ଆଜିର ସମୟରେ ଦେଶରେ ଯୁବପିଢୀଙ୍କ ଠାରୁ ଆରମ୍ଭ କରି ଆବାଳ ବୃଦ୍ଧବନିତାଙ୍କ ମନରେ ଭଜନ ମାଧ୍ୟମରେ ଭକ୍ତିଭାବ ଭରିଦେଉଥିବା ଜଣେ ଗାୟକଙ୍କ ନାଁ ହେଉଛି ‘ହଂସରାଜ ରଘୁବଂଶୀ’ । କେବେ ଭକ୍ତିମାର୍ଗରୁ ଦୂରେଇ ରହୁଥିବା ଯୁବଗୋଷ୍ଠୀ ଆଜିର ସମୟରେ ଆଧ୍ୟାତ୍ମିକର ବୁଡ଼ ପକାଇବାକୁ ଆଗଭର ହେଉଛନ୍ତି । ଆଉ ଏଥିପାଇଁ ଭଜନ ମାଧ୍ୟମରେ ପରୋକ୍ଷ ଭାବରେ ଭକ୍ତିମାର୍ଗର ରାସ୍ତା ଦେଖାଉଛନ୍ତି ଏହି ଗାୟକ । ମହାଦେବଙ୍କ ଭକ୍ତ ବୋଲାଉଥିବା ହଂସରାଜ ନିଜ ଦେହରେ ଶିବଙ୍କ ଟାଟୁ କରିବା ସହ ଲମ୍ବା ଜଟା ରଖିଛନ୍ତି ।

Advertisment
Hanshi
Hanshi Photograph: (google)

ନିଜ ଭଜନ ଭିଡ଼ିଓରେ ଦେବାଧିଦେବ ମହାଦେବଙ୍କ ପ୍ରତି ଥିବା ତାଙ୍କର ଅନାବିଳ ପ୍ରେମ ଏବଂ ଭକ୍ତିଭାବର ଝଲକ ଜଣାପଡୁଛି । ହଂସରାଜ ଭୋଳାନାଥଙ୍କ ଭକ୍ତିରେ ନିମଗ୍ନ ହୋଇ ନାଚୁଥିବାର ଅନେକ ଭଜନ ଭିଡିଓ ୟୁଟ୍ୟୁବରେ ଦର୍ଶକ ପ୍ରତିଦିନ ଦେଖୁଛନ୍ତି । ବିଭିନ୍ନ ଦେବାଦେବୀଙ୍କ ଭଜନ ଗାଉଥିଲେ ମଧ୍ୟ ମହାଦେବଙ୍କ ପ୍ରତି ହଂସରାଜ ସମର୍ପିତ ବୋଲି ଜଣାପଡ଼େ । ଗାୟକଙ୍କ ଅଧାରୁ ଅଧିକ ଭଜନ କେବଳ ମହାଦେବଙ୍କ ଉପରେ ଆଧାରିତ । ଯେଉଁଥିରେ ହୋ ମେରା ଭୋଲା ହେ ଭଣ୍ଡାରୀ କରେଁ ନନ୍ଦି କି ସୱାରୀ , ଲାଗି ମେରୀ ପ୍ରିତ୍ ତେରେ ଶଙ୍କରା , ଶିବ ସମାରହେଁ ମୁଝମେ ଔର ମେ ଶୂନ୍ୟ ହୋ ରହା ହୁଁ , ପାର୍ବତୀ ବୋଲି ଶଙ୍କର ସେ ଭଳି ଭଜନ ସାମିଲ୍ ରହିଛି ।  

Hansraj shiv
Hansraj shiv Photograph: (google)

ହିମାଚଳପ୍ରଦେଶର ମାଙ୍ଗଲ ନାମକ ଏକ ଗାଁରେ ଜନ୍ମିତ ହଂସରାଜ ପାଠପଢାରେ ଦୁର୍ବଳ ଥିଲେ ମଧ୍ୟ ଗୀତ ଗାଇବାରେ ତାଙ୍କର ପ୍ରବଳ ରୁଚି ଥିଲା । ଘରର ଆର୍ଥୀକ ସ୍ଥିତି ଖରାପ ଥିବା ଯୋଗୁଁ ଯେଉଁ କଲେଜରେ ସେ ପାଠ ପଢୁଥିଲେ ସେଠାକାର କ୍ୟାଣ୍ଟିନରେ ହିଁ ବାସନ ମାଜିବା କାମ କରିଥିଲେ । କୁହନ୍ତି , ସଂଘର୍ଷ ହିଁ ସଫଳତାର ବାଟ କଢାଏ । ଏହା ହଂସରାଜଙ୍କ କ୍ଷେତ୍ରରେ ଶତପ୍ରତିଶତ ସତ ହୋଇଛି କହିଲେ କିଛି ଭୁଲ୍ ହେବନି । ସେତେବେଳେ ଟଙ୍କା ପାଇଁ କ୍ୟାଣ୍ଟିନରେ ବଡ଼ ବଡ଼ ହଣ୍ଡା ମାଜୁଥିବା ଯୁବକ ଆଜିର ସମୟରେ ଲକ୍ଷ ଲକ୍ଷ ଯୁବକଙ୍କ ଆଇକନ୍ ପାଲଟିଛନ୍ତି ।

baba raghu
baba raghu Photograph: (google)

ହଂସରାଜ କିଛି ସମୟ ପାଇଁ ଦିନମଜୁରିଆ କାମ ମଧ୍ୟ କରିଥିଲେ ଏବଂ ସେତେବେଳେ ହିଁ ନିଜ କ୍ୟାରିୟରର ପ୍ରଥମ ଗୀତ ‘ବାବା ଜୀ’ କମ୍ପୋଜ୍ କରି ସେ ୟୁଟ୍ୟୁବରେ ପୋଷ୍ଟ୍ କରିଥିଲେ । ୨୦୧୮ ରେ ତାଙ୍କର କିଛି ଭଜନ ୟୁଟ୍ୟୁବକୁ ଆସିଥିଲା କିନ୍ତୁ ସେତେଟା ଲୋକପ୍ରିୟତା ସାଉଁଟି ପାରିନଥିଲା । ଏହାର ଠିକ୍ ବର୍ଷକ ପରେ ୨୦୧୯ ରେ ଆସିଲା , ମେରା ଭୋଲା ହେ ଭଣ୍ଡାରୀ କରେଁ ନନ୍ଦି କି ସୱାରୀ ଭଜନ । ଭଜନଟି ସଂଗୀତପ୍ରେମୀଙ୍କୁ ଏତେ ମନ୍ତ୍ରମୁଗ୍ଧ କଲା ଯେ ମ୍ୟୁଜିକ୍ ଭିଡିଓଟି କିଛି ଦିନରେ ହିଁ ମିଲିୟନ୍ ଭ୍ୟୁଜ୍ କ୍ରସ୍ କରିଥିଲା ଏବଂ ଖୁବ୍ ଚର୍ଚ୍ଚାରେ ରହିଥିଲା । ଏହାପରେ ହଂସରାଜଙ୍କ ପାଖାପାଖି ୫୦ ରୁ ଅଧିକ ଭଜନ ସଂଗୀତ ୟୁଟ୍ୟୁବରେ ପୋଷ୍ଟ୍ କରାଯାଇଛି । 

raghuwanshi
raghuwanshi Photograph: (google)

ପ୍ରକୃତିପ୍ରେମୀ ହଂସରାଜ କୁତ୍ରିମ ସେଟରେ ଭଜନ ସୁଟିଂ କରିବା ବଦଳରେ କାହିଁକି ସବୁବେଳେ ପ୍ରକୃତିରେ ସୁଟିଂ କରିବାକୁ ପସନ୍ଦ କରନ୍ତି ଏହି ପ୍ରଶ୍ନରେ ସେ କୁହନ୍ତି ,  ‘ପ୍ରକୃତିରେ ମହାଦେବଙ୍କ ଅନୁଭବ ହୋଇଥାଏ । ଯାହା କୁତ୍ରିମ ସେଟରେ ହୋଇପାରେନାହିଁ। ମୋ ପ୍ରତିଟି ଭଜନରେ ଶିବଙ୍କ ପ୍ରତି ଭକ୍ତିଭାବ ରହିଥାଏ । ଭଜନ ସୁଟିଂ କଲାବେଳେ ମୁଁ ଭୋଳାବାବାଙ୍କ ଭକ୍ତିରେ ଲୀନ ହୋଇଯାଏ ଏବଂ କେତେବେଳେ ଆଖିରୁ ଲୁହ ବାହାରିଆସେ ଜଣାପଡେନାହିଁ । ଆଉ ସେହି ସମୟରେ ମତେ ସାରା ସଂସାର ଶିବମୟ ଦେଖାଯାଏ ’। 

ଶୁଦ୍ଧ ଶାକାହାରୀ ଜୀବନଚର୍ଯ୍ୟା ଆପଣାଉଥିବା ହଂସରାଜ ରଘୁବଂଶୀ ଘର ବ୍ୟତିତ ବାହାରର କୌଣସି ଖାଦ୍ୟ ଖାଆନ୍ତି ନାହିଁ କି ନିଶା କରନ୍ତି ନାହିଁ । ଏମିତିକି ପାର୍ଟି , କ୍ଲବ୍ , ଡିସ୍କୋ ଆଦି ଠାରୁ ଦୂରେଇ ରୁହନ୍ତି ଏହି ଲୋକପ୍ରିୟ ସିଙ୍ଗର୍ । ଜଟାଧାରୀଙ୍କ ଭକ୍ତ ହୋଇଥିବାରୁ ହଂସରାଜ ମଧ୍ୟ ଜଟା ରଖିବାକୁ ପସନ୍ଦ କରନ୍ତି । ପିଲାବେଳୁ ଭୋଳାବାବାଙ୍କ ଭକ୍ତ ହୋଇଥିଲେ ହେଁ ପ୍ରଥମ ଗୀତରୁ ସେ ଚୁଟି ରଖିବା ଆରମ୍ଭ କରିଥିଲେ । ଯାହା ବର୍ତ୍ତମାନ ଜଟାର ଆକୃତି ନେଇଛି । 

singer
singer Photograph: (google)