ ଦେଉନଥିବା ଅଭିଯୋଗ ହୋଇଛି । ଯଦି ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଉଚିତ ତଦନ୍ତ କରନ୍ତି, ତେବେ ବଡ଼ଧରଣର ରାକେଟର ପର୍ଦ୍ଦାଫାଶ ହେବ ବୋଲି ଦାବି ହୋଇଛି । କିଛି ଦିନ ତଳେ ବରଗଡର ଔଷଧ ଦୋକାନୀ ମାଲିକ ସୁନୀଲ ଅଗ୍ରୱାଲଙ୍କୁ ନକଲି ଔଷଧ କାରବାରରେ ଗିରଫ କରିଥିଲା ।

ସୁନୀଲ ଅଗ୍ରୱାଲ ଲିଙ୍କର ଖୋଳତାଡ କରିବା ପରେ ୟୁପିରୁ ନକଲି ଔଷଧ ଆସୁଥିବା ଜଣାପଡିଥିଲା । ଏହାପରେ ବରଗଡ ପୁଲିସ ଓ ଡ୍ରଗ୍ସ କଂଟ୍ରୋଲର ଓ ଅନ୍ୟ ଅଧିକାରୀ ୟୁପିର ବନାରସ ପହଞ୍ଚିଥିଲେ । ୟୁପି ସରକାର ଓ ବନାରସ ଏସଟିଏଫ ସହାୟତାରେ ନକଲି ଔଷଧର ରାକେଟ ଚଲାଉଥିବା ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବରଗଡ ଅଣାଯାଇଛି । କୋର୍ଟରେ ହାଜର କରିବା ପରେ ସେମାନଙ୍କୁ ରିମାଣ୍ଡରେ ଆଣି କେମିତି ନକଲି ଔଷଧର କାରବାର ବନାରସରୁ ବରଗଡକୁ ଚାଲିଥିଲା ତାହାର ଅଧିକ ଖୋଳତାଡ ହେବ ।