ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିଙ୍କ ପତ୍ନୀଙ୍କ ସହ କୋଟି କୋଟି ଟଙ୍କାର ଠକେଇ, ଜାଣନ୍ତୁ ପୂରା ମାମଲା

466

କନକ ବ୍ୟୁରୋ : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ମାର୍କଣ୍ଡେୟ କାଟଜୁଙ୍କ ପତ୍ନୀ ନୋଏଡା ସେକ୍ଟର ୧୨୬ ଥାନାରେ ଏକ ଅଭିଯୋଗ ଆଣିଛନ୍ତି କି ଜଣେ ବ୍ୟକ୍ତି ତାଙ୍କୁ ଠକି ତାଙ୍କ ଠାରୁ କୋଟି କୋଟି ଟଙ୍କା ମୂଲ୍ୟର ଏକ ଫ୍ଲାଟ ନିଜ ନାମରେ କରାଇ ନେଇଛନ୍ତି । ଏହି ଘଟଣା ଉପରେ ମାମଲା ରୁଜୁ କରି ପୋଲିସ ଏବେ ଯାଂଚ କରୁଛି । ପୋଲିସ ତରଫରୁ କୁହାଯାଇଛି କି ଜଷ୍ଟିସ ମାର୍କଣ୍ଡେୟ କାଟଜୁଙ୍କ ପତ୍ନୀ ରୂପା କାଟଜୁ ଥାନାରେ ଅଭିଯୋଗ କରିଛନ୍ତି କି ତାଙ୍କ ଭାଇ ବିଜେନ୍ଦ୍ର ନେହରୁଙ୍କର ଜେପି ଫୈଲେସ୍ପି କୋର୍ଟରେ ଏକ ଫ୍ଲାଟ୍ ରହିଛି । ବିଜେନ୍ଦ୍ର କାନାଡାରେ ରହୁଛନ୍ତି । ଏହି କାରଣୁ ସେ ତାଙ୍କ ଭଉଣୀ ରୂପା କାଟଜୁଙ୍କୁ ଏହି ଫ୍ଲାଟର ବାକି କାମ ସମ୍ପୂର୍ଣ୍ଣ କରିବାକୁ ପାୱାର ଅଫ ଆର୍ଟନି ଦେଇଥିଲେ ।

ପୋଲିସ ନିକଟରେ ଏବେ ରୂପା କାଟଜୁ ଅଭିଯୋଗ କରିଛନ୍ତି କି, କିଛିଦିନ ଆଗରୁ ସେକ୍ଟର ୧୫ ରେ ରହୁଥିବା ନାସିର ଅଫତାବ ଖାନ ନାମକ ଜଣେ ବ୍ୟକ୍ତି ତାଙ୍କ ନିକଟକୁ ଆସି ଏହି ଫ୍ଲାଟକୁ ୨.୫ କୋଟି ଟଙ୍କାରେ ବିକ୍ରି କରିଦେବାକୁ ପରାମର୍ଶ ଦେଇଥିଲେ । ଏହି କ୍ରମରେ ଏନଓସି କରିବାକୁ ସେ ରୂପାଙ୍କ ଠାରୁ ବିଭିନ୍ନ ଦସ୍ତାବିଜରେ ଦସ୍ତଖତ କରାଇନେବା ସହ ଫ୍ଲାଟର ମୂଳ କାଗଜପତ୍ର ନେଇ ଯାଇଥିଲେ ।

ଅଭିଯୋଗରେ ଉଲ୍ଲେଖ ରହିଛି କି, ନାସିର ରୂପାଙ୍କୁ କହିଥିଲେ କି କିଛିଦିନ ମଧ୍ୟରେ ଏନଓସି ଆସିଗଲେ ସେ ଫ୍ଲାଟଟିକୁ ବିକ୍ରି କରି ରୂପାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଦେବେ । ହେଲେ ଅନେକ ଦିନ ବିତିଯିବା ପରେ ନାସିରଙ୍କର କିଛି ଖବର ନମିଳିବାରୁ ରୂପା ନାସିରଙ୍କ ବିଲଡର କାର୍ଯ୍ୟାଳୟରେ ପହଂଚିଥିଲେ । ହେଲେ ସେଠାରେ ଜଣେ କର୍ମଚାରୀ କହିଥିଲେ କି, ନାସିର ଉକ୍ତ ଫ୍ଲାଟକୁ ନିଜ ନାମରେ କରାଇ ନେଇଛନ୍ତି । ଏବେ ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ଉକ୍ତ ଘଟଣାର ଯାଂଚ କରୁଛି ।