ବିହାରର ନୀତିଶ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତ୍ତି : ବିଧାନସଭାରେ ବହୁମତ ସାବ୍ୟସ୍ତ କରିବ ମହାମେଣ୍ଟ ସରକାର

104

କନକ ବ୍ୟୁରୋ : ବିହାରର ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ଭାବେ ତେଜସ୍ୱୀ ଯାଦବ ଶପଥ ନେବା ପରେ ମହାମେଟ ସରକାରର ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ନିଜ କ୍ୟାବିନେଟ ସହଯୋଗୀ ତଥା ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସହ କ୍ୟାବିନେଟ ବୈଠକ କରିଛନ୍ତି ନୀତିଶ କୁମାର । ଏହି ବୈଠକରେ ବିହାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୪ ତାରିଖରୁ ବିହାର ବିଧାନସଭାରେ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ ।

ଅଧିବେଶନର ପ୍ରଥମ ଦିନରେ ମହାମେଣ୍ଟ ସରକାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ । ମହାମେଣ୍ଟ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି କରିବା ସମୟରେ ନୀତିଶ କୁମାର ତାଙ୍କ ପାଖରେ ୧୬୪ ବିଧାୟଙ୍କ ସମର୍ଥନ ଥିବା ଦାବି କରିଥିଲେ । ଏବେ ସରକାର ଗଠନ ହେବା ପରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବେ ନୀତିଶ ସରକାର । ବର୍ତମାନ ବିହାର ବିଧାନସଭାର ବାଚସ୍ପତି ବିଜୟ କୁମାର ସିହ୍ନାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ମଧ୍ୟ ପ୍ରଥମ ଦିନରେ ଚର୍ଚ୍ଚା ହୋଇପାରେ ।

ଅନାସ୍ଥା ପ୍ରସ୍ତାବ ପାରିତ ହେଲେ ତାଙ୍କ ବାଚସ୍ପତି ଆସନ ଛାଡିବାକୁ ପଡିବ । କିନ୍ତୁ ବର୍ତମାନର ପରିସ୍ଥିତିକୁ ଦେଖିଲେ ବିଜୟ କୁମାର ସିହ୍ନା ନିଜ ଆଡୁ ଇସ୍ତଫା ଦେଇପାରନ୍ତି । କାରଣ ବିଜେପି-ଜେଡିୟୁ ମେଣ୍ଟ ସମୟରେ ବିଜେପି ବିଧାୟକ ବିଜୟ କୁମାର ସିହ୍ନା ବାତସ୍ପତି ନିର୍ବାଚିତ ହୋଇଥିଲେ । ତେଣୁ ସେ ଇସ୍ତଫା ଦେବା ପରେ ଅଗଷ୍ଟ ୨୫ ତାରିଖରେ ବାଚସ୍ପତି ନିର୍ବାଚନ ହେବ ବୋଲି ସୂଚନା ମିଳିଛି ।

ଅଷ୍ଟମ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନୀତିଶ କୁମାର ବିଜେପିକୁ ଟାର୍ଗେଟ କରି ବର୍ଷିଛନ୍ତି । କହିଛନ୍ତି, ୨୦୧୪ରେ ଥିବା ଲୋକ ୨୦୨୪ରେ ଥିବେ କି ନାହିଁ ସନ୍ଦେହ । ଏଥିସହ ସହଯୋଗୀ ଦଳ ହୋଇ ବିଜେପି ଜେଡିୟୁକୁ ଭାଙ୍ଗିବାକୁ ଉଦ୍ୟମ କରୁଥିଲା ବୋଲି କହିଛନ୍ତି ନୀତିଶ । ଏହାର ଜବାବ ଦେଇ ବିଜେପି ନେତା ସୁଶୀଲ ମୋଦୀ କହିଛନ୍ତି ନୀତିଶ କୁମାର ଉପରାଷ୍ଟ୍ରପତି ପଦ ପାଇଁ ଆଶା ରଖିଥିଲେ । ଏନଡିଏ ତାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ନକରିବାରୁ ସେ ବିଜେପି ସହ ମେଣ୍ଟ ଭାଙ୍ଗିଛନ୍ତି ।