ଆଜି ରଙ୍ଗର ପର୍ବ ହୋଲି । ଦେଶ ବିଦେଶରେ ଜମୁଛି ଫଗୁ ଖେଳ । ପରସ୍ପରକୁ ଫଗୁ ବୋଳି ହୋଲି ଉତ୍ସବ ପାଳନ କରୁଛନ୍ତି ଲୋକ । ଆଉ ଏଥିପାଇଁ କିଏ କେଉଁଠି ରଙ୍ଗୋଲି ଗୀତ ଗାଇଲାଣି ତ ଆଉ କିଏ ରଙ୍ଗ ବରସେ ଗୀତରେ ନାଚି ପରସ୍ପରକୁ ବିଭିନ୍ନ ରଙ୍ଗର ଫଗୁରେ ରଙ୍ଗେଇ ଦେଲେଣି । ସରବତ , ଥଣ୍ଡାପାନୀୟର ଆସର ଭିତରେ ପିଚକାରୀ ମାରି ଭିଜାଇବାର ମଜା ନେଲେଣି ଲୋକେ । ଆଉ ରଙ୍ଗର ପର୍ବ ଭିତରେ କାହାକୁ ଅଧିକ ରଙ୍ଗ ଲାଗିଗଲେ ଯଦି ରାଗରୁଷା ବି ହେଇଯାଏ ତାହେଲେ ଗାଇ ଗାଇ ପରସ୍ପରକୁ କହିଲେଣି , ‘ହୋଲି ହେ ଭାଇ ହୋଲି ହୈ ବୁରା ନା ମାନୋ ହୋଲି ହୈ’ ।
/kanak/media/media_files/2025/03/15/Lsw6OqGepeHW0cRWmCDg.webp)
/kanak/media/media_files/2025/03/15/BAiUyTHk5CrIZD35qFXk.jpg)
କୁହାଯାଏ ମାନଅଭିମାନର ବାଡ଼କୁ ଭାଙ୍ଗୁଥିବା ପର୍ବର ନାଁ ହୋଲି । ଦେଶର ବିଭିନ୍ନ ସ୍ଥାନରେ ଏହି ପର୍ବକୁ ଭିନ୍ନ ଭିନ୍ନ ଢଙ୍ଗରେ ଖେଳିବାର ମାନ୍ୟତା କାହିଁ କେଉଁ କାଳରୁ ରହିଆସିଛି । ଯେମିତି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଭୂମିରେ ପାଳନ କରାଯାଉଥିବା ଲଠମାର୍ ହୋଲି , ଯେଉଁଠି ମହିଳାମାନେ ଲାଠି ଏବଂ ବେତ ବ୍ୟବହାର କରି ପୁରୁଷମାନଙ୍କ ସହିତ ହୋଲି ଖେଳିଥାନ୍ତି ଏବଂ ପୁରୁଷମାନେ ଲାଠିରୁ ବଞ୍ଚିବା ପାଇଁ ଢାଲ ବ୍ୟବହାର କରିଥାନ୍ତି । ମନୋରଞ୍ଜନ , ମଜା ଭିତରେ ପରମ୍ପରାକୁ ଜୀବିତ ରଖିଥିବା ଏଭଳି ହୋଲି ଖେଳ ସମସ୍ତଙ୍କୁ ଏକାଠି କରିବାର ଅନନ୍ୟ ଉଦାହରଣ ପାଲଟିଥାଏ ।
/kanak/media/media_files/2025/03/15/gJmPeHsP0sgsJNQJyp5D.jpg)
/kanak/media/media_files/2025/03/15/8ZPYkGc0xCqBfQH2lzpk.jpg)
ଏହି ପରିପ୍ରେକ୍ଷୀରେ ଆନ୍ଧ୍ରପ୍ରଦେଶ ଆଡ଼କୁ ଯଦି ନଜର ପକାଇବା ତାହେଲେ ଏଠାରେ ହୋଲିକୁ ‘ମେଦୁରୁ ହୋଲି’ ରୂପେ ପାଳନ କରାଯାଏ । ଯେଉଁଠି ପ୍ରଭୁ ଶ୍ରୀକୃଷ୍ଣଙ୍କ ଭଜନ ଗାଇ ଗାଇ ଫଗୁ ବୋଳାବୋଳି ହୁଅନ୍ତି ଲୋକେ । ଠିକ୍ ସେମିତି ଉଦୟପୁରର ମେୱାଡ଼ ରାଜ ପରିବାରରେ ଆଜି ବି ରାଜବଂଶର ପାରମ୍ପରିକ ଛୁଟିଦିନ ପାଳନ ସହ ରାଜକୀୟ ବ୍ୟାଣ୍ଡର ଏକ ବିରାଟ ଘୋଡ଼ା ଶୋଭାଯାତ୍ରା ବାହାରେ । ଉତ୍ତରାଖଣ୍ଡରେ ମଧ୍ୟ ନିଆରା ପରମ୍ପରାରେ ହୋଲି ଉତ୍ସବ ପାଳନ କରାଯାଏ ।
/kanak/media/media_files/2025/03/15/XukvYnD95b0yxFy2n3i1.jpg)
/kanak/media/media_files/2025/03/15/iV5p1vVOMfN7dyXgCILV.jpg)
ପାହାଡ଼ି ଅଞ୍ଚଳର କୁମାଉଁ ଆଖପାଖ ସହରଗୁଡ଼ିକରେ ଲୋକମାନେ କୁମାଉଁନି ହୋଲି ପାଳନ କରନ୍ତି । କୃଷକ ସମ୍ପ୍ରଦାୟ ପାଇଁ ବୁଣାବୁଣି ଋତୁର ଆରମ୍ଭ ଏହି ଉତ୍ସବରୁ ହିଁ ହୋଇଥାଏ । ମହାରାଷ୍ଟ୍ରରେ ‘ରଙ୍ଗ ପଞ୍ଚମୀ’ , ପଶ୍ଚିମବଙ୍ଗରେ ଦୋଳ ପୂର୍ଣ୍ଣିମା ଏବଂ ଗୋଆରେ ହୋଲିକୁ ‘ଶିଗମୋ’ ଅର୍ଥାତ୍ ବସନ୍ତ ଉତ୍ସବର ଆଗମନ ରୂପେ ପାଳନ କରାଯାଏ । ବୃନ୍ଦାବନରେ ଫୁଲର ହୋଲି ଏବଂ ଦହିହାଣ୍ଡି ଭାଙ୍ଗି ଅବିରରେ ହୋଲି ଖେଳ ତ ସାରା ଦେଶରେ ପ୍ରସିଦ୍ଧ । ତେବେ ଏ ତ ଗଲା ଫଗୁ ରଙ୍ଗ ଏବଂ ଫୁଲରେ ହୋଲି ଖେଳିବା ପରମ୍ପରାର ଏକ ଝଲକ । କିନ୍ତୁ ଏମିତି ଏକ ସ୍ଥାନ ରହିଛି ଯେଉଁଠାରେ ରଙ୍ଗର ପର୍ବକୁ ଅବିର ବୋଳି ନୁହଁ ମଶାଣି ପାଉଁଶ ବୋଳି ପାଳନ କରାଯାଏ । ଆଉ ଉକ୍ତ ସ୍ଥାନଟି ହେଉଛି ବାରାଣସୀ ।
/kanak/media/media_files/2025/03/15/90AToMOh5zDmMxlQPo3J.jpg)
ମୋକ୍ଷର ସ୍ଥାନ କୁହାଯାଉଥିବା ବାରାଣସୀରେ ବାବା ବିଶ୍ୱନାଥଙ୍କ ସହ ସଙ୍ଗଠିତ ହୁଏ ନିଆରା ହୋଲି ଖେଳ । ଫଗୁଣ ଏକାଦଶୀ ତିଥିରେ ବାବା ବିଶ୍ୱନାଥ ପ୍ରଥମେ ମା’ ପାର୍ବତୀଙ୍କ ସହ ବିମାନରେ ଆସି ପରିକ୍ରମା କରି ମଣିକର୍ଣ୍ଣିକା ଘାଟକୁ ବିଜେ କରନ୍ତି । ସେଠାରେ ଲୋକଙ୍କୁ ଦାହ କରାଯାଇଥିବା ଚିତା ଭସ୍ମକୁ ଅଣାଯାଇ ମହାଦେବଙ୍କ ସହ ହୋଲି ଖେଳନ୍ତି ଶ୍ରଦ୍ଧାଳୁ ଓ ସେବାୟତ । ମହାଦେବଙ୍କ ସହ ଭସ୍ମ ହୋଲି ଖେଳିବା ପରେ ପରସ୍ପରକୁ ଭସ୍ମ ବୋଳାବୋଳି ହୁଅନ୍ତି ଶ୍ରଦ୍ଧାଳୁ । ଡମ୍ବରୁର ଘର୍ଘର ଶବ୍ଦ ଓ ହର ହର ମହାଦେବ ଡାକରେ ସମ୍ପୁର୍ଣ୍ଣ ପରିବେଶ ଭକ୍ତିମୟ ହୋଇପଡ଼େ ।
/kanak/media/media_files/2025/03/15/yCkE8mVIECqPQMNEdUfg.jpg)
ରଙ୍ଗଭରୀ ଏକାଦଶୀ ଅବସରରେ ଶ୍ମଶାନ ପାଉଁଶରେ ଆରମ୍ଭ ହୁଏ ହୋଲି ଖେଳ । ଏହି ନିଆରା ଖେଳକୁ ଦେଖିବା ପାଇଁ ଦେଶବିଦେଶରୁ ପର୍ଯ୍ୟଟକ ବାରାଣାସୀର ମଣିକର୍ଣ୍ଣିକା ଘାଟକୁ ଆସିଥାନ୍ତି । ୩୦୦ ବର୍ଷରୁ ଅଧିକ ପୁରୁଣା ଏହି ଶ୍ମଶାନ ହୋଲି ହରିଶ୍ଚନ୍ଦ୍ର ଘାଟରେ ପାଳନ କରାଯାଏ । ମୋକ୍ଷଭୂମି ବାରାଣସୀରେ ମୃତ୍ୟୁକୁ ଦୁଃଖର ଦିନ ରୂପେ ନୁହେଁ ବରଂ ଆତ୍ମା ମୁକ୍ତିର ଉତ୍ସବ ଭଳି ପାଳନ କରାଯାଏ । ଆଉ ଏହି ଉତ୍ସବ ପାଳନ ହୁଏ ମଣିକର୍ଣ୍ଣିକା ଘାଟରେ । ମଣିକର୍ଣ୍ଣିକା ଘାଟ ହେଉଛି ବିଶ୍ୱର ଏକମାତ୍ର ଶ୍ମଶାନ ଯେଉଁଠାରେ ଚିତା କେବେ ବି ଲିଭେ ନାହିଁ । ଏଠାରେ ଅଗ୍ନି ହଜାର ହଜାର ବର୍ଷ ଧରି ନିରନ୍ତର ଜଳୁଛି ଏବଂ ଶାସ୍ତ୍ରରେ କୁହାଯାଇଛି ଯେ ଏହି ଅଗ୍ନିକୁ ସ୍ୱୟଂ ଦେବାଧିଦେବ ମହାଦେବ ପ୍ରଜ୍ୱଳିତ କରିଥିଲେ ।
ଶାସ୍ତ୍ର ଅନୁସାରେ , ଯେତେବେଳେ ମହାଦେବ ରଙ୍ଗଭରୀ ଏକାଦଶୀ ଦିନ ମାତା ପାର୍ବତୀଙ୍କୁ ବିବାହ କରି କାଶୀ ଆଣିଥିଲେ, ସେହିଦିନ ସମସ୍ତେ ନବବିବାହିତ ଦମ୍ପତିଙ୍କ ସହ ଅବିରରେ ହୋଲି ଖେଳିଥିଲେ । ଭୂତନାଥଙ୍କ ବିବାହର ଖୁସିରେ ଭୂତ-ପ୍ରେତ, ଅଘୋରୀ, ସାଧୁ ଏବଂ ଅନ୍ୟାନ୍ୟ ଜୀବଜନ୍ତୁ ସାମିଲ ହୋଇପାରିନଥିଲେ । ତେଣୁ, ରଙ୍ଗଭରୀ ଏକାଦଶୀର ପରଦିନ ମହାଦେବ ଏମାନଙ୍କ ସହ ଶ୍ମଶାନରେ ହୋଲି ଖେଳିଥିଲେ । ଉକ୍ତ ଦିନ ଠାରୁ ମହାଦେବଙ୍କ ସହ ଚିତା ଭସ୍ମରେ ହୋଲି ଖେଳିବାର ପରମ୍ପରା ଆରମ୍ଭ ହୋଇଥିଲା ।
/kanak/media/media_files/2025/03/15/MovpQNV3D8Uh8YTFNtPO.jpg)
ଶ୍ମଶାନ ହୋଲିରେ ଅଘୋରୀ ସାଧୁ ଭାଗ ନିଅନ୍ତି । ଏହି ସାଧୁମାନେ ଚିତାର ଭସ୍ମ ନିଜ ଶରୀରରେ ଲଗାନ୍ତି ଏବଂ ଭଗବାନ ଶିବଙ୍କ ଆରାଧନା କରନ୍ତି । ଶରୀରରେ ପାଉଁଶ ବୋଳି ଅଘୋରୀ ସାଧୁ ମୃତ୍ୟୁର ଉତ୍ସବ ପାଳନ କରନ୍ତି । ସାଧୁଙ୍କ ମତରେ ମୃତ୍ୟୁ ହିଁ ମୁକ୍ତି ଦିଏ ତେଣୁ ଏଥିରେ ଶୋକ ନୁହଁ ଉତ୍ସବ ପାଳନ କରିବା ଆବଶ୍ୟକ । ଅଘୋରୀ ସାଧୁ ଏହି ଦିନ ଭାଙ୍ଗ ଏବଂ ଚିତା ଭସ୍ମକୁ ପ୍ରସାଦ ଭଳି ଗ୍ରହଣ କରନ୍ତି । କୁହାଯାଏ ଏହି ଦିନ ଶିବଙ୍କ ବରଯାତ୍ରୀ ରୂପେ ନାଗା ସାଧୁ, ତାନ୍ତ୍ରିକ ଏବଂ ଅଘୋରୀ ସାଧୁ କାଶୀର ଗଳି ଦେଇ ମଣିକର୍ଣ୍ଣିକା ଘାଟରେ ପହଞ୍ଚନ୍ତି ।
/kanak/media/media_files/2025/03/15/qM4VWcjtLCEa9qzVmOLm.jpg)
ଏଠାରେ ସେମାନେ ଶବର ଚିତାରୁ ବାହାରୁଥିବା ଭସ୍ମକୁ ନିଜ ଦେହରେ ବୋଳି ହୁଅନ୍ତି ଏବଂ ଏହାକୁ ଶିବଙ୍କ କୃପା ବୋଲି ମାନନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ ଏହା ଦ୍ୱାରା ସେମାନେ ମୃତ୍ୟୁର ଭୟରୁ ମୁକ୍ତ ହୋଇପାରିବେ ଏବଂ ଆତ୍ମଜ୍ଞାନ ପ୍ରାପ୍ତ କରିପାରିବେ । କାଶୀରେ ମୃତ୍ୟୁକୁ ପୁନର୍ଜନ୍ମରୁ ମୁକ୍ତିର ମାର୍ଗ ଭାବରେ ବିବେଚନା କରାଯାଏ । ସେଥିପାଇଁ ଏଠାରେ ଯେତେବେଳେ କାହାର ମୃତ୍ୟୁ ହୁଏ ତେବେ ସମ୍ପର୍କୀୟ କାନ୍ଦନ୍ତି ନାହିଁ ବରଂ ଆତ୍ମା ଶିବଙ୍କ ଚରଣରେ ଚାଲିଯାଇଛି ବୋଲି ମାନନ୍ତି । ହୋଲିର ଏହି ଅବସରରେ ମୃତ୍ୟୁକୁ ଏକ ଉତ୍ସବ ଭଳି ପାଳନ କରାଯାଏ, ଯାହାଦ୍ୱାରା ଜୀବନର ସତ୍ୟକୁ ସ୍ୱୀକାର କରାଯାଇପାରିବ ।