ଡାଙ୍ଗମାଳରେ ୩ ବର୍ଷ ଧଳା କୁମ୍ଭୀରର ହେଲା ନାମକରଣ : ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଶ୍ୱେତା

141

କନକ ବ୍ୟୁରୋ : କୁମ୍ଭୀରର ହେଲା ନାମକରଣ । ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ଏକ ଅଢେଇ ଫୁଟ ଲମ୍ବ ଧଳା କୁମ୍ଭୀରର ନାମକରଣ କରାଯାଇଛି । ଡ଼ାଙ୍ଗମାଳ କୁମ୍ଭୀର ଗାବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ଥିବା ୩ ବର୍ଷର ଧଳା କୁମ୍ଭିରର ନାଁ ଶ୍ୱେତା ବୋଲି ରଖାଯାଇଛି । ପୂର୍ବରୁ ଧଳା କୁମ୍ଭୀର ଗୋରୀ ଓ ମଲ୍ଲୀ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏବେ ଶ୍ୱେତା ମଧ୍ୟ ପର୍ଯ୍ୟଟକଙ୍କ ମନ ମୋହୁଛି । ଭିତରକନିକାକୁ ଆସୁଥିବା ପର୍ଯ୍ୟଟକ ମାନେ ଧଳା କୁମ୍ଭୀର ଦେଖିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।

ପୂର୍ବରୁ ଆବଦ୍ଧ ପୋଖରୀରେ ଥିବା ଧଳା କୁମ୍ଭିର ଗୋରୀ ଓ ମଲ୍ଲୀର ନାମକରଣ କରାଯାଇଥିଲା । ମାତ୍ର ପ୍ରଜନନ କେନ୍ଦ୍ରରେ ଥିବା ଅଢେଇ ଫୁଟ ଲମ୍ବର ଧଳା କୁମ୍ଭୀରର ନାମକରଣ ହୋଇନଥିଲା । ପର୍ଯ୍ୟଟକ ଓ ବନ କର୍ମଚାରୀମାନେ ଏହି କୁମ୍ଭୀର ଛୁଆକୁ ବିଭିନ୍ନ ନାଁରେ ଡ଼ାକୁଥିଲେ । ଆଜି କୁମ୍ଭୀର ଗଣନା ପାଇଁ କୁମ୍ଭୀର ବିଷାରଦ ଡ଼କ୍ଟର ସୁଧାକର କର ଡ଼ାଙ୍ଗମାଳ ଆସିଥିଲେ । ପ୍ରଶିକ୍ଷଣ ଶିବିର ପରେ ପ୍ରଜନନ କେନ୍ଦ୍ରରେ ନାମକରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅଢେଇ ଫୁଟ ଲମ୍ବର ଧଳା କୁମ୍ଭୀରର ନାଁ ଶ୍ୱେତା ରହିବା ନେଇ ଘୋଷଣା କରାଯାଇଛି । କୁମ୍ଭୀର ବିଷାରଦ ଡ଼କ୍ଟର ସୁଧାକର କର ଏହି ଧଳା କୁମ୍ଭୀରର ନାମକରଣ କରିଥିଲେ ।