ପବିତ୍ର ଭୂମି ପ୍ରୟାଗରାଜରେ ମହାକୁମ୍ଭକୁ ନେଇ ଭବ୍ୟ ଆୟୋଜନ ହୋଇଛି । ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ସଙ୍ଗମ ନଗରୀକୁ ଆସି ଆସ୍ଥାର ବୁଡ଼ ପକାଉଛନ୍ତି । ଆଧ୍ୟାତ୍ମିକ ଏବଂ ଭକ୍ତିଭାବର ନିଆରା ଯୁଗଳବନ୍ଦୀର ସାକ୍ଷୀ ହୋଇଛି ମହାକୁମ୍ଭମେଳା । ସଙ୍ଗମରେ ବୁଡ଼ ପକାଇ ଭକ୍ତ ମୋକ୍ଷପ୍ରାପ୍ତି ପାଇଁ କାମନା କରୁଛନ୍ତି । ମାନ୍ୟତା ଅଛି ମହାକୁମ୍ଭ ବେଳାରେ ଭକ୍ତିମନରେ ସଙ୍ଗମରେ ବୁଡ଼ ପକାଇଲେ ସବୁ ପାପରୁ ମୁକ୍ତ ହେବାର ବରଦାନ ମିଳେ । ଏହି ମାନ୍ୟତା ଯୋଗୁଁ ଅନେକ ଶ୍ରଦ୍ଧାଳୁ ନିଜ ପିତାମାତା, ଶାଶୂ-ଶ୍ବଶୁର ଏବଂ ବୃଦ୍ଧ ଅଭିଭାବକଙ୍କୁ ନେଇ ମହାକୁମ୍ଭ ପହଁଚୁଛନ୍ତି । ବର୍ଦ୍ଧିତ ବୟସ କାରଣରୁ ଯେଉଁ ବୟୋଜ୍ୟୋଷ୍ଠ ମହାକୁମ୍ଭର ଗହଳିକୁ ଆସିବାକୁ ଅସମର୍ଥ , ସେମାନଙ୍କୁ ଏହି ଆଧ୍ୟାତ୍ମିକତାର ଅନୁଭବ କରାଇବା ପାଇଁ ପିଲାମାନେ ଯୋଗାଡ଼ ଲଗାଇବାକୁ ମଧ୍ୟ ପଛାଉନାହାନ୍ତି । ମହାକୁମ୍ଭର ଏଭଳି ଅନେକ ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି , ଯାହା ବର୍ତ୍ତମାନର ସନ୍ତାନଙ୍କ ପାଇଁ ଏକ ବଡ଼ ଉଦାହରଣ ପାଲଟିବ । ଭିଡ଼ିଓ ଦେଖିଲେ ମନ ଆପେ କହୁଛି , କଳିଯୁଗରେ ବି ଏମିତି ସନ୍ତାନ ବି ଅଛନ୍ତି ..
/kanak/media/media_files/2025/02/01/i4Yv2scrxxSk3fDrH9aC.png)
ଜଣେ ଥିଲେ ଶ୍ରବଣକୁମାର ,ଯେ ନିଜ ଦୃଷ୍ଟିହୀନ ପିତାମାତାଙ୍କୁ କାନ୍ଧଭାରରେ ବସାଇ ତୀର୍ଥଯାତ୍ରା କରିଥିଲେ , ଯାହାଙ୍କ ମାତୃପିତୃଭକ୍ତିର ଗାଥା ଯୁଗ ଯୁଗ ପାଇଁ କାଳଜୟୀ । ହେଲେ ଏ କଳିଯୁଗରେ ଅନେକ କୁଳାଙ୍ଗାର ପୁଅ ଅଛନ୍ତି ଯେଉଁମାନେ ବୁଢା ବାପା-ମା’ଙ୍କ ସେବାକୁ ବୋଝ ବୋଲି ଭାବନ୍ତି ଏବଂ ମହାକୁମ୍ଭର ମହାମେଳାର ଗହଳି ଭିତରେ ପିତାମାତାଙ୍କୁ ଛାଡ଼ିଦେଇ ଆସନ୍ତି । ଶୀତରାତିରେ ଚଳନ୍ତି ଠାକୁରଙ୍କୁ ପାଳଗଦା ଉପରେ ବସାଇ ଘରକୁ ଆସି ଶାନ୍ତିରେ ବିଛଣାରେ ଶୁଅନ୍ତି । ସମାଜର ଏ କୁରୂପ ଦେଖିଲେ ଆତ୍ମା କାନ୍ଦିଉଠିଛି । ବୁଢା ବାପା, ମା’ଙ୍କ ସେବା ଭଗବାନଙ୍କ ସେବା ଏହା କେବଳ ପୁସ୍ତକରେ ଲିପିବଦ୍ଧ ହୋଇରହିଛି । କିନ୍ତୁ ଏହାକୁ ବି ମାନିବାକୁ ପଡ଼ିବ ଯେ ଆଜି ଯଦି ରାମାୟଣର ମହାତ୍ମ୍ୟ ଘରେ ଘରେ ଶୁଣିବାକୁ ମିଳୁଛି ତାହେଲେ ଏହା ପଛରେ ଉଭୟ ରଘୁବୀର ଏବଂ ଲଙ୍କାପତିଙ୍କ ଅବଦାନ ସମାନ ରହିଛି । ଠିକ୍ ସେହିଭଳି ମହାକୁମ୍ଭରେ କେବଳ ସନ୍ତାନ ବୃଦ୍ଧ ପିତାମାତାଙ୍କୁ ଛାଡ଼ି ଆସୁନାହାନ୍ତି , ଅନେକ କଳିଯୁଗର ଶ୍ରବଣକୁମାର ମଧ୍ୟ ନିଜ ବୃଦ୍ଧ ପିତାମାତାଙ୍କୁ ହାତଗାଡ଼ିରେ ବସାଇ କୁମ୍ଭମେଳା ନେଇଯାଉଛନ୍ତି । ମାତୃପ୍ରେମର ଏ ଦୁର୍ଲ୍ଲଭ ଦୃଶ୍ୟ ଦେଖିବାକୁ ମିଳିଛି ମହାକୁମ୍ଭମେଳାରେ ।
/kanak/media/media_files/2025/02/01/5ELEoBBh1FgonT1vf7gO.png)
ଉତ୍ତରପ୍ରଦେଶର ମୁଜ୍ଜଫରନଗରର ଜଣେ ୯୨ ବର୍ଷୀୟା ବୁଢୀ ମା’ଙ୍କୁ ତାଙ୍କର ୬୫ ବର୍ଷୀୟ ପୁଅ ହାତଗାଡ଼ିରେ ବସାଇ ଟାଣି ଟାଣି ପ୍ରୟାଗରାଜ ନେଇ ଯାଉଛନ୍ତି । ସଙ୍ଗମରେ ବୁଡ଼ ପକାଇବା ପାଇଁ ଇଚ୍ଛା ଥିବାରୁ ପୁଅ ମା’ଙ୍କ ଇଚ୍ଛାକୁ ସମ୍ପୁର୍ଣ୍ଣ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଦୃଶ୍ୟଟି ଦେଖିଲେ ଗୋଟିଏ ଗୀତ ମନେପଡ଼ିଯାଉଛି , ‘ମା’ ଯାଚିଥିଲା ପୁଅଟିଏ ହେଲେ ଟାଣିବ ତୋ ନନ୍ଦିଘୋଷ’ .. ହେଲେ ଏଇଠି ପୁଅ ହିଁ ମା’ଙ୍କୁ ଟାଣି ମହାକୁମ୍ଭକୁ ନେଇଯାଉଛନ୍ତି । ଆଉ ସମାଜ ପାଇଁ ମାତୃଭକ୍ତିର ଉଦାହରଣ ଦେଇଛନ୍ତି ।
ଏ ତ ଗଲା ଜନ୍ମକଲା ପୁଅର କର୍ତ୍ତବ୍ୟର କାହାଣୀ । କିନ୍ତୁ ନିଜ ବୁଢୀ ଶାଶୂ ମା’ଙ୍କୁ କାନ୍ଧରେ ବସାଇ ମହାକୁମ୍ଭ ନେଇଥିବା ଜଣେ ବୋହୂଙ୍କ କାହାଣୀ ଆପଣ ଜାଣିଛନ୍ତି କି? ସୋସିଆଲ୍ ମିଡ଼ିଆରେ ଏମିତି ହିଁ ଜଣେ ବୋହୂଶାଶୂଙ୍କ ଫଟୋ ଭାଇରାଲ୍ ହେଉଛି । ଯେଉଁଥିରେ ଚାଲିବାକୁ ଅସମର୍ଥ ଶାଶୂଙ୍କୁ କାନ୍ଧରେ ବସାଇ ବୋହୂଜଣକ ମହାକୁମ୍ଭକୁ ନେଇଯାଉଥିବାର ନଜର ଆସୁଛନ୍ତି । ଫଟୋଟିକୁ ଯେ କେହିବି ଦେଖୁଛନ୍ତି ଏମିତି ବୋହୂକୁ ଶହେ ସଲାମ୍ ନକହି ରହିପାରୁନାହାନ୍ତି ।