ବୟଜ୍ୟେଷ୍ଠ କୁହନ୍ତି , ଈଶ୍ବର ଯୋଡ଼ି ଉପରୁ ବନାଇ ପୃଥିବୀକୁ ପଠାଇଥାଆନ୍ତି । ମଣିଷର କାମ ଏତିକି ନିଜ ମନର ମଣିଷକୁ ଚିହ୍ନି ସଂପର୍କର ସୂତାକୁ ମଜବୁତ କରି ସଂପୂର୍ଣ୍ଣତାର ଆକାର ଦେବା । କିଏ ବିବାହର ପବିତ୍ର ବନ୍ଧନରେ ବାନ୍ଧି ହୋଇ ନିଜ ପ୍ରାଣପ୍ରିୟକୁ ପାଆନ୍ତି ତ ଆଉ କିଏ ପ୍ରେମର ଅଥଳ ସାଗରରେ ଲୀନ ହୋଇ ପ୍ରେମର ମାର୍ମିକ ଅର୍ଥକୁ ବୁଝିବାକୁ ପ୍ରୟାସ କରନ୍ତି । ସେ ଯାହା ହେଉ ପ୍ରେମ ସବୁବେଳେ ବିଜୟର ମୁକୁଟ ପିନ୍ଧେ ଏଥିରେ ସନ୍ଦେହ ନାହିଁ , ଆଉ ଯଦି ପ୍ରେମ ହାରିଗଲା ବୋଲି ଲାଗେ ତାହେଲେ ସେ ପ୍ରେମ ହିଁ ନୁହଁ । 

Advertisment
Mrg
Mrg Photograph: (google)

ଆଜିର ସମୟରେ ଯୁବାଗୋଷ୍ଠୀ ଈଶ୍ବର ପ୍ରେମରେ ନିଜକୁ ଲୀନ କରୁଛନ୍ତି । ହିନ୍ଦୁ ରୀତିନୀତିରେ ଈଶ୍ବରଙ୍କୁ ସମର୍ପିତ ହେଉଛନ୍ତି । କିଏ ଜୈନ ବିବାହ କରି କୋଟି କୋଟି ସମ୍ପତ୍ତି ଛାଡ଼ି ସନ୍ନ୍ୟାସ ମାର୍ଗକୁ ଆପଣାଉଛନ୍ତି ତ ଆଉ କିଏ ସମାଜର ଦୋମୁହାଁନୀତିରେ ଅତିଷ୍ଠ ହୋଇ ଦେବାଧିଦେବଙ୍କ ଚରଣରେ ନିଜକୁ ଦାସ ରୂପେ ସମର୍ପିତ କରୁଛନ୍ତି । ଠିକ୍ ଏହିଭଳି ହିଁ ଏକ ମାମଲା ଏବେ ଶ୍ରୀକୃଷ୍ଣ ନଗରୀ ମଥୁରାରୁ ଆସିଛି । ଶୁକ୍ରବାର ମଥୁରାରେ ଭଗବାନ ଶାଳଗ୍ରାମଙ୍କ ସହ ହିନ୍ଦୁ ରୀତିନୀତିରେ ଜଣେ ଦିବ୍ୟାଙ୍ଗ ଯୁବତୀ ବିବାହ କରିଛନ୍ତି ।

Shittal
Shittal Photograph: (google)

ବିବାହରେ ଶାଳଗ୍ରାମ ଠାକୁର ବରବେଶରେ ଆସିଲେ ତ ଦିବ୍ୟାଙ୍ଗ ଯୁବତୀ ଶୀତଲ୍ ଅଗ୍ରୱାଲ୍ କନିଆଁ ବେଶରେ ପହଁଞ୍ଚିଲେ । ଶୀତଲ୍ ପିଲାଟିବେଳୁ ଦିବ୍ୟାଙ୍ଗ ହେବା ସହିତ କଥା କହିପାରନ୍ତି ନାହିଁ । ୨ ପୁଅ ଏବଂ ଏକମାତ୍ର ଝିଅ ଶୀତଲଙ୍କୁ ନେଇ ପରିବାର ଗଢିଥିବା ବାପା ପ୍ରମୋଦ ସବୁବେଳେ ଝିଅର ବିବାହକୁ ନେଇ ଚିନ୍ତିତ ରହୁଥିଲେ । ଏହି ସମସ୍ୟା ନେଇ ସେ ସନ୍ଥ ସମାଜ ପାଖକୁ ଗଲେ ଏବଂ ଝିଅର କନ୍ୟାଦାନ କରିବା ପାଇଁ ଇଚ୍ଛା ପ୍ରକଟ କଲେ । ସନ୍ଥ ସମାଜ କନ୍ୟାଦାନ ଭଳି ପୂଣ୍ୟକୁ ଜଣେ ବାପାଙ୍କୁ ପ୍ରାପ୍ତ କରାଇବା ପାଇଁ ଏକ ମନଲୋଭା ପ୍ରସ୍ତାବ ଦେଲେ । ଭଗବାନ ଶାଳଗ୍ରାମଙ୍କ ସହ ଝିଅର ବିବାହ କରିବା ପାଇଁ ସନ୍ଥ ବିଜ୍ଞଙ୍କ ପ୍ରସ୍ତାବ ପ୍ରମୋଦଙ୍କୁ ପ୍ରସନ୍ନ କଲା ।  

saligram
saligram Photograph: (google)

ଭଗବାନଙ୍କ ସହ ଝିଅର ବିବାହ କେଉଁ ବାପାଙ୍କୁ ଅବା ଅମଙ୍ଗ ହେବ ! ନିଜକୁ ଭାଗ୍ୟବାନ ମନେ କରି ପ୍ରମୋଦ ଅଗ୍ରୱାଲ୍ ଝିଅ ଶୀତଲର ବିବାହ କଥା ଘରେ ଉଠାଇଲେ । ପରିବାର ସହ ପରାମର୍ଶ କରି ବଡ଼ ଧୁମଧାମର ସହ ବୈଦିକ ମନ୍ତ୍ରୋଚାରଣ ଭିତରେ ଝିଅର ବିବାହ କରିବା ପାଇଁ ପ୍ରମୋଦ ନିଷ୍ପତ୍ତି ନେଲେ । ଫେବୃୟାରୀ ୧୯ ତାରିଖରେ ଭଗବାନ ଶାଳଗ୍ରାମଙ୍କ ସହ ଝିଅ ଶୀତଲର ବିବାହ ହେଲା । ଶାଳଗ୍ରାମ ଠାକୁରଙ୍କ ବରଯାତ୍ରୀ ଆସିଲେ , ଡେହରୀ ପୂଜା ସମ୍ପନ୍ନ ହେଲା , ପରିଗ୍ରହ ସଂସ୍କାର ଏବଂ ଅନ୍ୟାନ୍ୟ ହିନ୍ଦୁ ରୀତିନୀତି ସହ ବିବାହ ବଡ଼ ଧୁମଧାମର ସହକାରେ ସଂପନ୍ନ ହେଲା ।