ରତ୍ନଭଣ୍ଡାର ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି: ଗଜପତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏଏସ୍ଆଇ ଡିଜି ଓ ସୁପରିଟେଣ୍ଡେଣ୍ଟଙ୍କୁ ନୋଟିସ୍

725

କନକ ବ୍ୟୁରୋ: ଏବେ ଆସିବା ପରବର୍ତୀ ଖବରକୁ । ହାଇକୋର୍ଟରେ ପଂହଚିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା । ଆଉ ଆଜି ଏହାର ଶୁଣାଣି କରି ୪ଜଣଙ୍କୁ ନୋଟିସ ଜାରି କରିଛନ୍ତି ଉଚ୍ଚ ନ୍ୟାୟାଳୟ । ଏଏସଆଇ ଡିଜି, ଏଏସଆଇ ଅଧିକ୍ଷକ, ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଓ ମୁଖ୍ୟ ପ୍ରଶାସକଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ବରିଷ୍ଠ ବିଜେପି ନେତା ସମୀର ମହାନ୍ତିଙ୍କ ଆବେଦନ ଆଧାରରେ ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଗଷ୍ଟ ୭ରେ ମାମଲାର ପରବର୍ତୀ ଶୁଣାଣି ହେବ ।

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଦାୟର କରିଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ । ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଏଏସ୍ଆଇ ଡିଜି ଓ ସୁପରିଟେଣ୍ଡେଂଟଙ୍କୁ ଜବାବ ଦାଖଲ କରିବାକୁ ନୋଟିସ୍ ଜାରି କରିଛନ୍ତି ଓଡ଼ିଶା ହାଇକୋର୍ଟ ।

ସମୀର ମହାନ୍ତିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲାର ପରିଚାଳନା କରୁଛନ୍ତି । ଶୁଣାଣି ବେଳେ ଆବେଦନକାରୀଙ୍କ ପକ୍ଷରୁ ୨ଟି ପ୍ରସଙ୍ଗକୁ ହାଇକୋର୍ଟଙ୍କ ଦୃଷ୍ଟିକୁ ଅଣାଯାଇଛି ।

ପ୍ରଥମ ପ୍ରସଙ୍ଗ ହେଉଛି –
୧୯୭୮ ପରଠାରୁ ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ତାଲିକା କରାଯାଇନାହିଁ
୪୫ ବର୍ଷ ହେଲା ରତ୍ନଭଣ୍ଡାର ଖୋଲା ଯାଇନାହିଁ
ରତ୍ନଭଣ୍ଡାର ଚାବିକୁ ହଜାଇ ଦିଆଯାଇଛି
ତେଣୁ ଗଚ୍ଛିତ ଥିବା ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ସଂଦେହ ସୃଷ୍ଟି ହୋଇଛି

ଦ୍ୱିତୀୟ ପ୍ରସଙ୍ଗ ହେଉଛି –
ରତ୍ନଭଣ୍ଡାର ପ୍ରତି ବିପଦ ରହିଥିବା ନେଇ ଏଏସ୍ଆଇ ଓ ହାଇକୋର୍ଟ ନିଯୁକ୍ତ କରିଥିବା ବୈଷୟିକ କମିଟି ମତ ଦେଇଛନ୍ତି
କିନ୍ତୁ ସରକାର ଏହାକୁ ଭ୍ରୁକ୍ଷେପ କରୁନାହାନ୍ତି
ତେଣୁ ତୁରନ୍ତ ରତ୍ନଭଣ୍ଡାର ଖୋଲି ଏହାର ମରାମତି ଦାୟତ୍ୱ ଏଏସ୍ଆଇକୁ ଦିଆଯାଉ

ଏହି ମାମଲାକୁ ଗୁରୁତ୍ୱର ସହ ନେଇଛନ୍ତି ହାଇକୋର୍ଟ । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୭ ତାରିଖକୁ ଧାର୍ଯ୍ୟ କରାଯାଇଛି । ରତ୍ନଭଣ୍ଡାର ଖୋଲିବା ନେଇ ବାରମ୍ବାର ଦାବି ହେଉଥିଲେ ବି ସରକାର ତାଙ୍କ ଆଭିମୁଖ୍ୟ କେବେ ସ୍ପଷ୍ଟ କରିନାହାନ୍ତି । ଏବେ ହାଇକୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିବାରୁ ସରକାର କି ଆଭିମୁଖ୍ୟ ଗ୍ରହଣ କରିବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି ।