ଦେବାଧିଦେବ ମହାଦେବଙ୍କ ମହାଶିବରାତ୍ରୀ , ଜାଗରକୁ  ସାରା ଦେଶରେ ଧୁମଧାମରେ ପାଳନ କରାଯାଉଛି । ନୀଳକଣ୍ଠଙ୍କ ଆରାଧନା ପାଇଁ ସବୁ ଶିବାଳୟ ନବବଧୂ ପରି ସଜେଇ ହୁଏ । ବିଭିନ୍ନ ପୁରାଣରେ ମହାଶିବରାତ୍ରୀର ମାହାତ୍ମ୍ୟ ଭିନ୍ନ ଭିନ୍ନ ରୂପରେ ବର୍ଣ୍ଣିତ । ଯାହାର ଆଦି ଓ ଅନ୍ତ ଅନ୍ବେଷଣ କରିବା ସାଧାରଣ ମଣିଷ ପକ୍ଷେ ସମ୍ଭବ ନୁହଁ । ଭାରତରେ ମହାଦେବଙ୍କ ୧୨ ଜ୍ୟୋର୍ତିଲିଙ୍ଗ ଯେତେ ପ୍ରସିଦ୍ଧ , ବିଭିନ୍ନ ପୁରାତନ ଶିବାଳୟ ମଧ୍ୟ ସେତେ ରୋଚକପୂର୍ଣ୍ଣ କାହାଣୀର ଗନ୍ତାଘର କହିଲେ ଭୁଲ୍ ହେବନାହିଁ । 

Advertisment
Mahadevv
Mahadevv Photograph: (Kanak News)

ବିଭିନ୍ନ ଧର୍ମର ସଙ୍ଗମସ୍ଥଳୀ ଭାବେ ପରିଚିତ ଏହି ପୃଥିବୀରେ ଅନେକ କଳାତ୍ମକ ମନ୍ଦିର ରହିଛି । ଏହିସବୁ ମନ୍ଦିରର ସୌନ୍ଦର୍ଯ୍ୟ ଅତୁଳନୀୟ । ହଜାର ହଜାର ବର୍ଷ ପୁରୁଣା ମନ୍ଦିରଗୁଡ଼ିକର ସୁନ୍ଦରତା ଦେଖି ଭାରତର ବିଶାଳ ଇତିହାସ ବିଷୟରେ ଅନୁମାନ କରାଯାଇପାରେ । ପୌରାଣିକ କଥାରେ ଆମେ ମନ୍ଦିରମାନଙ୍କର ରହସ୍ୟ ବିଷୟରେ ଶୁଣିଛୁ । ଅନେକ ରହସ୍ୟକୁ ବିଜ୍ଞାନ ସମାଧାନ କରେ । କିନ୍ତୁ କିଛି ଏପରି ରହସ୍ୟ ରହିଛି, ଯାହା ବିଷୟରେ କେହି କିଛି ଜାଣନ୍ତି ନାହିଁ, ସେଠାରେ ବିଜ୍ଞାନ ନୁହଁ କେବଳ ବିଶ୍ୱାସ ହିଁ କରାଯାଇପାରେ । ଆଜି ଆମେ ଆପଣଙ୍କୁ ଭାରତର ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହା ରହସ୍ୟରେ ପରିପୂର୍ଣ୍ଣ । ମନ୍ଦିରର ନାଁଟି ହେଲା କକନମଠ ମନ୍ଦିର ଏବଂ ଏହାକୁ ଭୂତମାନଙ୍କର ମନ୍ଦିର ବୋଲି ମଧ୍ୟ କୁହାଯାଏ । ତେବେ ମହାଦେବଙ୍କୁ ସମର୍ପିତ ଏହି ମନ୍ଦିରକୁ କାହିଁକି ଭୂତଙ୍କ ମନ୍ଦିର ବୋଲି କୁହାଯାଏ , ଆସନ୍ତୁ ଜାଣିବା ।

Mahakala
Mahakala Photograph: (google)

ମଧ୍ୟପ୍ରଦେଶର ମୁରୈନାରରେ ଅବସ୍ଥିତ କାକନମଠ ମନ୍ଦିରର ରହସ୍ୟ ଯେତେ ପ୍ରାଚୀନ ସେତେ ରୋଚକପୂର୍ଣ୍ଣ । ଆଜିର ସମୟରେ ମନ୍ଦିରଟି ଭଗ୍ନ ଅବସ୍ଥାରେ ଅଛି । ଆପଣ ମନ୍ଦିରରେ ମୂର୍ତ୍ତି ଦେଖିବାକୁ ପାଇବେ, କିନ୍ତୁ ଭଙ୍ଗା ଅବସ୍ଥାରେ । ଜରାଜୀର୍ଣ୍ଣ ହୋଇଥିବା ଏହି ମୂର୍ତ୍ତିଗୁଡ଼ିକର ଅବଶେଷ ଗ୍ୱାଲିୟରର ଏକ ସଂଗ୍ରହାଳୟରେ ସଂଗୃହୀତ କରାଯାଇଛି । ରୋଚକପୂର୍ଣ୍ଣ କଥା ହେଉଛି ମନ୍ଦିର ଭଗ୍ନ ଅବସ୍ଥାରେ ଥିଲେ ମଧ୍ୟ ଏଠାକୁ ଶ୍ରଦ୍ଧାଳୁ ପୂଜା କରିବା ପାଇଁ ଛୁଟି ଆସୁଛନ୍ତି । ମନ୍ଦିରକୁ ଯଦି ଭଲରେ ଦେଖିବେ ପ୍ରବେଶ କଲା ମାତ୍ରେ ଭାଙ୍ଗିଗଲା ଭଳି ଅନୁଭବ ହେବ କିନ୍ତୁ ହଜାର ହଜାର ବର୍ଷ ଧରି ମନ୍ଦିର ସେମିତି ଛିଡ଼ା ହୋଇରହିଛି । ଅନେକ ବୈଜ୍ଞାନିକ ମନ୍ଦିରର ଯାଞ୍ଚ କରିସାରିଛନ୍ତି , କିନ୍ତୁ ମନ୍ଦିର କେମିତି ତିଆରି ହେଲା , କିଏ ତିଆରି କଲା କେହି ଜାଣିନାହାନ୍ତି । ଏହି ମନ୍ଦିରକୁ ମଧ୍ୟପ୍ରଦେଶର ଏକ ଆଶ୍ଚର୍ଯ୍ୟ ବୋଲି ମଧ୍ୟ କୁହାଯାଏ । ଏହାର କାରଣ ହେଉଛି ୧୨୦ ଫୁଟ୍ ଉଚ୍ଚତା ଥିବା ଏହି ମନ୍ଦିର ନା କୌଣସି ସିମେଣ୍ଟ , ନା ହିଁ ଚୂନ , ଗୋଡି , ବାଲିରେ ତିଆରି ହୋଇଛି । ପଥର ଉପରେ ପଥର ରଖି ସମ୍ପୁର୍ଣ୍ଣ ମନ୍ଦିରକୁ ତିଆରି କରାଯାଇଛି । ଯାହାକୁ ବଡ଼ ବଡ଼ ଝଡ଼ ମଧ୍ୟ ହଲାଇ ପାରିନାହିଁ । ଏହାର ଆଖପାଖରେ ଥିବା ସମସ୍ତ ମନ୍ଦିର ନଷ୍ଟ ହୋଇଯାଇଥିବା ବେଳେ ଏହି ମନ୍ଦିର ଉପରେ ଏଯାଏଁ କୌଣସି ଆଞ୍ଚ ଆସିନାହିଁ । 

kakanmath
kakanmath Photograph: (google)

ଲୋକ କୁହନ୍ତି ଏହି ମନ୍ଦିର ଭୂତମାନଙ୍କ ଦ୍ଵାରା ତିଆରି କରାଯାଇଛି । କୁହାଯାଏ ଯେ ଭଗବାନ ଶିବଙ୍କୁ ସମର୍ପିତ ଏହି ମନ୍ଦିରକୁ ଭୂତମାନେ ତିଆରି କରିଥିଲେ ତାହା ପୁଣି ମାତ୍ର ଗୋଟିଏ ରାତିରେ । କିନ୍ତୁ ସକାଳ ହେବା ବେଳକୁ ମନ୍ଦିର ଅଧା ରହିଗଲା । ଆଶ୍ଚର୍ଯ୍ୟକର କଥା ହେଉଛି ମନ୍ଦିରରେ ବ୍ୟବହୃତ ହୋଇଥିବା ପଥର ଆଖପାଖରେ ୩୦୦ କି.ମି ପର୍ଯ୍ୟନ୍ତ କେଉଁଠି ଦେଖାଯାଏନାହିଁ । ତାହେଲେ ଏତେ ପଥର ଆସିଲା କେଉଁଠୁ , ଆଣିଲା କିଏ ଏବଂ କେମିତି ତିଆରି କଲା ତାହା ଆଜି ବି ରହସ୍ୟରେ । 

kakan
kakan Photograph: (google)